ଗୁରୁ
ଗୁରୁ
ଗୁରୁ ଯେ ଅଟନ୍ତି ମଳୟ ପବନ
ଜ୍ଞାନ ର ପରଶ ଦେଇ
କାଷ୍ଠ କୁ କରନ୍ତି ସୁଗନ୍ଧ ଚନ୍ଦନ
କୃପା ବାରି ବରଷାଇ ।
ପରଶ ମଣୀ ର ତୁଲ୍ଯ ଅଟେ ଗୁରୁ
ପରଶ ମାତ୍ର କେ ସେଇ
କାଚ କୁ କାଞ୍ଚନ କରିଥାନ୍ତି ଗୁରୁ
ଶିଷ୍ଯ କୁ ସେ ଆପଣାଇ ।
ଗୁରୁ ବ୍ରହ୍ମ , ବିଷ୍ଣୁ , ଗୁରୁ ମହେଶ୍ଵର
ସାକ୍ଷାତ ଈଶ୍ବର ହେଇ
ଅଜ୍ଞାନ ଅନ୍ଧାରେ ଜ୍ଞାନାଲୋକ ଦେଇ
ଦିବ୍ୟାଲୋକ ପ୍ରକାଶଇ ।
ଗୁରୁ ପିତା ମାତା ଗୁରୁ ଜ୍ଞାନ ଦାତା
ମାର୍ଗ ଦର୍ଶକ ଟେ ହେଇ
ସତ୍ ମାର୍ଗେ ଚାଳି ଜ୍ଞାନ ଦୀପ ଜାଳି
ଭବିଷ୍ୟତ ଗଢିଥାଇ ।
ସଦ୍ ଗୁରୁ ଜ୍ଞାନ ମଳୟ ପବନ
ଅମୃତ ପରଶ ନେଇ
ଲିମ୍ବ କାଷ୍ଠ ଟିଏ ଚନ୍ଦନ ପରାଏ
ଶିଷ୍ଯ ଭାଗ୍ୟ ଚମକାଇ ।
ଗୁରୁ ପାଦେ ସେବା ସମର୍ପିତ ହେବା
ଗୁରୁ ସେବା ବ୍ରତୀ ହେଇ
ଈଶ୍ବର ଜ୍ଞାନ ରେ ଭକତି ଭାବରେ
ଚରଣେ ଶରଣ ଥାଇ ।
ଗୁରୁ ଭକ୍ତି ଧନ ମଳୟ ପବନ
ସଂସାର ର ସତ୍ୟ ଏଇ
କାଷ୍ଠ କୁ ଚନ୍ଦନ କରନ୍ତି ଯେସନ
କୃପା ବଳେ ମହକାଇ ।
