STORYMIRROR

Shashanka sekhar Ray

Tragedy Fantasy

4  

Shashanka sekhar Ray

Tragedy Fantasy

ହେ ଈଶ୍ଵର

ହେ ଈଶ୍ଵର

1 min
375


ହେ ଈଶ୍ଵର

ମୁଁ ଜାଣେନା ତୁମେ କିଏ

କେମିତି ତୁମ ସ୍ଵରୂପ

ମୁଁ ଜାଣେ କେବଳ

ସବୁଜିମା ପୃଥିବୀ ନୀଳ ଆକାଶ

ଆଉ ଧୂସର ମଣିଷ ମାନଙ୍କୁ ।


ଯେତେବେଳେ ମୁଁ ସାଉଁଟୁଥାଏ

ଜୀବନର ବେଳାଭୂମିରେ

ବାସ୍ତବତାର ଶାମୁକାକୁ

ଅକସ୍ମାତ ପାଦ ମୋର ଝୁଣ୍ଟି ପଡେ

ଧର୍ମର ବାଲିବନ୍ଧେ ଆଘାତ ପାଇ ।


ଛୋଟ ଶିଶୁଟିଏ ପରି ଟାଣି ନିଅନ୍ତି

ସେମାନେ ମୋ ହାତ ଧରି

ଝୁଣ୍ଟି ପଡିବାର ଭୟେ

ନିର୍ଦ୍ଦେଶ ଦିଅନ୍ତି ଚାଲିବାକୁ ମୋତେ

ପୂର୍ବ ପୁରୁଷଙ୍କର ଭୌଗଳିକ ମାନଚିତ୍ର ଦେଖାଇ ।


ଛୁଆଁ ଲାଜକୁଳୀ ସମ ଲାଜେଇ ଯାଏ ମୁଁ

ନୂଆଁବୋହୂ ପରି କିଛି ମାସ ଯାଏଁ

ସେତେବେଳେ ଛୋଟ ଛୋଟ ଆଖି କୁହେ ମୋର

କୁସଂସ୍କାରର ଓଢଣୀ ତଳେ

ସତେ ଯେମିତି ଏ ପୃଥିବୀଟା

କମଳା ଲେମ୍ଵୁଠାରୁ ଆହୁରି ଛୋଟିଆ  ।


ସବୁକିଛି ମୋତେ ଏଠି ବିଚିତ୍ର ଲାଗେ

ଯାଦୁକରର କାଉଁରୀ ମନ୍ତ୍ରପରି

କିଛି ମୁଁ ପାରେନି ବୁଝି

ଅବୁଝା ଶିଶୁର ମନ ନେଇ

ପୋଷା ବିଲେଇ ଛୁଆ ପରି

ଜାକିଜୁକି ଚାହିଁ ରହିଥାଏ

ପ୍ରଶ୍ନବାଚୀ ଆଖି ଦୁଇଟି

ମୋର ଜୁଳୁଜୁଳୁ ହୋଇ ।


ତୁମେ କଣ କହିଥିଲ

ମୋତେ ବନ୍ଦୀ କରିଦିଅ 

ଏକ ଅନ୍ଧାରିଆ କୋଠରୀରେ

ମୋ ମାଂସକୁ ଟିକ୍ ଟିକ୍ କରି

ଚିରିନିଅ ହେ ମଣିଷମାନେ

ଅହଂକାରର ମାପକାଠିରେ ମୋତେ ତଉଲିନିଅ

କିମ୍ଵଦନ୍ତୀ ଆଉ ଧର୍ମଗ୍ରନ୍ଥର ବଟକରା ପକାଇ ।


ସମୟର ଭଗ୍ନଶିଳାରେ ପାଉନି ମୁଁ

କାହିଁ ତୁମ ପୂର୍ଵ ସ୍ମୃତି ଆଉ ସ୍ଵରୂପ

ଶୁଭୁଛି କେବଳ ସବୁଆଡେ ଏଠି

ଡେଣାକଟା ଶ୍ରାବଣର

ଚେଁ ଚାଁ ବିକଟାଳ ରାବ

ଆଉ

ଧର୍ମର ଖୋଳପାରେ ଅଣନିଶ୍ଵାସୀ 

ନାୟକମାନଙ୍କର ଭୀମ ହୁଙ୍କାର ।


ପାଣିରେ ଥିବା ମାଛ କହୁଛି

ମୁଁ ଭାରି ଶୋଷିଲା ଏଠି

ଚାତକର ଆଖିରେ ସେ ଦେଖୁଛି

ମୃଗନାଭୀ କସ୍ତୁରୀ ମନଟା ତାର

ଧାଇଁ ଚାଲିଛି

ନିଛାଟିଆ ଉଦୁଉଦିଆ ଖରାବେଳେ

ନିଜ ବିଶ୍ଵାସକୁ ନିଜେ ଚୋବାଉଛି

ଲୁଣ ମାଟି ଆଟିକା ଖାଇଲା ପରି ।


ମୁଁ ଜାଣେନା ଧର୍ମ କଣ ତୁମେ କିଏ 

ଚାରିଆଡେ ଖାଲି ତୁମ ନାମେ

ମରୀଚିକାର ଚକ୍ରବ୍ଯୁହ

ସେଥିରେ ମୁଁ ଅସହାୟ ଅଭିମନ୍ଯୁ

କାନଡେରି ଅପେକ୍ଷା କରିଛି ଶୁଣିବାକୁ 

ବିବେକର ଆଦେଶକୁ

ଆଉ

ଜୀବନଟା ମୋର ସ୍ପଷ୍ଟ ପଢିପାରୁଛି

ରଙ୍ଗ ବାସନା ସ୍ଵରୂପ ହୀନ

ସତ୍ୟତାର ପରିଭାଷାକୁ ।


Rate this content
Log in

Similar oriya poem from Tragedy