ଶୁଣ ସମାଜର ସର୍ବଭୁକ୍ ଗଣ!
ଶୁଣ ସମାଜର ସର୍ବଭୁକ୍ ଗଣ!
ଶୁଣ ସମାଜର
ସର୍ବଭୁକ୍ ଗଣ!
ବିରାଟ ଆୟୋଜନେ
ନାହିଁ ପ୍ରୟୋଜନ
କରିବାକୁ ମହିଳା ଦିବସ ପାଳନ।
ପାରୁଛ ଯଦି ,
ନାରୀ ଭୂଗୋଳରୁ ପ୍ରଥମେ
ନିଜକୁ ତ ମୁକ୍ତି ଦିଅ !
ତୁମ ସ୍ବରଚିତ
ଅବାଞ୍ଛିତ ଇତିହାସରୁ
ତାକୁ ମୁକ୍ତ ତ କରିଦିଅ!
ସୁବିଧାବାଦୀ ସଜ୍ଞାର
ବେଡି ଖୋଲି ଥରେ ଖାଲି
ତାକୁ ନିଜ ଆକାଶରେ
ଛାଡି ଦିଅ ଉଡ଼ିବାକୁ !
ତା ଜୀବନ ତାକୁ
ଇଛାରେ ତାର,
ଦେଇଦିଅ ଥରେ
ମନଭରି ଜିଇଁବାକୁ!
ଆପଣା ମାନଦଣ୍ଡକୁ
ମାପଦଣ୍ଡ କରି
ତାକୁ ଆଉ ତ ତଉଲ ନାହିଁ
ନିଜ ମାନସିକତା
ସାକାର ପାଇଁ
ତାକୁ ମନଇଚ୍ଛା
ଆକାର ବି ଦିଅନାହିଁ ।
ନା ସେ ଦେବୀ
ନା ସେ ଦାନବୀ ।
ତୁମ ପରି ସେ ବି
ରକ୍ତମାଂସ ଧାରି
ସାଧାରଣ ଜୀବଟିଏ!
ସେ ଜମା ସର୍ବଂସହା ନୁହେଁ।
ନିଜସ୍ଵ ଆଶା, ଆକାଂକ୍ଷା
ସପନ, ଆତ୍ମସମ୍ମାନ
କ୍ଷତ ବିକ୍ଷତ ହେଲେ
ତାକୁ ବି ତ କଷ୍ଟ ହୁଏ ।
ଜୀବନ ସହ ସାଲିସ କରି
ଖାଲି ଯାହା ସେ
ହସିବାର ଅଭିନୟ କରୁଥାଏ...
ଅବଳା ସଜାଇ ତାକୁ
ଦୁର୍ବଳା ବନାଇ
ତା'ର ମନୋବଳ ଭାଙ୍ଗ ନାହିଁ,
ସ୍ବୟଂସିଦ୍ଧା ସେ ଯେ
ଅନନ୍ୟା ଅପରାଜିତା,
ଅଯଥା ତା ଆଶାବାଡି ସାଜନାହିଁ।।
ନ କରି ପାରିଲେ ଏତିକି,
ଶୁଣ, ସମାଜର ଆତ୍ମ ଘୋଷିତ
ଠିକାଦାର ଗଣ!!!
ମହିଳା ଦିବସ ପାଳନ
ଖାଲି ଯାହା ଏକ ଅର୍ଥହୀନ
ନିରାଟ ପ୍ରହସନ!!!
