STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସାହିତ୍ୟ ପୁର

ସାହିତ୍ୟ ପୁର

2 mins
326


ଅଛି ସ୍ଵର୍ଗପୁର ଅଛି ମର୍ତ୍ତ୍ୟପୁର

  ଅଛି ତ ପାତାଳପୁର

ଆଉ ଏକ ପୁର ଅଛି ବ୍ରହ୍ମାଣ୍ଡରେ

  ସେ ଅଟେ ସାହିତ୍ୟପୁର।


ସ୍ଵର୍ଗପୁର ଦେବଲୋକେ ପରିଚୟ

   ମର୍ତ୍ତ୍ୟପୁର ନରଲୋକ,

ପାତାଳପୁରରେ ନାଗଲୋକ ପୁଣି

   ସାହିତ୍ୟ ପୁରେ ଲେଖକ।


ତିନି ପୁରେ ଭିନ୍ନ ଭିନ୍ନ ଚଳଣିଟି

  ଦେବତା ସରଗେ ଥାଇ,

ଅମୃତ ସ୍ଵାଦନେ ସୁଖ ସ୍ଵାଚ୍ଛନ୍ଦରେ

  ଜୀବନ ବିତାନ୍ତି ସେହି।


ମର୍ତ୍ତ୍ୟପୁରେ ନର ସୁଖଦୁଃଖ ଭୋଗେ

   ପାତାଳେ ଭୋଗନ୍ତି ନାଗ,

ସାହିତ୍ୟ ପୁରରେ କବି ଆନନ୍ଦରେ

  ଭୋଗ କରୁଥାନ୍ତି ଭାବ।


ସାହିତ୍ୟ ପୁରରେ ନାହିଁ ଅଜ୍ଞାନତା

   ଜ୍ଞାନ ଜ୍ୟୋତି ପ୍ରକାଶ‌ଇ,

ନାହିଁ ସେଠି ଈର୍ଷା, ଦ୍ୱେଷ, ଅଭିମାନ

   ପ୍ରେମ ସମ୍ପର୍କ ମିଳ‌ଇ।


ମାନବ ଧର୍ମର ପ୍ରଚାର ଚାଲିଛି

   ନାହିଁ ତ ଛୁଆଁ ଅଛୁଆଁ,

ସାହିତ୍ୟ ପୁରରେ ଗୋଟିଏ ଜାତିଟି

   ସାହିତ୍ୟିକ ତାର ନାଁ।


ବଡସାନ ଧନୀ ଗରୀବ ଭିତରେ

   ନାହିଁ ସେଠି ତାରତମ୍ୟ,

ପ୍ରତିଭା ପାଖରେ ନ‌ଇଁଯାଏ ମଥା

   ମିଳେ ଯାହା ସନମାନ।


ସାହିତ୍ୟ ପୁରରେ ଶବ୍ଦ ଓ ଭାଷାର

   କୃଷି କାର୍ଯ୍ୟ କରାଯାଏ,

ପରମ୍ପରା ଆଉ ସଂସ୍କୃତି ରକ୍ଷଣେ

   ନାଚଗୀତ ଚାଲୁଥାଏ।


ପରୋପକାରକୁ ଆପଣେଇ ନେଇ

   କବି ଦିଏ ସେଠି ବାର୍ତ୍ତା,

ସାହିତ୍ୟ ପୁରରେ ଯେ ପଶିଛି ଥରେ

   ନ‌ଇଁଯାଏ ତା'ର ମଥା।


ସାହିତ୍ୟ ପୁରରେ ଲେଖକ ପାଠକ

   ଉଭୟେ ବାସ କରନ୍ତି,

ଭାବନଦୀ ସେହି ପୁରେ ବହୁଥାଏ

   ପ୍ରତ୍ଯେହ ବୁଡ଼ ପକାନ୍ତି। 


ସାହିତ୍ୟ ପୁରରେ କବିତ୍ଵ ପ୍ରକାଶେ

   ସରସ୍ଵତୀଙ୍କ କୃପାରେ,

ସାରସ୍ବତ ନୀତି ସମ୍ବିଧାନ ଦ୍ଵାରା

   ଚାଲେ ଶାସନ ସେଠାରେ ।


ଅଛି ରାଜନୀତି ନାହିଁ ସେଠି ପାର୍ଟି

   ନାହିଁ ଲାଞ୍ଚ ଭ୍ରଷ୍ଟାଚାର,

ରାମରାଜ୍ୟ ସମ ସାହିତ୍ୟ ରାଇଜ

  ଗଣତନ୍ତ୍ର ସରକାର।


ସାହିତ୍ୟ ପୁରକୁ ଯିବାପାଇଁ ହେଲେ

   ମନ ରକେଟରେ ବସ,

ସୌର ମଣ୍ଡଳର ବାହ୍ୟ ଇଲାକାରେ

   ସାହିତ୍ୟ ମଣ୍ଡଳେ ପଶ।


ଇଲାକା ସ୍ଵତନ୍ତ୍ର ପୁରଟି ସାହିତ୍ୟ

   ସ୍ଵର୍ଗପୁର ଠାରୁ ବଳି,

ଧନ୍ୟବାଦ ସହ ଉତ୍ସାହ ପ୍ରେରଣା

   ମିଳେ କେତେ କରତାଳି।


ସାହିତ୍ୟ ପୁରରେ କବିମାନେ ସଦା

   ଖାଇ ଭାବ ଅମୃତକୁ,

ସାରା ବ୍ରହ୍ମାଣ୍ଡରେ ଅମର ରୁହନ୍ତି

  ସେ ପୁଣି ଯୁଗଯୁଗକୁ।


ପାଠକ ଲେଖକ ସମ୍ପର୍କଟା ଏଠି

  କୃଷ୍ଣ ଅର୍ଜୁନଙ୍କ ପରି,

ଉତ୍ସାହ ପ୍ରେରଣା ଭଲପାଇବାରେ

   ସୁନ୍ଦର ସାହିତ୍ୟ ପୁରି।


ସାହିତ୍ୟ ପୁରଟି ଜ୍ଞାନମୟ କୋଷେ

  ସତେ କି ଅମରାବତୀ,

ସ୍ଵର୍ଗର ନନ୍ଦନ ପାରିଜାତ ଫୁଲ

  ସେହିଠାରେ ମିଳୁଅଛି।


ଚ‌ଉଦ ବ୍ରହ୍ମାଣ୍ଡ ମଧ୍ୟେ ଏ ପୁରଟି

  ସବୁଠାରୁ ମହୀୟାନ,

ଭାବ ଦିଆନିଆ ଚାଲୁଥାଏ ସଦା

   ସମସ୍ତେ ଏଠି ସମାନ।


ସାହିତ୍ୟ ଆକାଶ କାଗଜ ଏଠାରେ

   ତା' ସିନ୍ଧୁ କଲମ କାଳି,

କଳ୍ପନା ନିଶାଣେ ଶୂନ୍ୟତାରୁ ଶବ୍ଦ

   ଲେଖକ ଆଣୁଛି ତୋଳି।


ଜ୍ଞାନ ସୁଗନ୍ଧିତ ପବନ ବହୁଛି

   ଅହରହ ସେଇଠାରେ,

ସାତସୁର ତୋଳି କୋଇଲୀ ଗାଉଛି

   ସେପୁରର ଆମ୍ରଡାଳେ।


ଫଗୁଣ ବିରାଜେ ସର୍ବଦା ସେଠାରେ

   ମଳୟେ ବହେ ସାହିତ୍ୟ,

ସେ ମଳୟ ଦେହେ ଥରେ ବାଜିଗଲେ

   ରୋଗୀ ହୋଇଯାଏ ସୁସ୍ଥ।


ଅବ୍ୟକ୍ତ ଅଲେଖ ଅଣାକାର ଆଉ

   ନିର୍ବିକାର ସେହି ପୁର,

ଗୁଣାତୀତ ପୁଣି ରୂପରୁ ଅତୀତ

   ସେ ଅବର୍ଣ୍ଣନୀୟ ମଣ୍ଡଳ।


ସାହିତ୍ୟ ପୁରର ପୂଣ୍ୟମୟ କୋଷେ

   କବିଙ୍କ ପୂର୍ବ ପୁରୁଷ,

 ବାଲମୀକ ବ୍ଯାସ ଜଗନ୍ନାଥ ଦାସ

   ଆନନ୍ଦେ କରନ୍ତି ବାସ।


କବି ଜୀବନର ପୂଣ୍ୟ ନୀଳାଚଳ 

  ଦୁର୍ଲ୍ଲଭ ସାହିତ୍ୟ ପୁର,

ଏ ମୂର୍ଖ ଅପର୍ତ୍ତି ସେ ତୀର୍ଥ ଦର୍ଶନେ

  ସଦା ସର୍ବଦା ବ୍ୟାକୁଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy