କାଳବୈଶାଖୀ
କାଳବୈଶାଖୀ
ସ୍ନିଗ୍ଧ ସରଳ ନୁହଁଇ ଅଟେ ମୁଁ ରୁକ୍ଷ ଦେହୀ
ଧାଇଁ ଆସିଅଛି କାଳ ବୈଶାଖୀ କ୍ଷୁବ୍ଧ ହୋଇ
ଆଗମନେ ମୋର ଜଳଦ ଦେଇଛି ହୃଦୟ ଖୋଲି
ମୂଷଳ ଧାରାରେ
ବରଷା ସାଥିରେ
ତୁମୁଳ କରକା
ଦେଉଛି ଢାଳି ।
ଗରଜି ଗରଜି ପବନ ବହୁଛି ତୀବ୍ରତର
ଚଗଲି ଚପଳା ହସିଦେଉଅଛି ଥରକୁ ଥର
ବଜ୍ର କମ୍ପନେ ବସୁନ୍ଧରା ଛାତି ଯାଉଛି ଥରି
ଆତଙ୍କିତ ଜୀବ
କରୁଛନ୍ତି ରବ
ମହାବଳଶାଳୀ
ଯାଉଛି ଡରି ।
ପତର ସାଥିରେ ଝଡି ପଡୁଅଛି ବୃକ୍ଷ ଶାଖା
ସରୀସୃପ ଅବା କୀଟ ପତଙ୍ଗର ନାହିଁ ଯେ ଦେଖା
ଉଛୁଳି ଉଠୁଛି ମହାସିନ୍ଧୁ ନୀର ଫୁଲାଇ ଦେହ
ଯେତେ ଜଳଚର
ହୋଇଣ ଅଥିର
ଡାକନ୍ତି ଆତୁରେ
ହେ! ଲୀଳାମୟ ।
ଡର ନାହିଁ ମୋତେ ମର୍ତ୍ତ୍ୟ ଜୀବ ମୁଁ ଉଗ୍ରରୂପା
ଦକ୍ଷିଣ ପଶ୍ଚିମ ଆକାଶୁ ଆସିଛି କରିବି କୃପା
ରବି ଟାଣ ପଣ ଭାଙ୍ଗିବାକୁ ମୁହିଁ କରି ଶପଥ
ଆସିଅଛି ଆଜି
ଜିତିବାକୁ ବାଜି
ତୃଷିତ ପ୍ରାଣରେ
ଭରି ଅମୃତ ।
ଦେଖିଲି ଯାହା ମୁଁ ଏକଛତ୍ରବାଦୀ ତପନ ଖଳ
ନିରୀହ ଜୀବନ ଉପରେ ଦେଖାଏ ଆପଣା ବଳ
ଲୋତକ ଝରାଇ କାନ୍ଦୁଛି ଚାତକ ଶୁଖିଲା ପାଟି
ଜଳ ଟୋପେ ପାଇଁ
ଉପରକୁ ଚାହିଁ
ଆଁ କରିଅଛି
ଦୀର୍ଣ୍ଣ ମାଟି ।
ଦିନମଣି ତେଜେ ଜଳି ଯାଇଅଛି ବିଶାଳ ବନ
ତୃଷ୍ଣା ବିକଳେ ବିଚଳିତ ଅଛି ସକଳ ମନ
ପୀଡିତ ପ୍ରାଣର ମଙ୍ଗଳ ଲାଗି ମୁଁ ଆସିଛି ଧାଇଁ
ରୂପ ଭୟଙ୍କର
କୋମଳ ଅନ୍ତର
ଡର ନାହିଁ ମୋତେ
ମୁଁ କ୍ଷୀଣ ସ୍ଥାୟୀ ।
