ପ୍ରକୃତିର ଚେତାବନୀ
ପ୍ରକୃତିର ଚେତାବନୀ
ମହାଶୂନ୍ୟ ମଧ୍ୟେ ଅବସ୍ଥିତ ଜ୍ୟୋତି ବିନ୍ଦୁ
ବିନ୍ଦୁ ପ୍ରାୟ ଦୃଶ୍ୟମାନ ସେହି ମହାସିନ୍ଧୁ।
ଅଖଣ୍ଡ ମଣ୍ଡଳ ବ୍ୟାପି ଚରାଚର ନଭ
ଈଶ୍ୱରଙ୍କ ସତ୍ତା ଆମ ପାଇଁ ସର୍ବ ଶୁଭ ।
ଭୂମିରୁ ଭୂମା ବ୍ୟାପିଛି ଅନନ୍ତ ପ୍ରକୃତି
ନୀଳ ଆକାଶରୁ ମିଳେ ଶାନ୍ତ ପ୍ରତିଶୃତି ।
କୋଟି ସୂର୍ଯ୍ୟ ତାରା ଯହିଁ ଛନ୍ତି ଭାସମାନ
ଗ୍ରହାଣୁ ପୁଞ୍ଜରେ ଅଗଣିତ ତାରା ମାନ।
ତିନି ଭାଗ ଜଳ ତହୁଁ ଏକ ଭାଗ ଭୂମି
ସ୍ଥାବର ଜଙ୍ଗମ ନଦ ନଦୀ ବେଗଗାମୀ ।
ବାୟୁ ମଣ୍ଡଳ ଘେରିଛି ଧରାକୁ ବିସ୍ତରି
ଋତୁଚକ୍ର ଦିନ ରାତି ଧର୍ମ ଅନୁସରି ।
ସୂରୁଜ ମୁରୁଜ ବୁଣେ ଅସ୍ତରାଗ ଆଭା
ସାଗରର ନୀଳିମାରେ କେତେ ବର୍ଣ୍ଣ ବିଭା।
ଆକାଶରେ ଚାନ୍ଦୁଆର ଭ୍ରମ ତାରାଗଣ
ପର୍ବତରୁ ନିର୍ଝରିଣୀ ବହେ ଝରଝର ।
କେଦାର କାନନ କାହିଁ ପର୍ବତ ବିତାନ
ସତ୍ୟ ଶିବ ସୁନ୍ଦରର ରୂପ ସଂଦର୍ଶନ ।
ଶାନ୍ତ ସରଳ ନିର୍ମଳ ପ୍ରକୃତି ବକ୍ଷରେ
ମନୁପୁତ୍ର ନିରନ୍ତର ଅତ୍ୟାଚାର କରେ ।
ଫାଇଲିନ୍ ହୁଡହୁଡ୍ ଫଣୀ ମୁଣ୍ଡ ଟେକେ
ଭୁଜ ଭୂମିକମ୍ପ ମହାବାତ୍ୟା ଗତି ରୋକେ ।
କରୋନା ଆଘାତେ ନର ଧରାଶାୟୀ ହୁଏ
ମୂଷିକ ପରାୟ ଗାତ୍ରେ ଦିନ ସେ ବିତାଏ ।
ପ୍ରକୃତି କହୁଛି ଡାକି ରେ ମୂଢ ମାନବ
ମୋ କୋଳେ ନିଶ୍ଚୟ ଦିନେ ଶରଣ ମାଗିବ ।
ପଞ୍ଚ ଭୂତ ତୋ ଶରୀର ମିଶିବ ମୋ ଠାରେ
କାହିଁକି ଉଛନ୍ନ ହୁଅ ତୁଚ୍ଛ ବଡିମାରେ !
ସହିବାର ସୀମା ଟପି ନଦିଅ ଯାତନା
ଶାନ୍ତିପୂର୍ଣ୍ଣ ଜୀବନରେ କର ବିଡମ୍ବନା !
ମୋ ଶରୀର ନାରଖାର କରୁଛ କି ଲାଭେ
ପ୍ରଳୟର ପୂର୍ବାଭାସ ଦିଶିଲାଣି ନଭେ।