ହେଲା ଜଳଦସ୍ୟୁ ଭେଟ
ହେଲା ଜଳଦସ୍ୟୁ ଭେଟ
ପୋହଳା ଦ୍ଵୀପରେ ରାଜା ହୋଇଥିଲା
ଦୂର୍ମୁଖ ଅସୁରଟାଏ,
ଭାରି ଅତ୍ୟାଚାରୀ ଜଳଦସ୍ୟୁ ଭାବେ
ତାହାର କୁଖ୍ୟାତି ଥାଏ ।
ଅନୁଚର ତା'ର ରହିଥା'ନ୍ତି ଥୋକେ
ଆଦେଶ ପାଳନ୍ତି ସଦା,
ସାଗରରେ ଯିବା ବୋଇତ ପଦାର୍ଥ
ଲୁଟିବା ତାଙ୍କର ଧନ୍ଦା ।
ଅସ୍ତ୍ର ଶସ୍ତ୍ର ସହ ଆକ୍ରମଣ କରି
ଅପହରି ଥା'ନ୍ତି ଦ୍ରବ୍ୟ,
ଆତଙ୍କରେ ତାଙ୍କ ଅତିଷ୍ଠ ହୋଇକି
ଥାଆନ୍ତି ବଣିକ ସର୍ବ ।
କେତେ ରାଇଜର ସଇନିକ ଗଲେ
ରାଜାଙ୍କ ଆଦେଶ ମାନି,
ଅସୁର ସହିତ ଯୁଦ୍ଧ କରି କେହି
ଜିତି ନ ପାରିଲେ ପୁଣି ।
କଳିଙ୍ଗ ରାଇଜ ସାଧବପୁଅ ଯେ
ଶୁଣିଥା'ନ୍ତି ଏଇ କଥା,
ନ ଡରି ବଣିଜ କରି ବାହାରିଲେ
ପ୍ରସ୍ତୁତ ହୋଇ ସେ ଯଥା ।
କୁହୁକ ଚଷମା ନେଲେ କେତେ ଯୋଡ଼ା
ତୁଚ୍ଛା ନାଲି ରଙ୍ଗ ବୋଳି,
ମଧୁର ପାନୀୟ ତିଆରି ରଖିଲେ
ଭାଙ୍ଗ ଓ ଧତୁରା ଗୋଳି ।
ମହୁମାଛି ଫେଣା କଳା ନାଗ, ବିଛା
ପୂରାଇ ସିନ୍ଧୁକ ଦେହେ,
ଲୁଚିଗଲେ ନୌକା ଭିତର ଗହ୍ୱରେ
ନ ପାଇବେ ଯେହ୍ନେ କିଏ ।
ଦୁଇ ଚାରି ଜଣ ହନୁ ବେଶ ହୋଇ
କରୁଥିଲେ ଖାଲି ନାଟ,
ଚଷମା ପିନ୍ଧିକି ଫଳ ଖାଉଥିଲେ
ହେଲା ଜଳଦସ୍ୟୁ ଭେଟ ।
ଆଗେ ଦେଖିଦେଲା ଚଷମା ଯେମିତି
ପିନ୍ଧି ପକାଇଲା ଜଣେ,
ସବୁଆଡ଼ ତାକୁ ନାଲିଆ ଦିଶିଲା
ନାଚିଲା ଗୋଟାଏ କଣେ ।
ଆଉ କେତେଜଣ ସିନ୍ଧୁକ ଉଠାଇ
ଖୋଲିଦେଲେ ଧନ ଆଶେ,
ମହୁମାଛି ପଲ ବିନ୍ଧି ପକାଇଲେ
ଦେହ ମୁହଁ ଅଣଚାଶେ ।
ସାପ ବିଛା ସବୁ ଦଂଶି ପକାଇଲେ
ହନୁ ପଳାଇଲେ ଡରି,
ଯେତେ ଚେଷ୍ଟା କଲେ ଅସୁର ଗୁଡ଼ାକ
ତାଙ୍କୁ ନ ପାରିଲେ ଧରି ।
କାଲୁବାଲୁ ହୋଇ ତଣ୍ଟି ଶୁଖିଗଲା
ପିଇଲେ ଧତୁରା ପଣା,
କିଛି ବେଳ ପରେ ଚେତା ବୁଡିଗଲା
ପାଟି ହୋଇଲାନି ଶୁଣା ।
ମାଙ୍କଡଙ୍କ ବେଶ ଧରିଥିବା ଲୋକ
ସଙ୍କେତଟି ଦେଲେ ଏବେ,
ଗୁପ୍ତଦ୍ୱାର ଖୋଲି ସାଧବ ଆସିଲେ
ବିଳମ୍ବ ନ କରି ଲବେ ।
ଠାକୁରାଣୀଙ୍କର ପାଟଖଣ୍ଡା ପୂଜି
ଧରିଥିଲେ ସଙ୍ଗତରେ,
ଜୟ ମା' ମଙ୍ଗଳା' କହି ଅସୁରଙ୍କୁ
ନାଶ କଲେ ତତପରେ ।
ପୋହଳା ଦ୍ଵୀପରୁ ଆତଙ୍କ ସରିଲା
ମରିଲା ଅସୁର ରାଜା,
ସାଗର ବକ୍ଷରେ କଳିଙ୍ଗ ରାଜ୍ୟର
ଉଡ଼ିଲା ବିଜୟ ଧ୍ଵଜା ।
