STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଜାତି, ଜାତକ, ଯୌତୁକ

ଜାତି, ଜାତକ, ଯୌତୁକ

2 mins
311


କିଏ ସେ ଗଢିଲା ଛତିଶି ପାଟକ

    ଜାତି,ଜାତକ, ଯୌତୁକ,

ମଣିଷ ଭିତରେ ବଡ଼ ସାନ କରି

    ସମ୍ପର୍କେ କଲା ଫାଟକ‌?


ରକ୍ତ‌ ଭଣ୍ଡାରରେ‌ ରକ୍ତ ଗ୍ରୁପ୍‌ ହୁଏ

    ଜାତି ତ ଲେଖା ହୁଏନି, 

ହିନ୍ଦୁ ମୁସଲିମ ଖ୍ରୀଷ୍ଟ ଦେହେ କ'ଣ

     ଗୋଟିଏ ରକ୍ତ ବହୁନି?


ଜାତି ଜାତକ ଓ ଯୌତୁକ ଅମେଳେ

     ବିବାହ ପ୍ରସ୍ତାବ ଭାଙ୍ଗେ,

ଉପଯୁକ୍ତ ପାତ୍ର ଦେଖ ଖୋଜା ଚାଲେ

     ଯେଝା ଯେଝା ଜାତି ସଙ୍ଗେ।


ବ୍ରାହ୍ମଣ,କ୍ଷେତ୍ରୀୟ,ବୈଶ୍ଯ,ଶୁଦ୍ର ଆଦି

     ବର୍ଣ୍ଣ ଭେଦ ସୃଷ୍ଟି କରି,

ମଣିଷ ଭିତରେ ଉଚ୍ଚ ନୀଚ୍ଚ ଭାବି

     କିଏ କରିଛି ପାଚେରୀ?


ଇନ୍ଦିରା ଗାନ୍ଧୀଙ୍କ କଥା ଥରେ ଭାବ

      ମୁସଲିମ ବର କଲେ,

ରାଜୀବଙ୍କ ଭଳି ଦେବ‌ ପ୍ରତିମାକୁ

      କିପରି ଜନ୍ମସେ ଦେଲେ?


ହୀନ ବ୍ୟକ୍ତିଙ୍କର ଶୁଣାଯାଏ ଉକ୍ତି

      ବର୍ଣ୍ଣ ଶଙ୍କର ଶବ୍ଦଟି,

ଦୁନିଆଁ ଆରମ୍ଭ ପୌରାଣିକ ତତ୍ତ୍ଵେ

      ମୂଳରୁ ପରା ସେମିତି।


ପରାଶର ଋଷି ହୋଇ ବ୍ରହ୍ମ ଦର୍ଶୀ

      ମତ୍ସ୍ୟଗନ୍ଧା କନ୍ୟା ହରି,

ବ୍ଯାସଦେବଙ୍କୁ‌ ସେ ଜନ୍ମ ଦେଇଥିଲେ

      କୁହ ସେ ଥିଲେ କିପରି ?


ସେତେବେଳେ ଯଦି ମିଡିଆ ଥାଆନ୍ତା

      ପରାଶର‌ ମହର୍ଷିଙ୍କୁ,

ଦୁଷ୍କର୍ମ କେସ୍‌ରେ ଛନ୍ଦି ତାଙ୍କୁ କ'ଣ

      ନେଇଥାନ୍ତା‌ ଜେଏଲକୁ ?


ଆମେ ତ ସବର୍ଣ୍ଣ ସିଏ ହରିଜନ

      କିଏ ଏହା ଉଠାଇଲା,

ଅଛୁଆଁ ଶବର ବିଶ୍ଵାବସୁ କାହିଁ

      ନୀଳମାଧବ ପୂଜିଲା‌ ?


ଶବରୀ ଅଇଁଠା କୋଳି ଖାଇଥିଲେ

      କାହିଁ ପ୍ରଭୁ ରଘୁବୀର,

 କିକାରଣେ ମାଆଲକ୍ଷ୍ମୀ ବିଜେ କଲେ

      ଶ୍ରୀୟା ଚାଣ୍ଡାଳୁଣୀ ଘର ?


ଭାଗବତେ ଜାଣୁ ସାୟମ୍ଭୁବ‌ ମନୁ

      ପ୍ରଥମ ପୁରୁଷ ଥିଲେ,

ସତ୍ଯରୂପା ନାରୀ ବରଣ‌ ସେ କରି

      ସଂସାର ଆରମ୍ଭ କଲେ।


ମୁନି ସମାଜ ଏ ଆମ କୂଳ ଗୋତ୍ର

      ଆମେ ମୁନି,ଋଷିଙ୍କର,

ନାଗସ୍ଯ,କଶ୍ୟପ,ଅତ୍ରୀ‌ , ଭରଦ୍ୱାଜ

      ମାଣ୍ଡୁସ୍ ଓ ପରାଶର।


ବୈଦିକ କାର୍ଯ୍ୟରେ ଯଜ୍ଞହୋମ କାଳେ

      ଏମାନଙ୍କ ନାମ ନେଉ,

କି କାରଣେ ପୁଣି ବିଭାଘର‌ ବେଳେ

      ଜାତି ଭେଦ ଆଣୁଥାଉ?


ଯଦି ପୁରାଣରେ ଜାତିପ୍ରଥା ଥାନ୍ତା

      ଭୀମସେନ ବେଲାବଳୀ,

ମାନବ ରାକ୍ଷସୀ ମଧ୍ଯରେ ବିବାହ

      ସମ୍ଭବ ହେଲା କିପରି ?


ବ୍ରହ୍ମ ଜାଣେ ଯିଏ ବ୍ରାହ୍ମଣ ସେ ହୁଏ

      ଯଦି ପୁରାଣ କହୁଛି,

ତେଣୁ ସାଲବେଗ ପ୍ରକୃତ ବ୍ରାହ୍ମଣ

      ଏହି ଯୁକ୍ତି ମୁଁ ବାଢୁଛି।


ଜାତି ଦ୍ଵାହୀ ଦେଇ ବ୍ରାହ୍ମଣଟି ଯଦି

      ମଦ ମତ୍ସ୍ୟେ ଲିପ୍ତ ଥାଏ,

ଜାତି ବ୍ରାହ୍ମଣ ଓ ପ୍ରକୃତ ବ୍ରାହ୍ମଣ

      କଥା ଏଠି ଉଠିଥାଏ। 


କେଉଁ ପରିଚୟେ ଅହଂକାର ଏତେ

      ଶ୍ରେଷ୍ଠ ଜାତି ପ୍ରଚାରରେ,

ମଣିଷ ପଣିଆ ସମଦର୍ଶୀଭାବ

      ମଣିଷକୁ ଶ୍ରେଷ୍ଠ କରେ।


ବ୍ରାହ୍ମଣ ବି ଏଠି ପିଅନ ହେଉଛି

      ହରିଜନ ରାଷ୍ଟ୍ରପତି,

କେଉଁ କାରଣରୁ ମନେ ଏତେ ଗର୍ବ

     କହୁଅଛ ଶ୍ରେଷ୍ଠ ଜାତି?


ଯଦି ପଚାରିବେ ମୁସ୍‌ଲିମ୍ ଭାଇଙ୍କୁ

      କୁହେ ସେ ମୁସଲମାନ,

କିନ୍ତୁ ହିନ୍ଦୁଟିଏ ହିନ୍ଦୁ କହେ ନାହିଁ

      କୁହେ ଶୁଦ୍ର କି ବ୍ରାହ୍ମଣ।


ହୁଅନ୍ତୁ ଶ୍ରୀକୃଷ୍ଣ ଠାକୁର ଶ୍ରୀରାମ

      ଯୁଧିଷ୍ଠିର, ଦୁର୍ଯ୍ୟୋଧନ,

ତାଙ୍କ ନାମ ପଛେ କେଉଁ ଟାଇଟେଲ‌

      ଲାଗେ କୁହ ବିଜ୍ଞଜନ?


କେଉଁଠୁ ଆସିଲେ ହଜାର ପ୍ରକାର

      ଜାତି ବର୍ଣ୍ଣର ମଣିଷ,

ଯିଏ ଜାତିଭେଦ ଉଠାଉଛି ଏଠି

      ସେହି ପ୍ରକୃତ ଅସ୍ପୃଶ୍ୟ।


ଗୀତା ପୁରାଣଠୁଁ ସମ୍ବିଧାନ ଯାଏ

      ଗୋଟିଏ ପ୍ରମାଣ ଦେଖ,

ସକଳ ଘଟରେ ବିଜେ ନାରାୟଣ

      ମଣିଷଜାତିଟି‌ ଏକ।


ଏ ସାରା ବସୁଧା ଆମରି କୁଟୁମ୍ବ  

      ଆମେ ସବୁ ଆପଣାର,

ନାହିଁ ଭିନ୍ନାଭିନ୍ନ ଆମେରେ ସମାନ

      ଗୋଟିଏ ପକ୍ଷୀର ପର।


ଜାତି, ଜାତକ ଓ ଯୌତୁକ ମିଳାଇ

      ବିଭ୍ରାନ୍ତିରେ‌ ପଡ଼ ନାହିଁ,

ବଡ଼ ସାନ ଛାଡି ହୁଅ କୋଳାକୋଳି

       ଛାତିରେ ଛାତି ମିଶାଇ।



Rate this content
Log in

Similar oriya poem from Comedy