ଇଏ କଣ ଜୀବନ ?
ଇଏ କଣ ଜୀବନ ?
ବେଳେବେଳେ ଡହଳ ବିକଳ
କରିଦିଏ ଏ ଜୀବନ
ସବୁ ସ୍ଥିତି ଯେମିତି
ହେଇଯାଏ ସନ୍ଦିହାନ
ସ୍ଥିର ହେଇ
ଚାରିଆଡକୁ ଚାହିଁଲେ
ସବୁଆଡେ ଯେମିତି ଘୋଟିଛି କଳା ମେଘ,
ଯିଏ ବର୍ଷା ଦେବନି ବୋଲି ପଣ କରିଛି।
ସବୁ ଦିଗନ୍ତ ଧୂମ୍ରାଭ,
ଯିଏ ଧ୍ରୁବ ତାରା ର ସନ୍ଧାନ ନ ଦେବାର ପଣ କରିଛି।
ସବୁ ଆଶାର ଅଟ୍ଟାଳିକା ଧ୍ୱସ୍ତ ପ୍ରାୟ,
ଯିଏ ପୁନଃ ନିର୍ମାଣକୁ ବିରୋଧ କରୁଛି।
ସବୁ ଆଡେ ଖାଲି ନିରୋଳା ଧୂଆଁ
ବେଳେବେଳେ ପୋଡା ବାରୁଦ ର ଗନ୍ଧ,
ଯେମିତି ଏକ ବିଭୀଷିକା ଜୀବନ୍ୟାସ ପାଇବାକୁ ଅପେକ୍ଷା କରିଛି
ସେ ଧୂଆଁ ଭିତରୁ ହଠାତ ବାହାରିଆସେ
ଏକ ତେଜୋଦୀପ୍ତ ଯୁବକ।
ଆଶ୍ୱାସନା ଦେଇଚାଲେ
କୁହେ, ଏଗୁଡା କାଳେ ଧୂଆଁ ନୁହଁ କୁହୁଡି।
ତୁଚ୍ଛା ଜଳବିନ୍ଦୁର ଅହଂକାର ର ପ୍ରତିଫଳନ
ଯିଏ ଆକାଶ ରୁ ଦୁରେଇଯିବ
ଉତ୍ତାପ ବଢିଲେ,
ସ୍ୱର୍ଯ୍ୟ ଉଇଁଲେ,
ରାତିର ଅନ୍ଧକାର ସରିଲେ।
ହେଲେ ଏ ରାତି ସରିଲେ ତ;;;;;
ଏ ରାତିରେ ନା ଜହ୍ନ ଅଛି ନା ଜ୍ୟୋତ୍ସ୍ନା
ନା ରଜନିଗନ୍ଧା ନା ମଲ୍ଲୀ ର ବାସ୍ନା
ପୁଣି ଠିକ ସେଇ ସମୟରେ
କିଏ ଜଣେ ମନ ଭିତରୁ ଆର୍ତ୍ତ ଚିତ୍କାର କରି କହିଉଠେ
ଏଗୁଡା କୁହୁଡି ନୁହଁରେ
ଏ ଗୁଡା ଧୂଆଁ
ନିଆଁକୁ ଖୋଜ
କୋଉଠି କେଜାଣି କୋଉ ପାଉଁଶ ତଳେ କୁହୁଳୁଥିବ
ପରିସ୍ଥିତି ଆସିଲେ ସବୁ ଜାଳି ପୋଡି ଛାରଖାର କରିଦେବ।
କାହିଁକି ଏ ବ୍ୟସ୍ତତା,
କାହିଁକି ଏ ବୃଥା ନିରାଶାର ସଂକେତ?
ନିଆଁ ନଖୋଜି
ଧୂଆଁ ଆଉ କୁହୁଡିର ସଂଜ୍ଞାରେ
ଘାଣ୍ଟି ହେବା ବି କଣ ଗୋଟାଏ ଜୀବନ ?
ଭୁବନାନନ୍ଦ ଅଧିକାରୀ
