ଜାଣିବ ବା ସିଏ କାହୁଁ
ଜାଣିବ ବା ସିଏ କାହୁଁ
ପଥିକଟି କେବେ କଳି ପାରିଛିକି
ପାଦତଳ ମାଟି ବଥା,
ଉଆଁସ ରାତିଟି ବୁଝି ପାରିଛିକି
କୁମୁଦର ମନ କଥା ? [୧]
ପରାଜପତିକୁ ପଚାରନା କିଏ
ଫୁଲର ମରମ କଥା,
ଫୁଲେଇ ପବନ ଜାଣିକି ପାରଇ
ଝରା ପତରର ବ୍ୟଥା ? [୨]
ଦୂର ପାହାଡର ମେଘକି ବୁଝଇ
ବିରହୀ ଚାତକ ଭାଷା,
ପଥର ଚଟାଣେ ବରଷା ଛେଚିଲେ
ଫସଲକି ହୁଏ ଚଷା ? [୩]
ଫଗୁଣ ପାହାନ୍ତି କାକର ବୁଝେକି
ଝରା ବଉଳର କୋହ,
ଲେଉଟାଣି ଉର୍ମି ଏଡି ଚାଲିଯାଏ
ବେଳାଭୁଇଁ ବାଲି ମୋହ । [୪]
କୋକିଳ ଶାବକ କାଳିପାରେ ନାହିଁ
'କାକ'ର ମମତା ମୂଲ,
ପର ଲାଗିଗଲେ ଉଡି ଚାଲିଯାଏ
କରିଦେଇ ସାତ ପର । [୫]
ବହୁରୂପୀ, ଛଳି, କିପରି ବୁଝିବ
ସମ୍ପର୍କର ଗଭୀରତା,
ବାରମାସୀ ପକ୍ଷୀ ହୋଇ ପାରିଛିକି
ଗୋଟିଏ ରଙ୍ଗରେ ମଖା ? [୬]
ମାନ- ଅଭିମାନ ସାଇତି ରଖିଲେ
ମନେ ଭରେ ବିଷନ୍ନତା,
ଦରଦୀ ବନ୍ଧୁଟି ବୁଝି ପାରେ ସିନା
ମନ ତଳ ନୀରବତା ! [୭]
ଇନ୍ଦ୍ରିୟ ସୁଖରେ, ବିଷୟ ରସରେ
ଦିବା ନିଶି ରତ ଯେହୁଁ,
ଦିବ୍ୟ ଜୀବନର ଶାଶ୍ୱତ ସୁଖକୁ
ଲୋଡ଼ିବବା ସିଏ କାହୁଁ ? [୮]
***************************