STORYMIRROR

Dr Baman Chandra Dixit

Fantasy

3  

Dr Baman Chandra Dixit

Fantasy

ହେମନ୍ତେ ପ୍ରଭାତ

ହେମନ୍ତେ ପ୍ରଭାତ

1 min
201


ହେମନ୍ତେ କେମନ୍ତ ଶୋଭା ଏ ପୂତ ପ୍ରଭାତ,

ନିଶି ନାସେ ଶାନ୍ତ ସ୍ନିଗ୍ଧ ନିର୍ମଳ ଆକାଶ

ପ୍ରାଚୀ ଦିଗନ୍ତରୁ ପୁଲକିତ ଶିହରଣ

ଧରେନା ଧାରଣୀ ଧୀର ହର୍ଷେ ପୁଲକିତ।।


ସୁରୁଜ ଉଇଁଲେ ଏଠି ନାଲି ନାଲି ଦିଶେ

ଫୁଲେଇ ଧାନ ତା ମଥା ଦୋହଲାଇ ହସେ

ବିସ୍ତୀର୍ଣ୍ଣ ଘନ ସବୁଜ ସମୃଦ୍ଧ ସମ୍ଭାର

କାକର ଭିଜା ସକାଳ ଅନୁପମ ଦିଶେ।।


ମୁଠା ମୁଠା କିରଣ ର ମୁରୁଜ ସୁନେଲି

ବୁଣି ଦେଇଛି ଅରୁଣ ଅଂଶୁ କର ତୋଳି

କୁହୁଡି ହୁଡାଏ ବାଟ ନୋହି ବାଟ ବଣା

ହସୁଛି ଦେଖ ଅରୁଣ ସପ୍ତ ରଙ୍ଗେ ଢଳି।।


ସରସୀ ର ଅଙ୍ଗେ ଢାଳି ରଙ୍ଗ ଘୋଳି ବୋଳି

ରକତ ଜବା ରୁ ଅବା ରଙ୍ଗ ରାଗ ତୋଳି।

ଅବିର , ସିମିଳି  ଅବା , ଧରି କରବୀର

ନିଗାଡି ରଙ୍ଗ ଗୋଳାପୁ ଦେଇଛି କି ଢାଳି।।


ଅଳପ ଚହଲା ରଙ୍ଗ ତରଙ୍ଗ ଚଞ୍ଚଳେ

କମଳ ଦଳ ସମିପେ ସମ୍ଭାସେ ସତ୍ୱରେ

ଆଗତ ପଙ୍କଜ-ପତି ସ୍ୱାଗତ ବାରତା

ପଙ୍କଜିନୀ ତନୁ ତାଡ଼ି ଗୁପତେ ସଞ୍ଚାରେ।।


ତୋଳି ନେତ୍ର ଅବଲୋକେ ଅମ୍ବରେ ଅମ୍ବୁଜ

ଅର୍ଦ୍ଧ ପ୍ରସ୍ଫୁଟିତ  ଅବ୍ଜ , ନେତ୍ର ଅର୍ଦ୍ଧ ମୁକ୍ତ।

ଲଜ୍ୟା ଅଳଙ୍କାରେ ଅଳଙ୍କୃତା ପ୍ରୀତି ଶ୍ରେଷ୍ଠା

ଅନୁରାଗ ଛନ୍ଦେ ବନ୍ଧା ଆସକ୍ତ ଅମ୍ବୁଜ।।


କୁକ୍କୁଟ ମୁକୁଟ ତୋଳି କୁହାଟେ ଉଚ୍ଚାଟେ

କୁହୁ , କୂଜନ , କାକଳି ଦିଗନ୍ତେ ପ୍ରକଟେ

ଚମକେ ଚହଟ ଚମ୍ପା ମାଧବୀ ମାଳତୀ

ଜୁହୀ,ଚାମେଲୀ,କେତକୀ ଯମକେ ଛଟକେ।।


ଝରି ଯାଏ କିରଣର ରେଣୁ କେରୀ କେରୀ,

ପତର ଫାଙ୍କରୁ ଝାଙ୍କି ଦେଖେ ଅଂଶୁମାଳି।

ସଞ୍ଚାରି ସ୍ଫୁରଣ ଅଙ୍ଗେ ଅଙ୍ଗେ ଅବରତ,

ସଂହାରି ଅବଚେତନା, ଜାଗୃତି ହୁଙ୍କାରୀ।।


ପକ୍ଷ ବିସ୍ତାରି ବିହଙ୍ଗେ ବ୍ୟସ୍ତ ବ୍ୟୋମଗାମୀ

କର୍ମ ମୁଖର ସଂସାର , ଆଳସ୍ୟ ବିରାମି

ଅଚଳ ଚୂଳ ବିମୁଖ , ଅରୁଣ  ଚଞ୍ଚଳେ,

ଚଳେ ଅଞ୍ଚଳେ ପ୍ରକାଶ ରେଣୁ ବୁଣି ବୁଣି।।


ଏମନ୍ତ ହେମନ୍ତ ପ୍ରାତଃ ଶୋଭା ଭଣିବାରେ

କାହିଁ  ସାମରଥ  ନାହିଁ ଶବଦ ନିକରେ

ଉତପନ୍ନ ଭାବ , ବ୍ୟକ୍ତ ଅବ୍ୟକ୍ତ ସମ୍ବାଦ

ଅଭାବ ବିଦ୍ୟା ବୈଭବ,ନମେ ଯୋଡ଼କରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy