କଳେଇ ବୁଢୀ
କଳେଇ ବୁଢୀ
ଫାଳିଆ ପାଟିରେ ମାଳିଆ ମାଆଟା
ରାଉ ରାଉ ହେଉଥାଏ
କଥାକଥାରେ ସେ ସଭିଙ୍କ ସାଙ୍ଗରେ
କଳି ପୁଣି କରୁଥାଏ।
ଟୋକେଇକାଖେଇ କାନିଖୋସିଦେଇ
ପତର ଗୋଟେଇ ଯାଏ
ଅହରହ ପାଟି କରୁ ଥାଏ ଅବା
କାହାକୁ କି ମାନୁ ଥାଏ?
ହାତ ଉଠାପଣ ଅଛି ବୋଲି କିନ୍ତୁ
ତାକୁ ସମସ୍ତଙ୍କ ଡର
କାଇଦାରେ ଚୋରି କରିନିଏ ପୁଣି
ଜିନିଷ ବେପାରୀଙ୍କର।
ପୁଅ ବୋହୂ ମାନେ ଖଟୁଥାନ୍ତି ସିନା
ସୁଖଶାନ୍ତିଟି ନଥାଏ
କଳେଇ ବୁଢୀଟା ବିନା କାରଣରେ
ପାଟିଗୋଳ କରୁଥାଏ।
ସମସ୍ତେ ତାହାକୁ ଅଶାନ୍ତି ପାଆନ୍ତି
କହୁଥାନ୍ତି କଳିହୁଡି
କିନ୍ତୁ ସେ କାହାକୁ ବିନା ଗାଳିଦେଇ
ଦିଏନା ଯିବାକୁ ଛାଡ଼ି।
ସବୁବେଳେ କହେ ରାଣ୍ଡ ଯମ ଯଦି
ମତେ ନେଇ ସେ ଯାଆନ୍ତା
ୟାଙ୍କରି ଜାଳାରୁ ଚାଲିମୁଁ ଯାଆନ୍ତି
ଦିନ ମୋର ସରିଯାନ୍ତା।
ମାଳିଆ ମାଆକୁ ବେମାର ହୋଇଲା
ମେଡ଼ିକାଲ ସିଏ ଗଲା
ଦୁଇଦିନ ପରେ ମରିଗଲା ବୋଲି
ଡାକ୍ତର ଘୋଷଣା କଲା।
ଘର ଲୋକ ମାନେ କୋଭିଡ ନିୟମ
ମାନି ଶବ ନେଇଗଲେ
କୋକେଇରେ ବାନ୍ଧି ଗାଁ ମଶାଣୀକୁ
ଟଲିରେ ପକାଇ ନେଲେ।
ନିଜ ଘର ଲୋକ ଛଡ଼ା ଅନ୍ୟ କେହି
ଶବସହ ଗଲେ ନାହିଁ
କରୋନା ଭୟରେ ଶବ ସଂସ୍କାରରେ
ଭାଗିଦାର ହେଲେ ନାହିଁ।
କାଠ ସଜାଡିଲେ ସଙ୍ଗାଡି ଲଦିଲେ
ନିଆଁ ଲଗାଇବା ବେଳେ
ମାଳିଆ ମାଆ ଯେ ଉଠି ସଙ୍ଗାଡିରୁ
ନିର୍ଧୂମ କାଢଣା କାଢେ।
ବାଡିପଡା ଆରେ ରଇଜଳା ମୋତେ
ପୋଡିବାକୁ ଆଣିଅଛ
ଝାଡାବାନ୍ତିଆରେ ମୁଁ ତ ବଞ୍ଚିଛି
ତମେ ଦେଖି ନ ପାରୁଛ।
ମାଳିଆ ମାଆକୁ ଭୂତ ଭାବି ସର୍ବେ
ଦଉଡି ପଳେଇଗଲେ
ଆସ୍ତେ ଆସ୍ତେ ବୁଢୀ ଆସି ସିଏ ପୁଣି
ପହଞ୍ଚିଲା ନିଜ ଘରେ।
ଘରଲୋକ ଡରି ମାଳିଆ ମାଆର
ଭୂତ ଆସିଛି କହିଲେ
ଯେତେ କହିଲେ ବି ବୁଢୀକୁ ଆଉ ସେ
 
; ଘରେ ପୁରେଇ ନ ଦେଲେ।
ସେହିଦିନ ବୁଢୀ ଗାଁ ବରଗଛ
ମୂଳରେ ତ ରହିଥିଲା
ଯାହାକୁ ଦେଖିଲା ଗାଳି ସିଏ ଦେଲା
ଯମକୁ ପୁଣି ଡାକିଲା।
ଯମ ଠିକ୍ ଆସି ବୁଢୀ ପାଖରେ ଯେ
ହଠାତ୍ ପହଞ୍ଚି ଗଲେ
ଚାଲ୍ ମୋ ସହ ଆସିଛି ମୁଁ ଯମ
ଗେଲରେ ସେ କହିଦେଲେ।
ବୁଢୀ କହୁଅଛି ଆରେ ଯମରାଜା
ମୋ କଥାକୁ ଶୁଣ ଭଲେ
ଆସି ନେଇଯିବୁ ଆର ବରଷକୁ
ନାତିଟିଏ ଜନ୍ମ ହେଲେ।
ଯମ କହୁଛନ୍ତି ନାଇଁଲୋ ମାଉସୀ
ଆୟୂଷ ତୋ ପୁରି ନାହିଁ
ଯେତେ ଗାଳି କରି ମୋତେ ତୁ ଡାକିଲେ
ନେଇ ପାରୁଛି କି ମୁହିଁ?
ଦଣ୍ଡେ ନିମିଷକେ ଆୟୂଷ ତୋ ଥିଲେ
ଯମ କିବା ନେଇପାରେ
ମୁଁ ମୃତ୍ୟୁ ଦେବତା ନାହିଁ ମୋ କ୍ଷମତା
ନେବା ପାଇଁ ଅବେଳରେ।
କଳି କଲୁ ଯେଣୁ ମିଛେ ତୋତେ ତେଣୁ
ବେମାରରେ ପକାଇଲି
ମାୟା କରି ମୁହିଁ ଡାକ୍ତରଙ୍କ ଦ୍ଵାରା
ଯେ ମୃତ ଘୋଷଣା କଲି।
ଶିକ୍ଷା ଦେବା ପାଇଁ ତୋତେ ପରା ମୁହିଁ
ଘରୁ ବାସନ୍ଦ ଯେ କଲି
ଗଛମୂଳେ ରହ ମାଗି ଯାଚି ଖାଅ
ଏହି ଶାସ୍ତି ତୋତେ ଦେଲି।
କଳିତକରାଳ କରି ତୁ ଶାନ୍ତିରେ
ରଖି ଦେଲୁନି କାହାକୁ
ତେଣୁ ତୋତେ ମୁହିଁ ଘରୁ ଭିନ୍ନେ କଲି
ପ୍ରକୃତି କିବା ଛାଡୁଛୁ ?
ଜୀବନରେ କେବେ ମିଛ କହିବୁନି
ପରକୁ ଗାଳିଦେବୁନି
ପରଧନ ଦେଖି ଲୋଭ କରିବୁନି
ଚୋରୀଚାରୀ କରିବୁନି।
ରାମନାମ ଟିକେ ଧରିବୁ ମାଉସୀ
ଭାଗବତ ଶୁଣୁଥିବୁ
ନଚେତ ନରକେ ପକାଇ ମାରିବି
ନାମ ପୁଣି ନେଉଥିବୁ।
ବୁଢୀ ହାତଯୋଡି ନେହୁରା କରିକି
ନିଜ ଦୋଷ ମାନିଗଲା
ନିଜ ଘରେ ପୁଣି ବୁଢୀ ପହଞ୍ଚିଲା
ସବୁ ଠିକ୍ ହୋଇଗଲା।
ଯମ ଫେରିଗଲେ ବୁଢୀକୁ ଛାଡି ଯେ
ବୁଢୀ ପୁଣି ଖୁସି ହେଲା
ସବୁଦିନ ସିଏ ବଞ୍ଚି ରହିବାକୁ
ମନେମନେ ଭାବୁଥିଲା।