ନିୟତିର କବିତା
ନିୟତିର କବିତା
ନିୟତିର କବିତା [The Song of Destiny]
ପ୍ରଥମ ଅଭିରୂପ [format-1]
ଶରତ ହେମନ୍ତ ଶୀତ ବସନ୍ତ ଉଷ୍ମନ
ବରଷା ସଂଗୀତ କରିଅଛି ବିରଚନ;
ଶିଳ୍ପୀ କଳାକାର ନାଟ୍ୟନାୟକର ଘର୍ମ
ଦେଖିଛି ମୁଁ ଲେଖିବାକୁ ଚାଳିଛି କଲମ ||-୧
ବଂଶ-କ୍ରୀଡ଼ାଚକ୍ର-ବାଳା ମୁକ୍ତ-ଇନ୍ଦ୍ରଜାଲ,
ଉଦ୍ରଥ-ପ୍ରାୟୁଧ, ହଟ୍ଟ–ଜନ ଦ୍ୟୂତ ଖେଳ,
ଦୁଷ୍ପୀତ, କଳହରତ, ପ୍ରମତ୍ତ, ପାଗଳ
ଚକ୍ଷୁ ତଳେ ଛଳେ ଦେଖିଅଛି ନେତ୍ରଜଳ ||-୨
ଦେଖିଛି ଗୃହିଣୀ ଗୃହୀ, ସଧବା ବିଧବା,
କିଶୋର ବାଳକ ଶିଶୁ ପ୍ରୌଢ଼ ବୃଦ୍ଧ ଯୁବା,
ପ୍ରେମାତୁରା, ବିରହିଣୀ, ଅନୂଢ଼ା, ଲଟଭା,
ନିଷ୍ଫଳା ଯୋଷିତା, ତ୍ୟକ୍ତା, ସନ୍ତାନସମ୍ଭବା,-୩
ଶ୍ରମିକ ସୈନିକ ବ୍ୟବସାୟୀ କର୍ମଚାରୀ,
ଛାତ୍ର ଛାତ୍ରୀ ପ୍ରିୟ ପ୍ରିୟା ଉଜ୍ଝକ ପୂଜାରୀ,
କାମୁକ କାମିନୀ ସହଚର ସହଚରୀ,
ସକଳ ଈକ୍ଷଣେ ଦେଖିଅଛି ଅଶ୍ରୁବାରି ||-୪
ତହୁଁ ବିଶ୍ରମ୍ଭ କଳ୍ପନା କରି କିମ୍ପା ବୃଥା
ଜଳାଅ ବିନିଦ୍ର ରାତ୍ର-ପ୍ରଦୀପ ସଳିତା ?
ଦେଖିଛି ପ୍ରଚ୍ଛନ୍ନେ ଦିନେ ନିୟତି ସଂହିତା :--
ଜୀବନ ତା' ବ୍ୟଙ୍ଗଭରା ବିଦ୍ରୂପ କବିତା ||-୫
ନିୟତିର କବିତା [The song of Destiny]
ଦ୍ଵିତୀୟ ଅଭିରୂପ [format-2]
ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ
ଶୀତ ବସନ୍ତ ଦେଖି,
ବର୍ଷ ଯାକର ବେଦନାର ସ୍ଵର
କବିତା ଦେଇଛି ଲେଖି;
କଳାକାର କବି ଶିଳ୍ପୀ ନଟକ
ଚିତ୍ରକାରର ସ୍ଵେଦ,
ଦେଖିଛି ବୁଝିଛି ଲେଖିଛି କବିତା
ହେଉ ପଦେ ଦୁଇପଦ ||-୧
ବାଉଁଶରାଣୀର ବାଳା, ଜାଦୁଗରୀ
ଐନ୍ଦ୍ରଜାଲିକ ଖେଳ,
କୁକୁଡ଼ା ଲଢ଼େଇ ବାଜି ଖେଳ ଭିଡ଼,
ହାଟ ବାଟ ଜୁଆ ମେଳ,
ମଦିରାମଧୁର ମତ୍ତ ବିଭୋର
ବାତୁଳ, କଳହରତ,
ସଭିଙ୍କ ନୟନେ ଗୋପନେ ଦେଖିଛି
ତପ୍ତ-ଶୋଣିତ ସ୍ରୋତ ||-୨
ଗୃହସ୍ଵାମୀ କୁଳରମଣୀ ଦେଖିଛି,
ସଧବା ବିଧବା ନାରୀ,
କିଶୋର ବାଳକ ବୃଦ୍ଧ ଯୁବକ
ଅର୍ଭକ ସୁକୁମାରୀ,
ପ୍ରେମପାଗଳିନୀ ବିରହିଣୀ ପୁଣି
ଅନୂଢ଼ା ଲାସ୍ୟା ବାଳା,
ତ୍ୟକ୍ତା ଯୋଷିତା ଗର୍ଭଧାରିଣୀ
କୁଳବଧୂ ନିଷ୍ଫଳା; ||-୩
ଶ୍ରମିକ, ରାଷ୍ଟ୍ରରକ୍ଷକ, ପଦ-
ଧାରୀ, ଆକ୍ରୟକାରୀ,
ଅଧ୍ୟେତା, ପାଠକିନୀ, ଅଭିମାନୀ,
ଭକ୍ତ, ପୁଜନକାରୀ,
କାମାତୁର, କାମବାସନାମଗ୍ନା,
ସହଚର, ସହଚରୀ,
ସବୁରି ନେତ୍ରେ ଦେଖିଛି ଉଛୁଳା
ରୁଦ୍ଧ ଲୋତକ ବାରି ||-୪
ନିସ୍ତାର ଲାଗି ସାଧୁଅଛ କେତେ,
ଗାଉଛ ଚାଟୁକ ଗାଥା,
ରାତ୍ରୀଦୀପରେ ଇନ୍ଧନ ଢାଳି
ନିଦ୍ରା ହାରୁଛ ବୃଥା;
ଗୋପନେ ପଢ଼ିଛି ଭାଗ୍ୟଦେବୀର
ଖାତାର ଲିଖନ ଖିଏ;
ଜୀବନ ସେଥିରେ ବିଦ୍ରୂପଭରା
ବ୍ୟଙ୍ଗ କବିତାଟିଏ ||-୫