ଜାଣିପାରୁନି ସେ
ଜାଣିପାରୁନି ସେ
ସେ କେବେତ ଚାହିଁନି ।
ତା ରଙ୍ଗଛଡ଼ା ଓଢ଼ଣୀକୁ
ପୁରୁଣା ରଙ୍ଗରେ ରଙ୍ଗାଇବାକୁ ।
ଅବା ଲିଭି ଆସିଥିବା ଛବିକୁ
ପୁଣି ଥରେ ଆଙ୍କିବାକୁ ।
ପଛରେ ଛାଡ଼ି ଆସିଥିବା ଗଳିରେ
ଘେରାଏ ବୁଲି ଆସିବାକୁ ।
ଭୁଲିଭୁଲି ଆସୁଥିବା ରାଗକୁ
କେବେବି ଗୁଣଗୁଣେଇବାକୁ ।
ନା ସେ ଚାହିଁଛି କେବେ,
ଦର୍ପଣରେ ପୁରୁଣା ମୁହଁକୁ
ଆଉଥରେ ଖୋଜିବାକୁ ।
ଝାଉଁଳା ସ୍ଵପ୍ନ
ସବୁକୁ ଓଦା କରି
ତାଜା କରିବାକୁ ।
ଅବା ଜୀବନ୍ତ ସମାଧୀ ନେଇଥିବା
କାହାଣୀକୁ ପୁନର୍ଜନ୍ମ ଦେବାକୁ ।
କିନ୍ତୁ କେଜାଣି କେମିତି ।
ଏବେ ବି ତା ପସନ୍ଦ ଓଢଣୀ
ସେଇ ରଙ୍ଗର ।
ତୂଳୀ ଧରିଲେ କାନଭାସ୍ ରେ
ପ୍ରତିଫଳନ ହୁଏ ସେଇ ଛବିର ।
ସେଇ ଗଳିକୁ ମୋଡ଼ି ହୋଇଯାଏ
ଦିଗ ଉଠିଥିବା ପାଦଟିର ।
ଆାଉ ଜୀବନ ଛନ୍ଦରେ ଆସିଯାଏ
ସେଇ ରାଗ ବାରବାର ।
ସେଇ ବିସ୍ମୃତ ଚେହେରା
ଆଇନାରୁ ଅଚାନକ
ଉଙ୍କିମାରେ ।
ତାଜା ଛନଛନିଆ
ହୋଇଯାଏ ସେ ସ୍ଵପ୍ନ ସବୁ
ଟୋପେ ପାଣି ପରଶରେ ।
ଆଉ କୁଆଁ କୁଆଁ ରାବଦିଏ
ସେଇ କାହାଣୀଟି,
କିଛି ନୂଆ କରି ଲେଖିବାକୁ
ଯେବେ ବି ସେ ମନକରେ ।
ଜାଣିପାରୁନି ସେ ।
ସତରେ ଆଗକୁ ବଢିଛି ।
ନା ଖାଲି ଚାଲିବାର
ଅଭିନୟ କରୁଛି ।
ଅମୃତା..
