ନେଡି ଗୁଡ଼ କହୁଣୀରୁ ଚାଟିବା ମୁସ୍କିଲ
ନେଡି ଗୁଡ଼ କହୁଣୀରୁ ଚାଟିବା ମୁସ୍କିଲ


ରୀନା ପିଲଦିନେ ଗୋଟେ ଗପ ଶୁଣିଥିଲା ଜେଜେଙ୍କଠାରୁ କି ଗୋଟିଏ ଗାଁରେ ଜଣେ ବୁଢା ଲୋକ ଥିଲା ଯିଏ କି ତାର ଚାରିପୁଅଙ୍କୁ ଅଳସୁଆ ଦେଖି ଖୁବ ଚିନ୍ତିତ ରହୁଥିଲା. ବୁଢା ଲୋକ ଯେତେବେଳେ ସତକୁ ସତ ବୁଢା ହୋଇ ମରିବାକୁ ବସିଲା ତ ଚାରିପୁଅଙ୍କୁ ପାଖକୁ ଡାକି କହିଥିଲା ଦେଖ ଘରର ମୁରବୀ ହିସାବରେ ଏ ବୁଢା ପରିଶ୍ରମ କରି ତୁମମାନଙ୍କୁ ଏଯାଏଁ ଚଳେଇ ଆସିଲା. ଏଣିକି ମୋ ଅନ୍ତେ ତୁମେ ସବୁ କେମିତି ଚଳିବ ଭାବି ମୋ ମୃତ୍ୟୁ ଶଯ୍ୟାରେ ମଧ୍ୟ ମତେ ଘୋର ଚିନ୍ତା କରିବାକୁ ପଡିଛି ଆଉ ସମାଧାନର ବାଟ ହେଉଛି ଆମ ଗାଁ ଘର ବାଡ଼ିପଟକୁ ଲାଗି ଯୋଉ କୋଡିଏ ଏକର ଅନାବାଦୀ ଜମି ଅଛି ତା ତଳେ ପୋତିଥିବା ସୁନା ହାଣ୍ଡିଟିକୁ ତୁମେ ଖୋଳି ପାଇଗଲେ ବାକି ଜୀଵନ ଆରାମରେ କଟେଇ ଦେଇପାରିବ. ପୁଅ ଚାରିଜଣ କଥା ଦେଲେ ହଁ ବାପା ଆମେ ଜମି ଖୋଳିଵା ପରିଶ୍ରମ କାମ କରି ଯେମିତି ହେଲେ ସେଇ ସୁନା ହାଣ୍ଡିକୁ ହସ୍ତଗତ କରି ଭଲରେ ଚଳିବୁ. ବୁଢା ଏଥର ଶାନ୍ତିରେ ଶେଷ ନିଶ୍ୱାସ ତ୍ୟାଗ କଲେ. ବୁଢାଙ୍କ ଶୁଦ୍ଧି କ୍ରିୟା ସମାପନ କରିସାରିବା ପରେ ଦିନ ବାର ତିଥି ଦେଖି ଘର ପଛପଟେ ଥିବା ଜମିକୁ ଖୋଲିଚାଲିଲେ ଚାରିଭାଇ. ଏମିତି ଖୋଳି ଖୋଳି ସପ୍ତାହ, ମାସ ବିତିଲା ପଛେ ସୁନା ହାଣ୍ଡି ମିଳିନଥିଲା କିନ୍ତୁ କୋଡିଏ ଏକର ଜମି ଖୋଳା କାମ ସରିଥିଲା ତ ଗ୍ରାମର ଅନ୍ୟ ଗୁରୁଜନମାନଙ୍କ ପରାମର୍ଶକ୍ରମେ ବର୍ଷା ପୂର୍ବରୁ ଓ ପରେ ଧାନ ବୁଣି ଦେଖିଲେ ଧାନ କ୍ଷେତରେ ସୁନାରଙ୍ଗର ପାଚିଲା ଧାନର ଲହଡି ଖେଳୁଛି. ଏତେ ବେଳକୁ ସେମାନଙ୍କର ହୃଦବୋଧ ହୋଇଥିଲା କି ସେମାନଙ୍କୁ ପରିଶ୍ରମ କରିବାକୁ ବାପା ଏପରି ସୁନାହାଣ୍ଡି କଥା କହିଥିଲେ. ଯା ହେଉ ସେ ଚାରିଭାଇ କିନ୍ତୁ ଆହା ସାହା ରାହା ପାଇ ଖୁବ ଖୁସିରେ ଜୀଵନ ନିର୍ବାହ କରିପାରିଥିଲେ.
ଏ କଥାଟି ରୀନା ଶୁଣିଥିଲା ଜେଜେଙ୍କ ଠାରୁ କିନ୍ତୁ ଭୁଲି ଯାଇଥିଲା. ଆଜି ପାଠ ଶାଠ ସହ ସେ ସୁନ୍ଦରୀ ଶିକ୍ଷିତା ଓ ରୋଜଗାରକ୍ଷମ ସେବାକାରୀ ନର୍ସ ଥିବାରୁ ଭଲ ସ୍ୱାମୀଟିଏ ଖୋଜୁଥିଲା ନିଜ ପସନ୍ଦର. ସେଦିନ ହସ୍ପିଟାଲରେ ବହୁଦିନରୁ ଚିକିର୍ଛିତ ହୋଇ ପଡ଼ିଥିବା ଜଣେ ବୁଢାଲୋକ ତାଙ୍କ ପୁ
ଅମାନଙ୍କୁ ଡାକି କଣ ସବୁ କହୁଥିବାର ଶୁଣିଲା ରୀନା.ବୁଢା ବଡ଼ପୁଅକୁ କହୁଥିଲେ ଗ୍ରୀନଲ୍ୟାଣ୍ଡ ପାଖେ ଥିବା କୋଡିଏଟି ଦୋକାନ ତୋ ଅଧୀନରେ ରହିଲା ତା ତଳ ପୁଅକୁ ବୁଢା ଲାଲ ବଜାର ଅଞ୍ଚଳର କୋଡିଏଟି ଦୋକାନର ଅଧିକାରୀ ହେବାକୁ କହିଲେ ଏମିତି ସବୁ ଚାରି ପୁଅଙ୍କୁ କହିବାପରେ କାନ୍ଦୁଥିବା ବୁଢୀ, ତାଙ୍କ ସ୍ତ୍ରୀଙ୍କୁ କହିଲେ ମୋର ଆଉ ଯାହା ରହିଲା ସେସବୁ ତୁମ ଅଧୀନରେ ରହିଲା. ତିନିପୁଅ ତ ବିବାହ କରିସାରିଛନ୍ତି. ସାନପୁଅକୁ ବିବାହ ଦେଇ ବୋହୁ ଆଣିଲା ପରେ ତୁମେ ତୁମ ଅଧୀନରେ ଥିବା ଗୋଦାମ ତାକୁ ଦେଇପାର. ଏସବୁ କହିବା ପରେ ବୁଢା ଚାଲିଗଲେ ସତ କିନ୍ତୁ ରୀନା ଏତେ ସେବା ଶୁଶୃଷା ଯୋଗାଇଦେଇଥିବାରୁ ତାକୁ ସେହି ପରିବାର ଲୋକ ଧନ୍ୟ ଧନ୍ୟ କଲାବେଳେ ରୀନା ବୁଢ଼ୀଙ୍କ ଚତୁର୍ଥ ପୁଅଙ୍କୁ ବିବାହ କରିବାକୁ ଚାହେଁ ବୋଲି କହିଥିଲା. କାରଣ ସେ ବୁଢ଼ାଙ୍କ କଥାରୁ ଜାଣିଥିଲା ସେ ଜଣେ ବଡ଼ ଗୋଦାମ ମାଲିକ. ଏଣିକି ତାକୁ ଆଉ ନର୍ସ ଚାକିରୀ କରିବାକୁ ପଡ଼ିବନି.ତା ଛଡା ବୁଢ଼ାଙ୍କ ସେବା କଲା ଭିତରେ ତାଙ୍କ ଚତୁର୍ଥ ପୁଅର ସୌନ୍ଦର୍ଯ୍ୟ,ବଳ, ବୁଦ୍ଧିରେ ରୀନା ସନ୍ତୁଷ୍ଟ ଥିଲା କାରଣ ସବୁଦିନ ବାପାଙ୍କୁ ହିସାବ ପତ୍ର ବୁଝେଇ ତାଙ୍କ ମନୋବଳ ଦୃଢ଼ କରିବାରେ ସାନପୁଅ ହିଁ ସମର୍ଥ ଥିଲା. ତ ବାହାଘର ବହୁ ଆଡମ୍ବରରେ ହୋଇଗଲା ଓ ରୀନା ତାଙ୍କ ଗାଁକୁ ବୋହୁ ହୋଇ ଖୁସିରେ ଚାଲିଗଲା.
ବାହାଘର ପରେ ରୀନା ତା ଶାଶୁଙ୍କୁ କହିଥିଲା ମାଆ ଆମର ତ ଏତେ ସାରା ଗୋଦାମ ଏ ଗାଁ ଓ ସହରର ଗଳି କନ୍ଦିରେ ଅଛି ତ ଶଶୁର କହିଥିଲେ ମତେ ଆପଣଙ୍କ ପାଖେ ଥିବା ଗୋଦାମର ଦାଇତ୍ୱ ଦେଲେ ମୁଁ ତାର ଦେଖାଶୁଣା କରନ୍ତି. ଶାଶୁ ଖୁବ ଖୁସି ହୋଇ ରୀନାକୁ ଗୋଦାମ ବୋଲି ଯେଉଁଠିକୁ ନେଲେ ତାହା ଏକ ଗୋଶାଲା ହିଁ ଥିଲା ଓ ତାର ଦେଖାଶୁଣା କରି ଯେଉଁ ଦୁଗ୍ଧ ଉତ୍ପାଦନ ହେଉଥିଲା ତାକୁ ନେଇ ପୁଅ ମାନେ ପିତା ବାଣ୍ଟିଥିବା ଗାଁ ଓ ସହରର ଗଳି କନ୍ଦିରେ ଥିବା ଦୋକାନ ଵା ଉପଗୋଶାଲା କେନ୍ଦ୍ରକୁ ଯୋଗାଇ ପଇସା ରୋଜଗାର କରୁଥିଲେ. ରୀନା ମୁଣ୍ଡ ଗୋଳମାଳ ହୋଇଗଲା. ସକାଳେ ନିଜ ଟ୍ରଲି ବ୍ୟାଗ ସଜାଡି ଷ୍ଟେସନ ଯିବା ପୂର୍ବରୁ ଜେଜେଙ୍କ ଗଳ୍ପର ପ୍ରଚ୍ଛଦ ନାୟିକା ହିଁ ସେ ନିଜେ ବୋଲି ବୁଝିସାରିଥିଲା.