STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ନାୟିକା

ନାୟିକା

1 min
210

ଅରୁଣ କିରଣେ ନାଲି ମୁହଁ ତୋର

ଦେଖି ମୁଁ କୁରୁଳି ହସିଥିଲି

ସିନ୍ଦୁରା ଫିଟିଲା ଅଧା ଆଖି ମେଲି

ତୋତେ ମୁଁ ପ୍ରଥମେ ଚିହ୍ନିଥିଲି। 


ସ୍ନେହବୋଳା ତୋର ମଧୁ ପରଶରେ

ଆନନ୍ଦେ ଶିହରି ଉଠିଥିଲି

ତୋ କୋଳର ଉଷ୍ମ ଆଲିଙ୍ଗନ ପାଇ

ସବୁକିଛି ଯେହ୍ନେ ପାଇଥିଲି। 


ଦିନ ଫର୍ଚ୍ଚା ହେଲା ଖୋଲା ଅଗଣାରେ

ହାତ ଧରି ତୋର ଚାଲିଥିଲି

ତୋର ପଣତକୁ ଆକାଶ କରି ମୁଁ

ଖଣ୍ଡିଉଡ଼ା ଦେଇ ଉଡ଼ିଥିଲି। 


ମଧ୍ୟାହ୍ନର ମୋହ ଏମିତି ଘାରିଲା

ତୋ ଛାଇକୁ ଛାଡ଼ି ଉଡ଼ିଗଲି

ଦୂର ଆକାଶର ଲଞ୍ଜାତାରା ପଛେ

ଜୀବନଟା ମୋର ଜାଳିଦେଲି।


ଛିନ୍ନପକ୍ଷ ହୋଇ ଆକାଶ ଦୁଆରୁ

ବିତାଡ଼ିତ ହୋଇ ମୁଁ ଖସିଲି

ଆଖି ବୁଜିଥିଲି ଖୋଲିବା ବେଳକୁ

ତୋ କୋଳରେ ମଥା ରଖିଥିଲି। 


ସତରେ ତୁ ମୋର ଜୀବନ ନାୟିକା

ଆଉ କାହିଁ କା'ରେ ଖୋଜୁଥିଲି

ମୋ ଆୟୁଷ ଦେଇ ତୋ ଚରଣ ତଳେ

ବଞ୍ଚିଯିବି ବୋଲି ଭାବିଥିଲି। 


ଆଜି ବୁଝୁଛି ତୁ ମହାଶକ୍ତିମୟୀ

ମୋ ଲାଗି କେବଳ ତୁ ବଞ୍ଚିଛୁ

ଅନାଦର ତୋତେ କରେ ବହୁବାର

ତଥାପି ମୋ ଶୁଭ ମନାସିଛୁ। 


ପରିବାର ଗୋଟା କି ଗୁଣି କରି ତୁ

କାନି ଗଣ୍ଠିରେ ତୋ ବାନ୍ଧିଅଛୁ

ତୋ ବିନା ବାଦଲ ଘୋଟିଆସେ କାହୁଁ

ସାହସ ହୋଇ ମୋ ହୃଦେ ଅଛୁ। 


ଗୋଧୂଳି ଧୂସର ନଦୀପଠା ପରେ

ତୋର ହାତ ଧରି ଚାଲିଥିବି,

ସଞ୍ଜ ନଇଁ ଗଲେ ପଦସେବା କରି

ସେଇ ପାଦ ତଳେ ଶୋଇଯିବି।


ଏକା ସାଥେ ମୋର ଆୟୁଷ ସରନ୍ତା

ତୁ ଥିବା ଯାଏଁ ଜୀଇଁଥିବି,

ଦିନ ସରିଗଲେ କାହାଣୀ ସରନ୍ତା

ରାତି ଅନ୍ଧାରକୁ ମୁଁ ନଥିବି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract