ହରିହର ବେଶ
ହରିହର ବେଶ
ତତ୍ତ୍ଵମୟ ପ୍ରଭୁ ଆହେ ମହାବାହୁ
ତତ୍ତ୍ଵେ ଭରା ତୁମ ଲୀଳା
ନୀଳାଚଳ ଧାମେ ବିଜେ କରି ପ୍ରଭୁ
ଶିଖାଅ ଜୀଇଁବା କଳା ।
ବାରମାସେ ତେର ପରବ ପାଳନ
ତୁମ ବଡ଼ ଦେଉଳରେ
ଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶ
ଭକ୍ତଙ୍କୁ ବିଭୋର କରେ ।
ତୁମେ ବେଶ ହୁଅ ରତ୍ନ ସିଂହାସନେ
ଭକ୍ତ ଭୁଲେ ଅବଶୋଷ
ବେଶରେ ବେଶରେ ମନ ମୋହୁ ଥାଅ
ବେଶ ଦିଅଇ ସନ୍ଦେଶ ।
ବେଶ ମଧ୍ୟେ ବେଶ ହରିହର ବେଶ
ସବୁ ବେଶ ଠୁ ନିଆରା
ଏହି ବେଶ ମଧ୍ୟେ ଗୀତା ତତ୍ତ୍ଵ ବାଣ୍ଟ
ଅଦ୍ଭୁତ ଏ ଧର୍ମଧାରା ।
ଆଶ୍ଵିନ ମାସର ଶୁକ୍ଳ ଏକାଦଶୀ
ପରେ ଯେତେ ସୋମବାର
କାର୍ତ୍ତିକ ମାସର ଶୁକ୍ଳ ଦଶମୀରେ
ଏହି ବେଶ ହୁଏ ଶେଷ ।
ଆଶ୍ଵିନ କାର୍ତ୍ତିକ ଅବଧି ମଧ୍ୟରେ
ପଡ଼େ ଯେତେ ସୋମବାର
ବଡ଼ ଭାଇ ହୋନ୍ତି ହରିହର ବେଶ
ତୁମେ ରାଧା ଦାମୋଦର ।
ବଳଦେବଜୀଉ ହରିହର ବେଶେ
ହୋଇଥାନ୍ତି ବିଭୂଷିତ
ଅଧେ କଳା ଅଧେ ଧଳା ବସ୍ତ୍ରରେ ସେ
ହୋଇଥାନ୍ତି ଯେ ମଣ୍ଡିତ ।
କର୍ଣ୍ଣରେ କୁଣ୍ଡଳ ନାନା ଅଳଙ୍କାରେ
ବଳିଆ ଅପୂର୍ବ ଠାଣି
କଟୀ ଦେଶେ ତାଙ୍କ ଓଡ଼ିଆଣୀ ଦେଖ
ଭକ୍ତ ମନ ନିଏ କିଣି ।
ସ୍ୱର୍ଣ୍ଣର କିରୀଟେ ମଣ୍ଡିତ ପ୍ରଭୁ ଯେ
ଅପୂର୍ବ ଏ ବେଶ ଶୋଭା
ଦେଖିଦେଲେ ପାପ ତାପ କ୍ଷୟ ହୁଏ
ଭକତେ ବିତର ଆଭା ।
ରାଇ ଦାମୋଦର ବେଶେ ବିଦ୍ୟମାନ
ପାଖେ ଯେ କାଳିଆ ସୁନା
ରତ୍ନ ସିଂହାସନ କି ସୁନ୍ଦର ଦିଶେ
ନିଜକୁ ମଣେ ସେ ଧନ୍ୟା ।
ପାପ ତାପେ ତ୍ରସ୍ତ ଭକତ ବୃନ୍ଦଙ୍କ
ସନ୍ତାପେ ହରି ବିବ୍ରତ
ହରଙ୍କୁ କରିଲେ ଅନୁନୟ ସିଏ
ହରିବା ପାଇଁ ସନ୍ତାପ ।
ହର ସ୍ୱୟଂ ପରା ସଂସାରୀ ଅଟନ୍ତି
ହେଲେ ନୁହନ୍ତି ବିବ୍ରତ
ପାର୍ବତୀ ମାତାଙ୍କ ବିବେକ ବିଚାର
କରିଥାଏ ସବୁ ଲୁପ୍ତ ।
ଏହି ବେଶ ଅଟେ ତତ୍ତ୍ଵମୟ ପୁଣି
ଦିଏ ଅମୃତ ସନ୍ଦେଶ
ସଂସାରରେ ରହି ସାଧକ କିପରି
ସଂସାରେ ନୁହେଁ ଆବିଷ୍ଟ ।
ପୁତ୍ର କାର୍ତ୍ତିକେୟ ଷଡ଼ ମସ୍ତିକ ଯେ
ଗଣେଶ ହସ୍ତୀ ମସ୍ତକ
ନିଜେ ପୁଣି ହର ଭସ୍ମ ବିଲେପନ
ସତୀ ନୁହଁନ୍ତି ବିରସ ।
ହରି ଆଉ ହର ନୁହଁନ୍ତି ପୃଥକ
ତତ୍ତ୍ଵମୟ ଭଗବାନ
ହରିହର ବେଶ ଆହା କି ସୁନ୍ଦର
ମନେ ଭରଇ ସନ୍ତୋଷ ।
ଜଣେ ବରଷନ୍ତି ଶାନ୍ତ କାନ୍ତ ଭାବ
ଆଉ ଜଣେ ମୋହ ଶୂନ୍ୟ
ବିବେକ ବିଚାରେ ସଂସାର ଚାଲଇ
ଜୀବନ ହୁଅଇ ଧନ୍ୟ ।
ହରିହର ବେଶ କରେ ବିମୋହିତ
ଶୁଭେ ବାସୁଦେବ ମନ୍ତ୍ର
ଭୟ ଭ୍ରାନ୍ତି ସବୁ ହୋଇ ଯାଏ ଦୂର
ଏ ବେଶ ଦେଖିଲେ ନେତ୍ର ।
ଏ ବେଶେ ତୁମକୁ କରୁଛି ପ୍ରଣାମ
ବିଶ୍ଵ ପାପ ତାପ ହର
ଜୀଇବାର କଳା ଶିଖାଅ ବିଶ୍ଵକୁ
ଦିଅ ବିବେକ ବିଚାର ।