ମୁଁ ଜ୍ୟୋତିଟିଏ
ମୁଁ ଜ୍ୟୋତିଟିଏ
ମୁଁ ଜ୍ୟୋତି ଟିଏ ମୁଁ ଜ୍ୟୋତି ଟିଏ
ଦୀପଟିର ଦୀପ ଶିଖାଟିଏ
ସଭିଙ୍କୁ ଆଲୋକ ଦାନ କରି ମୁହିଁ
ମନରେ ଆନନ୍ଦ କେତେ ପାଏ ll
ମାନବ ହେଲେବି ଜ୍ୟୋତି ସମ
ଚାଲରେ କରିବା କିଛି କାମ
ବାଣ୍ଟି ଦେଇ ଯିବା ସ୍ନେହ ପ୍ରୀତି ଧାରା
ପ୍ରତି ହୃଦୟର କୋଣ କୋଣ ll
ଆକାଶରେ ଟିକି ତାରା ଯେହ୍ନେ
ଆଲୋକ ଦାନରେ ନାଶେ ତମେ
ଅଳପ ହେଲେବି ଜ୍ଞାନବୁଦ୍ଧି ଆମ
ବାଣ୍ଟିବା ଉଚିତ ସର୍ବ ସ୍ଥାନେ ll
ବନ୍ଦରରେ ବତୀଖୁଣ୍ଟ ପରି
ଜଳୁଥିବି ମୁହିଁ ଧୈର୍ଯ୍ୟ ଧରି
ବାଟ କଢ଼ାଇବି ସବୁ ମାନବଙ୍କୁ
ପ୍ରେରଣାର ଉତ୍ସ ହୋଇକରି ll
ଜ୍ୟୋତିରିଙ୍ଗଣଟିଏ ହୋଇ
ଦିକ ଦିକ ଆଲୋକକୁ ଦେଇ
ବର୍ଷା ଋତୁରେ ସାଙ୍ଗ ସାଥି ସହ
ଆଲୋକ ଦେବାର ଚେଷ୍ଟା ନେଇ ll
ନୂଆ ବୈଜ୍ଞାନିକଟିଏ ହୋଇ
ନୂଆ ଦରବକୁ ସର୍ଜି ମୁହିଁ
ବିଜ୍ଞାନ ଯୁଗର ପିଲାଟି ମୁହିଁରେ
ବିକାଶର ମାର୍ଗ ଦେବି ଫେଇ ll
ଅବା ଡାକତରଟିଏ ହୋଇ
ସେବା କରିବି ମୁଁ ପ୍ରାଣ ଦେଇ
ଦୁଃଖୀ ରୋଗୀଙ୍କର ଲୁହ ପୋଛିଦେବି
ହୃଦରେ ବିଶ୍ୱାସ ଜନମାଇ ll
ମୋତେ ଶିଶୁ ବୋଲି ନଭାବିବ
ମୋଠାରେ ନିହିତ ଜ୍ୟୋତି ସର୍ବ
ବୈଜ୍ଞାନିକ ଠାରୁ ସାହିତ୍ୟିକ ଯାଏଁ
ସବୁ କରିପାରେ ମୁଁ ସମ୍ଭବ ll
ପ୍ରଭୁଙ୍କ ବଳେ ମୁଁ ବଳିୟାନ
ଆଶିଷେ ତାଙ୍କର ମୋ ସୃଜନ
ଛୋଟ ଜ୍ୟୋତିଟିଏ ହୋଇଲେ ବି ମୁହିଁ
ଜଳି ବାଣ୍ଟି ଦେବି ରଶ୍ମି ମାନ ll
