STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଯାଇଥିଲି ଦିନେ ଶଶୁର ଘର

ଯାଇଥିଲି ଦିନେ ଶଶୁର ଘର

2 mins
429


ଶଳା ଭାଉଜ ମୋ ଡାକିଥିଲା ଦିନେ

   ଗଲି ମୁଁ ଶଶୁର ଘର,

ଫିଟ୍‌ ଫାଟ୍ ହୋଇ ସାଇକେଲ ଚଢି

   ବାହାରି ଗଲି ସ‌ଅଳ।


କୁନା ବୋଉ ହାତ ଭଙ୍ଗା ଖିଲିପାନ

   ଖଣ୍ଡେ ଗାଲେ ଯାକି ଦେଲି,

ମୁଣ୍ଡଟି ମୋହର ଅଧା ଚନ୍ଦା ତେଣୁ

   ଯତ୍ନେ ଟେରୀ ଭାଙ୍ଗିଥିଲି। 


ପହଞ୍ଚୁ ପହଞ୍ଚୁ ଶାଶୁ ଶ୍ୱଶୁର ମୋ

   ଶଳା ଓ ଶଳା ଭାଉଜ,

ଭାରି ଖୁସି ହେଲେ ଥଣ୍ଡା ମଗେଇଲେ

   ଚାଲିଲା ହସ ମ‌ଉଜ।


ଶଳାଟି ମୋହର ବାହାପିଟିଆଟି

   ଡହଁରା ଏକ ନମ୍ବର,

ଫୁଟାଣି ଗପରେ କିଏ ବଳିଯିବ

   କହେ ଷଣ୍ଢ ସେ ସାହିର।


ୟାକୁ ମାରି ଦେବି ତାକୁ ମାରିଦେବି

   ଏଣୁତେଣୁ ଗପୁଥାଏ,

ତା'କଥା ମୋର ଏକାନେ ପଶିକି

   ସେ କାନେ ବାହାରି ଯାଏ।


ଶଳା ଭାଉଜର ଏକା ଯିଦି ଭାଇ

   ଆଜି ଆମ ଘରେ ରୁହ,

ତୁମେ କାଳେ ବ୍ୟଙ୍ଗ କବିତା ଲେଖୁଛ

   ମୋତେ ଭାଇ କିଛି କୁହ।


ଶଶୁରଙ୍କ ପୁଅ ଘରଣୀର ଭାଇ'

   କବିତାଟି ଶୁଣେଇଲି ,

ଶଳାଟି ମୋହର ଚିଡିଗଲା ବୋଲି

   ଯାହା ସେଠୁ ମାର୍କ କଲି।


ଶଳା ଭାଉଜ ମୋ କହିବାରୁ ଶଳା

    ଦେଶୀ ଗଞ୍ଜାଟି ଆଣିଲା,

କୁକୁଡ଼ା ବେକକୁ ମୋଡ଼ି ଶଳା ତାକୁ

    ଭଲକି ରୁମେଇ ଦେଲା।


କଦଳୀ ପତର ଖଣ୍ଡେ କାଟି ଆଣି

   କୁକୁଡ଼ାକୁ ରଖି ଦେଇ,

ପୁରୁଣା ଛୁରୀ ଓ କଟୁରୀକୁ ଧରି

   ଚାଲିଗଲା ସେ ପଜେଇ।


କ କ ଶବ୍ଦ କରିକି ହଠାତ୍

   କୁକୁଡାଟା ଦ‌ଉଡିଲା,

ରୁମ ଛଲା ହେଇ ମଲା କୁକୁଡ଼ାଟା

   ପୁଣି କେମିତି ବଞ୍ଚିଲା।


ଶଳା ଭାଉଜ ମୋ ମୁହେଁ ଲୁଗାଦେଇ

   ହସିହସି ଗଡିଗଲା,

ଦେଖ ଭାଇ ତୁମ ଶଳାଙ୍କ ହାତରେ

   କୁକୁଡ଼ାଟି ବି ନ ମଲା।


କିହୋ ଶଳାବାବୁ ୟାକୁ ମାରିଦେବି

   ତାକୁ ମାରିଦେବି କୁହ,

କୁକୁଡ଼ାଟିଏକୁ ମାରି ପାରିଲନି

   ତୁମେ କିଭଳି ଅଣ୍ଡିରୀ ପୁଅ ।


ତୁମ ଭଳି ଯେତେ ଫୁଟାଣିଆଙ୍କର

   କଥାରେ ଯେ ମୂଲ୍ୟ ନାହିଁ,

ଗରଜିଲା ମେଘ ପରାଏ ଗର୍ଜ୍ଜନ୍ତି

   କେବେ ବରଷନ୍ତି ନାହିଁ।


ଏହା ଶୁଣି ଶଳା କୁକୁଡ଼ା ପଛରେ

  ଗୋଡ‌ଉଛି ବାରିସାରା,

ଲୁଙ୍ଗି ଖୋଲିଗଲା ଶଳାଟି ମୋହର

   ପୁରା ଓବସ୍ତ୍ର ଲଙ୍ଗଳା ।


 ସେହି ରୁମଛଲା କୁକୁଡ଼ାଟି ଯାଇ

   ବାରି ଗୋବର ଖାତରେ,

ଭୁଷିହେଲା ଯେବେ ଗୋବରଗୁଡାକ

   ବୋଳି ହେଲା ତା'ଦେହରେ।


ରୁମଛଲା ଧଳା ଦେହଟି ତାହାର

    କଳା କିଟି କିଟି ଦିଶେ,

ଗୋବରଗନ୍ଧରେ ଦେହଚୋଇ ମୋର

    ପେଟ ମୋଡ଼ି ବାନ୍ତି ଆସେ।


ସେ ଅବସ୍ଥା ଦେଖି କୁକୁଡ଼ା ଝୋଳ କି

   ଆଉ ମୁଁ ଖାଇବି ସେଠି,

କହିଲି ଆଉ ମୁଁ ରହିପାରିବିନି

   କାମ ଅଛି ମୋର ଘଟି।


ଗୋଟିଏ ହାତରେ ଲୁଙ୍ଗିଟିକୁ ଧରି

  ଅନ୍ଯ ହାତରେ କୁକୁଡ଼ା,

ଶଳା ମୋ କହୁଛି ଯାଅ ନାହିଁ ଭାଇ

  ସେଇଠାରେ ହୁଅ ଛିଡ଼ା।


ଆଉ ଅଧଘଣ୍ଟା ଲାଗିବ କୁକୁଡ଼ା 

   ତରକାରୀ ହୋଇଯିବ,

ମାଲ୍‌ଟିକେ ମାରି ଚିକେନ ଖାଇକି

   ତୁମ ଘରକୁ ଫେରିବ।


ହେ ମୋର ପାଠକ କୁହ ହେ ପଦକ

   କି କୁକୁଡ଼ା ଝୋଳ ହେବ,

ଆପଣ କି ଭାବୁଛନ୍ତି କିବା ସେଠି

    ଅପର୍ତ୍ତି ଆଉ ରହିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy