STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ସାହା ଥିଲା ଯିଏ ଆଜି ଅସହାୟା

ସାହା ଥିଲା ଯିଏ ଆଜି ଅସହାୟା

2 mins
13


ସାହା ଓ ଭରଷା ମାଆ ନାମ ସହ

ପୂର୍ବାପର ପ୍ରସଙ୍ଗିତ 

ମାଆ ବିନା ସାହା ନାହିଁ ଜୀବନରେ

ପ୍ରାୟ ହେଉଛି କଥିତ

ଅଯାଚିତ ସ୍ନେହ ମମତା ଅଜାଡ଼ି

ମାଆ ସନ୍ତାନ ସୁଖରେ

ଅଳି ଅର୍ଦ୍ଦଳି ଓ ଅଝଟ ପଣିଆ

ସହି ଯାଏ ହସ ଧାରେ

ଦଣ୍ଡେ ନିମିଷକେ ଘରୁ ବାହାରିଲେ 

ଫେରିବା ବାଟକୁ ଚାହିଁ 

ଘରୁ ବାହାରକୁ ,ବାହାରୁ ଘରକୁ

ମନ ମଧ୍ୟେ ଚିନ୍ତା ଥାଇ

ଖାଇବା କଥା ହିଁ ପ୍ରଥମେ କହିବ

ମା ପରା ଚିହ୍ନେ ପେଟ

ପେଟର ଭୋକ କୁ ଚିହ୍ନି ଦିଏ ମାଆ 

ଥାଉ ଯେତେ ଦୁଃଖ କଷ୍ଟ

ତା ପଣତ କାନି ଆଢ଼ୁଆଳେ ରହି

ବାପାଙ୍କ କଡ଼ା କଥାରୁ

ସୁରକ୍ଷା ବଳୟ ସେ ପଣତ କାନି

ଅହେତୁକ ବିପଦରୁ

ନିଷ୍ଠୁରତା ଭରା ବାପାଙ୍କର ଗାଳି

ଶୁଣି ମାଆ ପ୍ରାଣ କାନ୍ଦେ

ନିଜ ସନ୍ତାନଙ୍କୁ କୋଳାଗ୍ରତ କରି

ହାତରେ ହାତକୁ ଛନ୍ଦେ

ସରଳ ପଣିଆ ମାଆର ଚଳଣି

ସାଧା ସିଧା ପୋଷାକରେ

ନିର୍ବିକାର ଭାବେ ଦୁଃଖ ଆପଣାଇ 

ସନ୍ତାନଙ୍କୁ ବେଶ କରେ

ସନ୍ତାନର ଅସୁସ୍ଥତା ସମୟରେ

ନିଜ ସ୍ଥିତି ଭୁଲି ନିଜେ

ବିଚଳିତ ହୃଦେ ଦିନ ରାତି କରେ

ସେବା ଶୁଶ୍ରୁଷା ସହଜେ ।


ମା' ଶବ୍ଦର ତୁଳନା ଅବା ବିକଳ୍ପ

ନାହିଁ ଏ ଧରା ଧାମରେ

ମାଟିରୁ ଆକାଶ ପ୍ରତିଧ୍ଵନି ଶୁଭେ

ଶବ୍ଦ ନାହିଁ ବର୍ଣ୍ଣିବା ରେ 

ପରିବାର ବର୍ଗ ସେବାରେ ଜୀବନ

ସମର୍ପିତ ଅବିରତେ

ସନ୍ତାନର ଅଳି ଅର୍ଦ୍ଦଳି ସହିବା

ପଣ ତା'ର ହୃଦ ଗତେ 

ସ୍ନେହ ଶ୍ରଦ୍ଧା ସହ ଅନାବିଳ ପ୍ରେମ 

ଛଳନା ବିହୀନ ପ୍ରାଣ

ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ

ସନ୍ତାନ ହିଁ ତା'ର ପ୍ରାଣ 

ମାଆ ଉଚ୍ଚାରଣେ ଅମୃତର ସ୍ଵାଦ

ଉପଶମ ହୁଏ ଦୁଃଖ

ଆପଦ ବିପଦ ଦୁଃଖ ସମସ୍ୟାରେ

ଆପେ ଉଚ୍ଚାରଇ ମୁଖ

ଅଯାଚିତ ସ୍ନେହ ମମତା ସହିତ

ନିଃସ୍ଵାର୍ଥପର ସେବାରେ

ସେବା ଅର୍ଥେ ଜୀବନକୁ ସମର୍ପିତ 

ଘର-ସନ୍ତାନ ହିତରେ

ଲୁହ ଧାର ଯେବେ ମାଆ ନୟନର 

କୋଣରୁ କ୍ରମଶଃ ଝରେ

ଅବାଧ୍ୟ ଦୁଷ୍ଟାମୀ ପିଲାଳିଆ ଭାବ

ଭାସି ଯାଏ ଲୁହ ଧାରେ 

ଜହ୍ନ ମାମୁଁ କାଉ ବାୟା ଡାକି ଡାକି

ହାତରେ ଦିଏ ଖୁଆଇ 

ନିଦ ନ ଆସିଲେ ମନ ଗଢ଼ା କଥା

କହେ ପିଠି ଥାପୁଡ଼େଇ 

ଅସୁସ୍ଥତା ବେଳେ ଖିଆପିଆ ଭୁଲି

ଥାଏ ପାଖେ ଦିନରାତି

ଗୋଡ଼ ହାତ ଦେହ ମୁଣ୍ଡକୁ ଆଉଁସି

ଜଗି ବସଇ ସମ୍ପ୍ରତି

ପ୍ରାୟ ସବୁ ଦେବା ଦେବୀଙ୍କୁ ମନାସି

ଆରୋଗ୍ୟ କାମନା କରେ 

ଅସୁସ୍ଥ ଶରୀର ମମତାର ଧାରେ

ସୁସ୍ଥତା ପ୍ରକାଶ କରେ

ମାଆ ପଣତରେ ଧୂଳି ଝାଡି ଦେଇ

ଆକଟ କରଇ କେତେ

ପର ମୁହୂର୍ତ୍ତରେ ଲୋତକ ର ଧାରେ

ଆଦରି ନିଏ ବି ସେତେ

ମାଟି ମାଆ ପରି ସର୍ଵଂସହା ମାଆ 

ଅସୀମ ସହିବା ଶକ୍ତି 

ଅଝଟ ଚଗଲା ଅମାନିଆ ପିଲା

ହୃଦୟକୁ ପାରେ ଜିତି 

ମିଳିପାରେ ଜୀବନରେ ସବୁ କିଛି

ମୂଲ୍ୟହୀନ ଅପଦାର୍ଥ

ସେବାକାରୀ ମାଆ ଚିର ବନ୍ଦନୀୟ

ଜନ୍ମଦାତ୍ରୀ ଥରେ ମାତ୍ର 


ସଭ୍ୟତାର କ୍ରମ ବିକାଶ ଧାରାରେ

ପ୍ରତି କ୍ଷେତ୍ରରେ ବିକାଶ

ଜୀବନଚର୍ଯ୍ୟା ବି ସେହି ଆଧାରରେ 

ହେଉଛି ପରିପ୍ରକାଶ

ମାତା ଆଉ ନିଜ ସନ୍ତାନଙ୍କୁ ସ୍ତନ୍ୟ

ପାନ କରାଇବା ଲୋପ

ସ୍ତନ୍ୟ ପାନେ ଯେଉଁ ଅମୃତର ଧାରା 

ପାଉ ନାହିଁ ସେ ନିଷ୍ପାପ

ଶାରୀରିକ ସୌନ୍ଦର୍ଯ୍ୟର ଅବକ୍ଷୟ

ଚାହୁଁ ନାହିଁ ଆଜି ମାତା

ମୋବାଇଲ୍ ଦେଖାଇ ଖୁଆଏ ପିଲାଙ୍କୁ

ନିଜ ସ୍ବାର୍ଥ ପାଇଁ ଚିନ୍ତା

ମା କୋଳେ ରହି ଜହ୍ନ ମାମୁଁ ଡାକ

ପିଲାଏ ପୂର୍ଣ୍ଣ ଅଜ୍ଞାତ

କାଉ ବାୟା ଭୂତ କଥା ମାତା ମୁଖେ

ହେଉନାହିଁ ଉଚ୍ଚାରିତ । 


ପରିଣତି ବୟସରେ ଉପନୀତ

ହେଲେ ଜନ୍ମଦାତ୍ରୀ ମାତା

ନିଜର ସନ୍ତାନ କରେ ପରିତ୍ୟାଗ

କ୍ରମେ ହୁଏ ଉପେକ୍ଷିତା 

ଜରାଶ୍ରମ ହୁଏ ନୂତନ ଠିକଣା

ରକ୍ତର ସମ୍ପର୍କ ଦୂରେ

ନିଜ ସନ୍ତାନର ମଙ୍ଗଳ କାମନା

ତଥାପି କରେ ହୃଦରେ ।


ବୃଦ୍ଧା ବୟସରେ ବୃଦ୍ଧାଶ୍ରମେ ଛାଡ଼ି

ସନ୍ତାନ ହେବା କି ମୂଲ୍ୟ?

ମାତୃ ଦିବସର ଆୟୋଜନ କରି

ଭାଷଣ କି ସମତୁଲ?

ନିତି ପ୍ରତିଦିନ ସ୍ମରଣ କରୁଛି 

ଜରାଶ୍ରମେ ରହି ମାତା

ଝୁରି ହେଉ ଅଛି ନିଜ ସନ୍ତାନଙ୍କୁ

ଏ କଣ ସହିବା ପ୍ରଥା??

ଆସିବା ଫେରିବା ବେଳରେ ଉଲଗ୍ନ

ଚିରାଚରିତ ଏ ପ୍ରଥା

ଉଲଗ୍ନ ନ ହେଉ ମାଆର ମହତ 

ପୂଜିତା ହେଉ ସେ ମାତା ।


ଦିନୁ ଦିନ ବୃଦ୍ଧି ହୁଏ ବୃଦ୍ଧାଶ୍ରମ

ଚଳନ୍ତି ସଭ୍ୟ ସମାଜେ

ଗୋଟେ ଦିନ ପାଇଁ ମାଆ ସ୍ମରଣୀୟ 

ପ୍ରତ୍ୟୟ ହୁଏ ସହଜେ

ସାହା ଥିଲା ଯିଏ ଆଜି ଅସହାୟା 

ଜୀବନ ଜରାଶ୍ରମ ରେ

ମାତୃ ଦିବସର ଯଥାର୍ଥତା କେତେ

ଚର୍ଚ୍ଚା ହେଉ ସମାଜରେ !!



Rate this content
Log in

Similar oriya poem from Classics