ଉପମାତା
ଉପମାତା
ଜନ୍ମ ଦାତ୍ରୀ ଯେବେ ଧରଣୀକୁ ଆଣେ
ନୟନେ ଆଲୋକ ଭରି
ନିସ୍ତେଜ ପରାୟେ ତନୁ ପଡ଼ି ଥାଏ
ଦୁର୍ବଳତା କୋଳ ଧରି ।
ଏମନ୍ତ ସମୟେ ଅତି ଯତନରେ
ଶ୍ରଦ୍ଧାରେ ପାଳଇ ଧାଈ
ତହିଁରେ କ୍ଷଣିକ ବିଳମ୍ବ ଅଶୁଭ
ଏ ଜୀବନ ଶ୍ଵାସ ପାଇଁ ।
ମାତା ଜନ୍ମ ଦିଏ ରକ୍ତ ମାଂସ ଦେଇ
ସେନେହେ ପାଳଇ ଧାତ୍ରୀ
ସୁଖ ଶାନ୍ତି ଭୂଲେ କ୍ଷୁଧା ତୃଷା ତ୍ୟାଗେ
ଅନିଦ୍ରା ଯେ ଦିବା ରାତ୍ରି ।
ତୀକ୍ଷ୍ଣ ଦୃଷ୍ଟି ଦିଏ କୋମଳ ଶିଶୁରେ
ଢାଳି ତା ବାତ୍ସଲ୍ୟ ସ୍ନେହ
ସ୍ତନ୍ୟପାନ ଦେଇ ଅମୃତ ପରଶେ
ମନ ତାର ସୁଧାମୟ ।
ମାଟି ପିଣ୍ଡ ହୁଏ ବିଶାଳ ହୃଦୟ
ତହିଁରୁ ଜନମ ସାଧୁ
କେତେ ବୀର ପୁତ୍ର ପୁଣି ବୀରାଙ୍ଗନା
ସତୀ ଶିରୋମଣି ବଧୂ ।
ଜୀବନର ଖେଳ ଏତେ ଯେ ଦୁର୍ବଳ
ସମ୍ଭାଳିବା କଷ୍ଟକର
ଏକ ଧାଈ ମା ସଂଘର୍ଷ ସହିତ
ବୋହୁ ଥାଏ ଶିଶୁ ଭାର ।
ପୂଜ୍ୟନୀୟା ସେତ କଲ୍ୟାଣ ଦାୟିନୀ
ଉଦାରତା ମନ ତଳେ
ଆନନ୍ଦେ ବିତୁ ତା ସରଳ ଜୀବନ
ଏତିକି ପ୍ରଣତି ଢାଳେ ।
