STORYMIRROR

Amruta Mohanty

Others

4  

Amruta Mohanty

Others

ସମାଜର ଠିକାଦାରଙ୍କୁ ପଦେ !

ସମାଜର ଠିକାଦାରଙ୍କୁ ପଦେ !

1 min
305

ଶୁଣ ସମାଜର ସର୍ବଭୁକ୍ ଗଣ!

ବିରାଟ ସଭା ସମିତିର

ଆୟୋଜନେ ନାହିଁ ପ୍ରୟୋଜନ,

ଲୋକ ଦେଖାଣିଆ ଭାବେ

କରିବାକୁ ନାରୀର ସମ୍ମାନ !


ପାରୁଛ ଯଦି ,

ନାରୀ ଭୂଗୋଳରୁ ପ୍ରଥମେ

 ନିଜକୁ ତ ମୁକ୍ତି ଦିଅ !

ତୁମ ରଚିତ 

ଅବାଞ୍ଛିତ ଇତିହାସରୁ 

ତାକୁ ମୁକ୍ତ ତ କରିଦିଅ !


ସୁବିଧାବାଦୀ ସଜ୍ଞାର 

ବେଡି ଖୋଲିଦେଇ 

ଥରେ ଖାଲି ତାକୁ 

ନିଜ ଆକାଶରେ 

ଛାଡି ଦିଅ ଉଡ଼ିବାକୁ !

ତା ଜୀବନ ତାକୁ

ଇଛାରେ ତାହାର, 

ଦେଇଦିଅ ଥରେ 

ମନଭରି ଜିଇଁବାକୁ !


ଆପଣା ମାନଦଣ୍ଡକୁ

ମାପଦଣ୍ଡ କରି

ଦିନରାତି ତାକୁ 

ଆଉ ତ ତଉଲ ନାହିଁ...

ନିଜ ମାନସିକତା 

ସାକାର ପାଇଁ

ତାକୁ ମନଇଚ୍ଛା 

ଆକାର ବି ଦିଅନାହିଁ....

  

ଅବଳା ସଜାଇ, 

ତାକୁ ଦୁର୍ବଳା ବନାଇ 

ତା'ର ମନୋବଳ ଭାଙ୍ଗ ନାହିଁ,

ସ୍ବୟଂସିଦ୍ଧା ସେ ଯେ

ଅନନ୍ୟା ଅପରାଜିତା,

ଅଯଥା ତାହାର 

ଆଶାବାଡି ସାଜନାହିଁ।


ନା ସେ ଦେବୀ!

ନା ସେ ଦାନବୀ!


ତୁମ ପରି ସେ ବି 

ରକ୍ତମାଂସ ଧାରି 

ସାଧାରଣ ପ୍ରାଣୀ ଟିଏ

ଜମା ସର୍ବଂସହା ନୁହେଁ।

ନିଜସ୍ଵ ଆଶା, ଆକାଂକ୍ଷା

ସପନ, ଆତ୍ମସମ୍ମାନ 

କ୍ଷତ ବିକ୍ଷତ ହେଲେ

ତାକୁ ବି ତ କଷ୍ଟ ହୁଏ.....


ଜୀବନ ସହ 

ସାଲିସ କରି ସେ

ଖାଲି ଯାହା ହସିବାର 

ଅଭିନୟ କରୁଥାଏ...


ଆହେ ସମାଜର 

ଆତ୍ମ ଘୋଷିତ

ଠିକାଦାର ଗଣ

ବେଳ ଥାଉଁ ଥାଉଁ

ହୋଇଯାଅ ସାବଧାନ!!

ନାରୀ ନାରାୟଣୀ ଧୈର୍ଯ୍ୟ

ଥରେ ତୁଟି ଗଲେ,

ପ୍ରଳୟଙ୍କରୀ ବିନାଶ

ଅବସମ୍ଭାବୀ ଜାଣ.....।।

            

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍