ହସ କାନ୍ଦ ବି ବିଚିତ୍ର
ହସ କାନ୍ଦ ବି ବିଚିତ୍ର
ଏ ବିଚିତ୍ର ଦୁନିଆରେ ସବୁକିଛି
ହୁଏ ବିଚିତ୍ର ରୂପରେ
ସହଜରେ ବାରି ହୁଏ ନାହିଁ ସତ
ବାସ୍ତବ ରୂପରେଖ ରେ
କିଏ କାନ୍ଦେ ଦୁଃଖ ବିପଦ ବେଳରେ
ଆଖିରୁ ଝରାଇ ଲୁହ
କିଏ କାନ୍ଦିବାର ଅଭିନୟ ଛଳେ
ଝରାଉଛି ମିଛ ଲୁହ
କିଏ ସହାନୁଭୂତି ଆଶାରେ କାନ୍ଦେ
କରି ମିଛ ଅଭିନୟ
ବିଶ୍ୱାସ ଆଢ଼ୁଆଳେ ବିଷ ଭାବନା
ମିଛ ମନ ଓ ହୃଦୟ
ଡେରି ହେଲେ ବି ସତ ଜାଣି ହୁଅଇ
ଲୁଚି ରହେ ନାହିଁ ସତ
ଘୃଣା ମନୋଭାବ ହୃଦେ ହୁଏ ଜାତ
ଯେବେ ମିଛ ଥିଲା ସତ ।
ହସି ହସ କଥା ହସ ହସ ମୁଖ
ଦେହ ମନ ପାଇଁ ହିତ
ହସ ନ ଥାଇ ବି ମିଛ ଅଭିନୟ
ହସରେ ମିଛ ବହୁତ
ତାତ୍ସଲ୍ୟ କରି କିଏ ହସୁଛି ସଦା
ସତେ ଅବା ବେଶି ଖୁସି
ମୁଖରେ ହସ ଭାବ ଅନ୍ତରେ ବିଷ
ଜାଣି ଶୁଣି ମିଛେ ହସି ।
ହସ କାନ୍ଦ ର ପରିଭାଷା ବୁଝିବା
ବହୁ କଷ୍ଟ କର କଥା
ହସ କାନ୍ଦ ଆଢ଼ୁଆଳେ ମଣିଷର
ଅଭିନୟ ଛଳେ ବ୍ୟଥା
ଏ ବିଚିତ୍ର ଦୁନିଆର ହାବ ଭାବ
ବୁଝିବା ନୁହେଁ ସହଜ
ବିଚିତ୍ର ରୂପରେ ଅଭିନୟ ଆଳେ
ଆଜିର ସଭ୍ୟ ସମାଜ ।
ସୁଖ ଦୁଃଖ ଭରା ଜୀବନ ବୃକ୍ଷରେ
ନିତି ଲୁଚକାଳି ଖେଳ
କେବେ ହସ ଛୁଏଁ ଯାଏ ମନ ମନ୍ଦିରକୁ
କେବେ ପୁଣି ଅଶ୍ରୁ ଜଳ
ସତ ମିଛ ଲୁହ ଝରି ଝରୁ ଥାଏ
ଦେଖିଲେ ଅନ୍ୟର ଦୁଃଖ
କାହାର ଲୁହ ଅଟଇ କୃତ୍ରିମ
ଲୁହରେ ଭିଜୁଛି ମୁଖ
ଅନ୍ଧ ହୋଇଅଛି ସଂସାରୀ ମଣିଷ
ମିଛେ ମିଛ ଅଭିନୟ
କପଟ ପଶା ରେ କପଟୀ ମଣିଷ
ନ ଚିହ୍ନେ କାହା ହୃଦୟ
ଆଜିର ସମାଜ ସ୍ଵାର୍ଥେ ବିଜଡ଼ିତ
ଅଣ୍ଟି ଛୁରୀ ତଣ୍ଟି କାଟେ
ଆପଣା ମଣିଷ ବିପଦେ ପଡ଼ିଲେ
ମିଛେ ମିଛେ ଛାତି ପିଟେ
କାହାର କାନ୍ଦ ରେ ଜଡିତ ହୃଦୟ
କାହାର ମାତ୍ର ପ୍ରଲେପ
ସରଳ ମଣିଷ ବୁଝିପାରେ ନାହିଁ
ସତ କିଏ ,କିଏ ବିଦ୍ରୁପ
ହସ ଫୁଟେ ସତେ ସଜ ଫୁଲ ପରି
ଓଠରେ ଯାହାର ରହେ
ମନଖୋଲା ହସେ ଦୁଃଖ କୁ ଦୂରେଇ
ଆଶ୍ଵାସନା କଥା କହେ
ଅଭିନୟ ଏଠି ଅହରହ ପ୍ରାୟ
ବୁଝିବା ପୂର୍ବରୁ ଖେଳ
ହସ-କାନ୍ଦ ର ବିଚିତ୍ର ପାଥେୟ
ଚାଲୁ ଅଛି କଳି କାଳ
କୃତ୍ରିମ ହସକୁ ଫୁଟାଇ ମୁହଁ ରେ
କାହାକୁ ନ ଦିଅ ଦୁଃଖ
ମିଛ ମିଛିକା ଆଖି କୋଣରେ ଲୁହ
ଲିଭି ନ ଯାଉ କା' ସୁଖ ।