ଆମ ଗାଁରେ କେହି ଗାଉଁଲି ନାହାନ୍ତି
ଆମ ଗାଁରେ କେହି ଗାଉଁଲି ନାହାନ୍ତି
ଆଜିବି ହସୁଛି ମୋ ଗାଁ ମାଟି
ଖୁସି ରେ କି ପରିହାସ ରେ କେଜାଣି
ଗାଁ ର ହସ କିଏ ବୁଝିବ,
ଆମ ଗାଁ ରେ ପରା କେହି ଗାଉଁଲି ନାହାନ୍ତି।
ଆଜିବିସେ ମାଛ ବାଲି ବୁଢ଼ୀ ମାଉସୀ ଆସୁଛି
ପାଚିଆରେ ମାଛ ଆଣୁଛି
ବଡ଼ ପାଟି ରେ ଚିତ୍କାର କରୁଛି
ପିଣ୍ଡା ରୁ ଉତ୍ତର ଦେବାକୁ କିଏ କଣ ଅଛନ୍ତି?
ଆମ ଗାଆଁରେ ପରା କେହି ଗାଉଁଲି ନାହାନ୍ତି।
ଆଜିବି ନିର୍ବାଚନ ପ୍ରଚାର ଗାଡି ଟା ଡ଼ାକବାଜି ବଜେଇ ବଜେଇ
ଗାଁ ରାସ୍ତା ରେ ଯାଉଛି
କେତେ ରଙ୍ଗ ର କାଗଜ ଦାଣ୍ଡ ରେ ଉଡେଇ ଦଉଛି
ହେଲେ ସେ ଗାଡି ପଛରେ ଉଦ୍ଧେଶ୍ୟ ହୀନ ଭାବେ ଦୌଡୁଥିବା ସେ ନିଷ୍ପାପ ଛୁଆ କାହାନ୍ତି?
ଆମ ଗାଆଁରେ ପରା କେହି ଗାଉଁଲି ନାହାନ୍ତି।
ଗାଁ ଠାକୁରାଣୀ ପଛରେ ସେ ବଡ଼ ପୋଖରୀ ଏବେବି ଅଛି
ଦଳ ଆଉ କଳମ ରେ ଭର୍ତ୍ତି ହେଇଛି
ହୁଡା ରେ ସେ ଭଙ୍ଗା ଚଉରା ଟା ତୁଳସୀ ବିନା ମୃତବତ ଦିଶୁଛି,
ହେଲେ ହୁଡାରୁ ନଡିଆ ତେଲ ବୋଳି ପୋଖରୀ କୁ ଡିଆଁ ମାରୁଥିବା ସେ କାଳିଆ ସୁକାନ୍ତ ଆଉ ଶୁକୁଟା କାହାନ୍ତି?
ଆମ ଗାଁ ରେ ପରା କେହି ଗାଉଁଲି ନାହାନ୍ତି।
ସାଇକେଲ ରେ ଲୋକଟା ଚୁଟି ବଦଳରେ ସୁନପାମ୍ପୁଡି ନେଇ ଏବେବି ଆସୁଛି
ଭିଡିଓ ଗେମ ଖେଳୁଥିବା ଛୁଆ ଙ୍କୁ ଦେଖି ତା ସ୍ୱର କ୍ଷୀଣ ହେଇ ଯାଉଛି,
କାଗଜ ଖଣ୍ଡେ ରେ ଝୁରା ସୁନପାମ୍ପୁଡି ରଖିବାକୁ ଆଉ କଣ କିଏ ଅଛନ୍ତି?
ଆମ ଗାଁ ରେ ପରା କେହି ଗାଉଁଲି ନାହାନ୍ତି।
ପଣା ସଂକ୍ରାନ୍ତି ତା ବାଟରେ ଆସୁଛି,
ଝାମୁ ରେ ସେ ନାଲି ପୋଷାକ ପିନ୍ଧା ଲୋକ ଟା ନିଆଁ ରେ ଏବେ ବି ଚାଲୁଛି,
କଞ୍ଚା ଆମ୍ବ ପକା ଛତୁଆ ପଣା କୁ ଭିଡ଼ ଭିତରେ ହାତ ପାଟି ସାଲୁବାଲୁ କରି ଖାଇବାକୁ ଲୋକ କାହାନ୍ତି?
ଆମ ଗାଁ ରେ ପରା କେହି ଗାଉଁଲି ନାହାନ୍ତି।
ମାଟି ରାସ୍ତା ରେ ଏବେ ପିଚୁ ର ଆବରଣ ପଡିଛି
ଗାଉଁଲି ଝାଳ ଗନ୍ଧ ରେ ଯେମିତି ସହରୀ ଅତର କିଏ ଢାଳିଛି
ସବୁ ହେଲା ଯେ
ସେଦିନ ର ସେ ଆତ୍ମୀୟତା କାହିଁ
ସେ ସରଳତା କାହିଁ
ଆଉ ନିଷ୍କପଟତା ର ସେ ମଣିଷ ରୂପୀ ଦୁର୍ଗ ମାନେ କାହାନ୍ତି?
ଆମ ଗାଁ ରେ ପରା କେହି ଗାଉଁଲି ନାହାନ୍ତି।
କହୁନି ମୋ ଗାଁ ପଛୁଆ ଥାଉ
କହୁନି ଗାଁ ଛୁଆ ଅପାଠୁଆ ଅନୁନ୍ନତ ହେଉ
କହୁନି ଆଧୁନିକତା ର ସ୍ପର୍ଶ ଗାଁ ର ଚେହେରା ରେ ଶିହରଣ ଖେଳେଇନଦଉ
ହେଲେ ରୂପ ଭେକ ପରିବର୍ତ୍ତନ ରେ ମଣିଷ ପଣିଆ ଜିଇଁଥାଉ
ଆତ୍ମୀୟତା ସମାଧି ନନେଉ
ନହେଲେ ଦୁଃଖ ରେ ଦିନେ କହିବାକୁ ପଡିବ
ଏଠି ନିଃସ୍ୱାର୍ଥପର କେମିତି ମିଳିବ,
ଆମ ଗାଁ ରେ ପରା କେହି ଗାଉଁଲି ନାହାନ୍ତି।
ଭୁବନାନନ୍ଦ ଅଧିକାରୀ
