ଜାଡରେ ଦାଶେ ହଟହଟା
ଜାଡରେ ଦାଶେ ହଟହଟା
ଶୁଣ କଥାଟି
ନାକୁଆ ଅଜା ଗଙ୍ଗାପୁରର
ପିଲାଏ ଡାକନ୍ତି ଦାଶ ମାଷଟର ।
ନାକଟି ତାଙ୍କ ଖଣ୍ତା ଧାରୁଆ
ମୁଖରେ ଆସେନା ଟିକେ ହସ ସରୁଆ ।
ଦେଖାନ୍ତି ପିଲାଙ୍କୁ ସଦା ନାଲିଆ ଆଖି
କାଳିଆ ଚନ୍ଦାରେ ତେଲ ପିମ୍ପାଏ ମାଖି ।
ନାମଟି ତାଙ୍କ ବିପିନ ଦାଶ
ନାକ ତଳେ ନଥିଲା ଟିକିଏ ନିଶ ।
ସମସ୍ତେ ସାର୍ଟ ପ୍ୟାଣ୍ଟ ପିନ୍ଧନ୍ତି
ଧୋତି କୁରୁତାରେ ଦାଶେ ଆସନ୍ତି ।
ନେଳିଖଳି ଦିଆ ଲୁଗାରେ ନାହିଁ ଟୋପାଏ ଦାଗ
ବସିଲେ ଚଉକିରେ ତାଙ୍କ ନ ଥାଏ ବାଗ ।
ଆସନ୍ତି ସାରେ ଇସକୁଲ୍ ନାକକୁ ଟେକି
ଝାଡି ଚଉକି ବସି ପଡନ୍ତି ଗୋଡକୁ ଜାକି ।
ପାଠୁଆ ପିଲାଙ୍କୁ କହନ୍ତି କଥା ହସି ହସି
ପାଠ ଦେଇ ପିଲାଙ୍କୁ ଘୁମାନ୍ତି ଚୌକିରେ ବସି।
ଭୁଲ ଉତ୍ତରରେ ଦିଅନ୍ତି କାନକୁ ମୋଡି
ଗୋଳକଲେ ହେଣ୍ଟାଳନ୍ତି ଖଡି ଡଷ୍ଟର ଫୋପାଡି ।
ସକାଳୁଆ ସ୍କୁଲର କାଠୁଆ ଶୀତ
ପଛରେ ପିଲେ ବୋଲନ୍ତି ଗୀତ ;
"କୁଆଡେ ଯାଉଚ ବିପିନ ଦାଶ ?
କିଏ ନେଇଗଲା ନାକ ତଳୁ ତମ ନିଶ " ?
ସ୍କୁଲରେ ପଢାନ୍ତି ଖାଲି ଉପୁରି ପାଠ
ଟିଉସନ ଆସନ୍ତି ପିଲା ଗୋଠକୁ ଗୋଠ ।
ବହୁଥାଏ ସେଦିନ ଭାରି ଜାଡୁଆ ପବନ
ସାରଙ୍କ ପଢାରେ ଜମା ନ ଥାଏ ମନ ।
ନିଦରାଣୀ ବି ଡାକୁଥାଏ ଘନ ଘନ
ପାଠ ଦେଇ ଘୁମାଇ ପଡିଲେ ମାଷ୍ଟର ବିପିନ ।
ଦୁଷ୍ଟାମୀ କରି ବଗୁଲିଆ ଟୋକାଟି
ବାନ୍ଧିଲା ତୁରିତେ ତାଙ୍କ ଧୋତିରେ ଟେକାଟି ।
ଘଣ୍ଟି ଶବ୍ଦରେ ଚମକି ଉଠିଲେ ସାରେ ଝଟତି
ଆହା ଫିଟିଗଲା ଖଳିଦିଆ ଧୋତିର କଛାଟି ।
ନାକୁଆ ମାଷଟର ହେଲେ ହଟହଟା
ଅଫିସ ଧାଇଁଲେ ହାତେ ଧରିକି କଛାଟା ;
ତେଣେ ପଡିଗଲା କାଖରୁ ବହିଟା
କରୁଳି ଚାହିଁକି ପିଲାଏ ନଉଥିଲେ ମଜାଟା ।
