STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ହାଏରେ‌ କପାଳ

ହାଏରେ‌ କପାଳ

1 min
123

ରୋଷେଇ ଗ୍ୟାସ୍‌‌ର ଦାମ୍ ବଢିଗଲେ

  ମୋ ପେଟ ଗ୍ୟାସ୍ ବଢେ 

ପେଟ୍ରୋଲ ଡିଜେଲ ରେଅଟ୍ ଚଢିଲେ 

  ମୁଣ୍ଡେ ମୋ ପ୍ରେସର ଚଢେ।


ଦୋକାନୀ ଝୁଡ଼ିରେ ନାଲି ଟମାଟର‌

  ଠୋ‌ ଠୋ‌ ହସୁଥାଏ 

ମୋ ଭଳି ଲୋକଙ୍କୁ ପରିହାସ କରି

  ଧନୀଙ୍କୁ ସେ ଡାକୁଥାଏ।


ସୋରିଷ ତେଲକୁ ଦୁଇ ଶହ ନେଇକି

  ଟଙ୍କେ ଚାଉଳେ କି ଲାଭ 

ରାସନ ବିଜୁଳି ବଢେଇ ଦେଇକି

  କଣ୍ଟ୍ରାକର ସଙ୍ଗେ ଭାବ।


ଡାଲି ଚାଲିଯାଏ ଦୂରେଇ ଦୂରେଇ

  ଦୁଃଖୀ ହାତ ପାଏ ନାହିଁ 

ଯୋଜନା ଜାଲରେ ଗରୀବଟି ପଡ଼ି

  ଛଟପଟ ହୁଏ ସେହି।


ବାତ୍ୟା କଥା ଶୁଣି ଆମ ସେ ଦୋକାନୀ

  କହେ ସରିଗଲା ଲୁଣ 

ଯଦିବା କଷ୍ଟରେ ଦିଏ କିଛି ଲୁଣ

  ଟଙ୍କା ନିଏ ଚାରି ଗୁଣ।


ନାହିଁ କଟକଣା ଯେ ବାଟମାରଣା

  ହେଉଛି ରାସନ ଦ୍ରବ୍ୟ 

ହୁ ହୁ ହୋଇ ବଢୁଛି ଦ‌ଅର

   କା' ପାଇଁ କେତେ ଗଣିବ?


ଯଦି ବାଇକିଟି‌ କରଜ‌ କରିକି

  କଷ୍ଟେ ମଷ୍ଟେ‌ କେ ଆଣୁଛି 

ଆମରି ଧନର ରାସ୍ତା ପାଇଁ ଆଗ

  ରୋଡ୍‌ ଟ୍ୟାକ୍ସ ଦେଉଅଛି।


ରେଜିଷ୍ଟ୍ରେସନରେ ସରକାର ପୁଣି

  ପ‌ଇସା ନିଅନ୍ତି ଛାଣି 

ପେଟ୍ରୋଲ ଦେଢ଼ଶହ ଟ୍ୟାକ୍ସ ପଚାଶ

  ଆମେ ପୁଣି ଗଣିଲୁଣି।


ପଲ୍ୟୁସନ ସାର୍ଟିଫିକେଟ ବାବଦେ

  ପ୍ରତି ଛ‌ଅ ମାସେ ଥରେ 

ଗାଡ଼ି ଚଲେଇଲେ ଡି‌.ଏଲ୍‌.ପାଇଁ

  ପ‌ଇସା ଦେବାକୁ ପଡେ।


ଏମିତି ଖଜଣା ଜଳକର ଠାରୁ

   ମୋବାଇଲ ଫୋନ ଯାଏ 

ରାସନ ସାମଗ୍ରୀ ବାବଦେ ଆମକୁ

   ଟ୍ୟାକ୍ସ ଦେବାକୁ ହୁଏ।


ଲୋକେ ଦେଖିବାକୁ ମାଗଣା ଚିକିତ୍ସା

   ଫ୍ରି ଆହାର ମିଳୁଛି 

ଚିନ୍ତା କଲେ ଜଣା ପଡିଯିବ ଏଠି

   କେଉଁ ରହସ୍ୟ ରହିଛି?


ତେଣୁ କେତେ ଦେଉ କେତେ ପୁଣି ନେଉ

   ହିସାବ ନିକାଶ କର 

ମୋ ସରକାର ନାମରେ କ‌ଅଣ

  ପେଟ ପୁରେ ଗରୀବର?


ଘରେ ମୋ ଘରଣୀ ଧରିକି ଛାଞ୍ଚୁଣି

  ହୁକୁମ ସେ ଦେଉଥାଏ 

ମୋ' ପୁଅ କାହିଁକି ମୂରୁଖ ହେଉଛି

  ତା' ପୁଅ କନ୍‌ଭେଣ୍ଟ୍ ଯାଏ?


ସିଏ ଜାଣୁ ନାହିଁ ଉପୁରି ପ‌ଇସା

  ମୋର କିଛି ନାହିଁ ବୋଲି 

ଭାଗ୍ୟ ଖରାପରୁ ମୋ ଭଳି ବେକାର

  ବେକାରରେ‌ ସହେ ଗାଳି।


ପାଣିରେ କୁମ୍ଭୀର ଜଙ୍ଗଲରେ ବାଘ

  ମୁଁ ଗୋଟେ ନିରୀହ ଜୀବ 

ଗୋବିନ୍ଦଙ୍କୁ ଭଜି‌ ପଡ଼ିଛି ଏଠାରେ

  ଯାହା ମୋ କପାଳେ ଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy