କଳିଯୁଗ ସାବିତ୍ରୀ
କଳିଯୁଗ ସାବିତ୍ରୀ
କି ବେଳାରେ କୋଉ ଘଡିମୂଳ ଦେଖି
ଧରିଥିଲି ୟାଙ୍କ ହାତ
ବାରମାସେ ତେର ଓଷା ବ୍ରତ କରି
ମୁଣ୍ଡକୁ ଚଢିଲା ପିତ୍ତ।
ଏବେ ଚୈତ୍ର ମାସ ଓପାସ ସରିନି
ଆସଗଲାଣି ସାବିତ୍ରୀ
କେମିତି ପାଳିବି ଭାବି ମୋତେ ନିଦ
ହେଉନି ଦିବସ ରାତ୍ରି
କଙ୍କି ପରି ମୋର ଚେହେରା ହେଲାଣି
ନ ଖାଇକି ବାରମାସେ
ନିଆଁ ନଗା ସ୍ବାମୀ ଖାଇ ଖାଇ ଖାଲି
ପାଣିଟାଙ୍କି ପରି ଦିଶେ ।
*ସୌମେନ୍ଦ୍ର*
କାହିଁକି କେଜାଣି ସାବିତ୍ରୀ ବ୍ରତଟା
ମାଡିଆସେ ବାତ୍ୟା ଭଳି
ମାସକ ଦରମା ସରେ ଭାର କିଣି
ପକେଟ ହୁଅଇ ଖାଲି
ଦିନେ ଆସି ପାଦେ ନଡ଼ିଆ ଭଳିଆ
ମୁଣ୍ଡଟାକୁ ଦିଏ ପିଟି
ବର୍ଷକ ଖାଇକି ଛାଞ୍ଚୁଣି ପାହାର
ପିଠି ମୋ ଗଲାଣି ଫାଟି ।
ଆମ୍ବ କିଲ ଅଶୀ ସପୁରୀ ଦୁଇଶ
ପଣସ ଶହେ କୋଡିଏ
କଦଳୀ ଡଜନ ସତୁରି କମଳା
ଦେଢଶ ରୁ କମ୍ ନୁହେଁ ।
ଫଳ ଦର ଦେଖି ବିପି ବଢିଯାଏ
ମୁଣ୍ଡକୁ ନ ଦିଶେ ବାଟ
ତଥାପି ଘରଣୀ କହିଛି ମୋ ପାଇଁ
ଆଣିବ ଦେବଦାସୀ ପାଟ
ହାଏରେ ବିଧାତା ସାବିତ୍ରୀ ନାଆଁରେ
କାହିଁକି ଶୋଷଣ କରୁ
ଜୀବନ ମୋହର ଭାରି କଲବଲ
ବଞ୍ଚିଯାଏ ମରୁ ମରୁ ।
*ସୁଚି*
ସ୍ୱାମୀ! ସ୍ୱାମୀ!
ଉଠ ନିଦ୍ରା ତେଜି ହୁଅନି ଅଝଟ
ହେ ପତି ପରମେଶ୍ବର
ଇହକାଳେ ପରକାଳେ ତୁମେ
ଏକା ମୋର ଜୀବନ୍ତ ଠାକୁର
ତୁମ ଦୁଇପାଦ ଛୁଇଁ ବାକୁ ଦିଅ
ଘେନ ପ୍ରଣାମ ମୋହର
ମୋର ଗେହ୍ଲା ଧନ ରଙ୍କୁଣି ରତନ
ମୋତେ ଆଶୀର୍ବାଦ କର
ତୁମରି ମଙ୍ଗଳ କଲ୍ୟାଣ ମନାସି
କରିଛି ମୁଁ ଉପବାସ
ଯମସାଥେ ଆଜି କରିବି ଲଢେଇ
କରି ତୁମ ମନ ତୋଷ
*ସୌମେନ୍ଦ୍ର*
ମିଛିମିଛିକା ନିଦରେ ମୁହିଁ ଶୋଇଥିଲି
ବାସନ ମାଜିବା ପାଇଁ ଇଚ୍ଛା ନାହିଁ ବୋଲି।
ଘରଣୀ ଙ୍କ ଠାରୁ ଶୁଣି ବଚନ ଏମନ୍ତ
ଦୁଇକାନେ ମୋର ସତେ ବାଜିଗଲା ଘଣ୍ଟ
ଡାକନ୍ତି ଘରଣୀ ମୋତେ ଏତେ ଶରଧାରେ
ହରି ଶଦ୍ଦ ଶୁଭେ ଆଜି ଲଙ୍କା ନଗରୀରେ
ଏତେ ଭକ୍ତି କି କାରଣେ ପାରୁନି ତ ଜାଣି
ସୂର୍ଯ୍ୟ ଆଜି କେଉଁ ଦିଗେ ଉଦୟ କେଜାଣି?
କାଲି ଯାଏଁ ଡାକୁଥିଲେ ଯେ ମୋତେ କୁକୁର
ଆଜି କହୁଛନ୍ତି ପତି ପରମ ଈଶ୍ୱର
ପନିକି ହାତରେ ଧରି ସାଜି ମହାକାଳୀ
ଦୁଇପାଦେ ମୋ ଛାତିକୁ ଦେଉଥିଲେ ଦଳି।
କରୁଥିଲେ ଯେ ଚଉଦ ପୁରୁଷ ଉଦ୍ଧାର
ପ୍ରଣାମ କରନ୍ତି ଆଜି ପାଦ ଧରି ମୋର
କି ଅବା କରିବି ଶୋଇ ମନେ ଭାବୁଥାଏ
କିନ୍ତୁ ଉଠି ବସିବାକୁ ସାହସ ନ ପାଏ।
*ସୁଚି*
ବଢି ସକଳରୁ ପାଦ ପାଖେ ବସି
ଲୋଡେ ୟାଙ୍କ ଆଶୀର୍ବାଦ
କାଠଗଣ୍ଡି ପରି ବିଛଣାରେ ପଡି
ଘୁଙ୍ଗୁଡ଼ି ମାରୁଛି ଗଧ
ମଣିଷର ନିଦ ଗଧଟାଏ ଭଳି
ଅଥବା କୁକୁର ପରି
ମୁର୍ଦ୍ଦାର ପରିକା ଶୋଇଛନ୍ତି ଶେଯେ
କୁମ୍ଭକର୍ଣ୍ଣ ନିଦ୍ରା ଧରି
ଆଜି ଯେ ସାବିତ୍ରୀ ବ୍ରତ ବୋଲି ତୁହି
ବଞ୍ଚିଗଲୁ ପୋଡାମୁହାଁ
ନ ହେଲେ ଝାଡୁରେ ପିଟିପିଟି ତୋର
ଛାଲ କାଢ଼ିଥାନ୍ତି ଯାହା
ବସିଛି ନୀରବେ ସ୍ବାମୀ ନିନ୍ଦା ଆଜି
ଚିନ୍ତା କରିବନି ମନେ
ରାତି ପାହି କାଲି ସକାଳ ହୋଇଲେ
ତୋର ଦିନେ ମୋର ଦିନେ।
*ସୌମେନ୍ଦ୍ର*
ବେଡ଼ସିଟ କାଢି ଚାହିଁଲି କଣେଇ
ଘରଣୀଙ୍କ ଶ୍ରୀମୁଖକୁ
ତାଙ୍କ ରୂପ ଭଙ୍ଗି ଦେଖିକି ଛନକା
ପଶିଲା ମୋର ଛାତିକୁ
ବୁଝିଗଲି ମୁହିଁ ଘରଣୀଙ୍କ ଭାବ
ଜାଣିଗଲି ମନ କଥା
ଏବେ ଯଦି ମୁହିଁ ବିଛଣା ନ ଛାଡେ
ଫଟେଇବ ମୋର ମଥା
ବିଳମ୍ବ ନ କରି ବିଛଣା ରୁ ଉଠି
କୋଳରେ ଧରିଲି ତାଙ୍କୁ
ମିଛରେ ମିଛରେ ମିଠା କଥା କହି
ତୋଷିଲି ତାଙ୍କ ମନକୁ।
ଯାର ଉଗ୍ରଚଣ୍ଡୀ ରୂପ ଦେଖି ଘରେ
ବିରସ ସଭିଙ୍କ ମନ
ଏମନ୍ତ ଘରଣୀ ଥିଲେ ଜୀବନରେ
ଯମର କି ପ୍ରୟୋଜନ?
ଆସିଲେ ଅବସ୍ଥା ବାରଣ୍ଡା ଦିକଡା
ହୋଇବ ମନରେ ଭାବି
ପାଖ ମାଡିବନି ମୋ ଘର ଦୁଆର
ଜୀବନ ମଧ୍ୟେ କେବେବି ।
*ସୁଚି*
ଆଖି ଖୋଲି ଥରେ ଦେଖ ମତେ ପ୍ରିୟେ
କୁହ ଆଜି କିପରି ମୁଁ ଦିଶୁଛି
ଐଶ୍ୱର୍ଯ୍ୟା, କରିସ୍ମା, ମାଧୁରୀ ନା ହେମା
କାହାର ଚାକିରୀ ଖାଇଲା ପରି ଲାଗୁଛି।
ଆଖିରେ maybeline କଜ୍ବଳ,
ଓଠରେ lakhme ଲିପଷ୍ଟିକ
ସାଥେ ମୁହଁରେ ଲଗେଇ
lotus କିରିମି ଆଉ ପାଉଡର
ତୁମ ପାଇଁ ସାଥି କେବଳ ତୁମ ପାଇଁ
ଆଜି କରିଛି ମୁଁ ଶୃଙ୍ଗାର
ଖାଲି ଯାହା ପ୍ରିୟତମ ତୁମେ
ଧୋକା ମତେ ଦେଇଦେଲ
ଦେଵଦାସୀ ପାଟ କହି ସୂତି ଶାଢୀରେ
କାମ ତୁମେ ଚଳେଇଲ
ମୋର ଷୋହଳ ଶୃଙ୍ଗାର ସାଥେ
ପିନ୍ଧିଥାନ୍ତି ଯଦି ଆଜି ଦେଵଦାସୀ ପାଟ
ରମ୍ଭା, ଉର୍ବଶୀ, ମେନକା ମାନେ
ମୁହଁ ଲୁଚେଇବାକୁ ପାଇନଥାନ୍ତେ ବାଟ।
*ସୌମେନ୍ଦ୍ର*
ସ୍ତ୍ରୀଙ୍କ ଫୁଟାଣିଆ କଥା ଶୁଣି
ଜମା ହେଲି ନାହିଁ ହାଇପର
ନିଜେ ପରା ପ୍ରେମ ବିବାହ କରି
ଯାଜପୁର ଝିଅକୁ କରିଛି ଘରଣୀ ମୋର
କଥା କହିବାରେ ଯିଏ ବଡ଼ ଟାଉଟର
ଘରେ ପଛେ ତାର ନ ଫୁଟୁ ଫୁଟଣ
ଝିଅ ଭାବେ ନିଜକୁ ଅପସରି ସମ
କିଣିଆଣେ ଯାଇ ଦାମୀ ସୁଅଁ, ପାଉଡର
ଶୃଙ୍ଗାର କରି ତୋଷିବାକୁ ମନ ମୋର
କେମିତି ବୁଝେଇବି ମୋର
ଏଇ ମୂର୍ଖ ଘରଣୀଙ୍କୁ
ଶୃଙ୍ଗାରରେ କିଏ କେବେ
ତୋଷିକି ପାରିଛି ସ୍ୱାମୀଙ୍କ ମନଙ୍କୁ
ସ୍ୱାମୀ ଖୋଜେ ଟିକେ ମିଠା ଆଳାପ
ସ୍ନେହ, ପ୍ରେମ ଓ ଭଲପାଇବାର ଡୋର
ଖୋଜେ ପୁଣି ଟିକେ ଉତ୍ତମ ବ୍ୟବହାର
ବାପା, ମା ପରିବାର ସହ ତାର।
*ସୁଚି*
ସ୍ୱାମୀଙ୍କର ଏତେ ପଇସା ସାରିକି
କରିଛି ଏତେ ମେକପ
ଦେଖିଲେ ମୋ ରୂପ କ୍ଷଣେ ଲୁଚିଯିବ
କୋଉ ରସାତଳେ ଯାଇ କନ୍ଦର୍ପ।
ଦୁଇ ଚାରିଟା selfie ନେଇ
ଦେଲେ ଫେସବୁକ ହ୍ବାଟ୍ସପ୍ ରେ
କଲେଜ ପଢୁଆ ଟୋକା ସବୁ ଆସି
ପଡିଯିବେ ମୋ ପଛରେ
ହେଲେ ମନକଥା ମନରେ ରଖି
ଆଇନା ଆଗରେ ନିଜକୁ ଦେଖି
ଗାଲକୁ ଜାକି, ଓଠକୁ ମୋଡି
୪୦-୫୦ଟି selfie ନେଲି
ତଥାପି ମନ ମାନିଲାନି ବୋଲି
ଶ୍ରଦ୍ଧାରେ ସ୍ବାମୀଙ୍କୁ ଧୀରେ ଡାକିଲି
କ୍ୟାମେରାମ୍ୟାନ୍ କରିଦେଲି
ତାପରେ ସ୍ୱାମୀଙ୍କୁ ଜାବୁଡି ଧରି
ଫିଲ୍ମ ଷ୍ଟାଇଲରେ ପୋଜ ଦେଇ
ସ୍ବାମୀ ଙ୍କ ମୁହଁରେ ମୁହଁ ଲଗେଇ
ଯେତେ ଫଟୋ ସବୁ ଉଠେଇଥିଲି
ସବୁଗୁଡା fb ରେ ଛାଡି ତ ଦେଲି
ଲଭ୍ ୟୁ ଜାନୁ ବୋଲି ଷ୍ଟାଟସରେ ରଖି
ସାବିତ୍ରୀ ପାଳିଲି ନିଜ ଫଟୋ ଦେଖି ଦେଖି।
*ସୌମେନ୍ଦ୍ର*
ସତେ ଆଜି କେମିତିକା ଯୁଗ ବଦଳିଲା
ସାବିତ୍ରୀ ବ୍ରତ ଯେ ଖାଲି ପ୍ରହସନ ହେଲା
ଫେସବୁକରେ ଆଜି ଖାଲି ଫଟୋ ମାଳମାଳ
ହୁଆଟସ୍ୱାପ status କଥା ନ କହିଲେ ଭଲ
ଲାଗୁଛି ସତେ ଲୋକଙ୍କ କାମ ନାହିଁ କିଛି
ଟିଭିରେ ଫ୍ୟାସନ ସୋ ବସି ମୁଁ ଦେଖୁଛି
ନାଲି ଗୋଲାପି ଲିପିଷ୍ଟିକ ଓଠେ ବୋଳି
ସ୍ତ୍ରୀ ମାନେ ଏଠି କରୁଛନ୍ତି ଫେସନ ରାଲି
ଏଇଟା ପରା ମର୍ଡନ ଯୁଗର
ନିଆରା ଶୈଳୀର ସାବିତ୍ରୀ ବ୍ରତ
ମୋର ଜେମାମଣି
ବାଦ ଯାଇଥାନ୍ତେ କେମନ୍ତ
ମତେ ଜାବୁଡି ଧରି
ଆଖି ଓଠ ବଙ୍କା କରି
ନେଲେ ଏତେ ଯେ selfie ତାଙ୍କର
ଧିକ ମୋ ସ୍ବାମୀ ପଣକୁ ଧିକ ମୋ ସଂସାର
ସେଲଫିରେ ସ୍ତ୍ରୀ ସଙ୍ଗେ ଲାଗୁଛି ମୁଁ ଜୋକର
*ସୁଚି*
ସକାଳ ୮ଟା ରେ ଖାଇବା ଝିଅ ମୁଁ
ବାଜିଲାଣି ଆଜି ଆସି ବାରଟା
ତୁଣ୍ଡେ ଏଯାଏ ଟିକେ ପାଣି ଦେଇନାହିଁ
ହେଲେ ସରୁନି ଏ ଓଷା ଆଉ ପୁଜା
ସ୍ୱାମୀଙ୍କ ଶୁଭପାଇଁ କରିବି କି ପୂଜା ଗୋ
ଲଢ଼ିବି କେମନ୍ତ ଯମ ରାଜା ସହ
ଆଉ କିଛି ସମୟ ଉପାସେ ରହିଲେ
ଯମ ପ୍ରଥମେ ଜୀବନ ନେବ ମୋହର
ମନ ଦୁଃଖେ ମୁହିଁ ଭୋକ ଉପାସରେ
ମୁହଁ ମାଡି ପଡିଲି ଖଟ ଉପରେ
ଏତିକି ବେଳେ ସ୍ୱାମୀ ମୋର ଆସିଲେ
ଧରି ରୁଟି, ଡାଲମା ହାତରେ।
କହିଲେ ଛାଡ଼ ଏଇ ଉପାସ ବ୍ରତ
ଏଥିରେ ମୁଁ କି ଯମରାଜ ହେବୁନାହିଁ ତୋଷ
ଘିଅ ଛୁଙ୍କ ଦେଇ କରିଛି ବାଡ଼ିଆ ଡାଲମା
ଆସ ମିଶି ଖାଇବା ମୋର ପ୍ରିୟତମା
ରୁଟି ସହ ଟିକେ ଡାଲମା ନେଇ
ସିଏ ମତେ ଖୁଆଇଦେଲେ
ମୁଣ୍ଡକୁ ଟିକେ ଆଉଁସି ମୋହର
ମଥାରେ ଚୁମାଟିଏ ଦେଲେ।
*ସୌମେନ୍ଦ୍ର*
ନିଜ ଶରୀରକୁ ଏତେ କଷ୍ଟ ଦେଇ
କାହିଁକି ପାଳିବ ବ୍ରତ
ଈଶ୍ବରଙ୍କ ଠାରେ ରଖିବା ବିଶ୍ୱାସ
ମନ କରି ଶୁଦ୍ଧ ପୁତ
ଶ୍ରଦ୍ଧା ବିନା ସବୁ ଔପଚାରିକତା
ଥିଲେ କିଛି ଲାଭ ନାହିଁ
ସେଲଫି ଉଠେଇବା ନିରର୍ଥକ ଯଦି
ସ୍ବାମୀ ଠାରେ ଶ୍ରଦ୍ଧା ନାହିଁ
ସ୍ବାମୀ ପାଇଁ ଖାଲି ମଙ୍ଗଳ ମନାସି
ସ୍ତ୍ରୀ କରିବ ଓଷା ବାର
ସ୍ବାମୀ ସ୍ତ୍ରୀ ପାଇଁ କେତେ କରେ ଓଷା
କେତେ ବା କରେ ଆଦର ?
ଲୋକଦେଖାଣିଆ ପ୍ରକୃତି ଛାଡ଼ିବା
ହୀନ ସ୍ବଭାବ ମନର
ପରସ୍ପର ଦୃଢ ବିଶ୍ବାସ ରହିଲେ
ଘର ହିଁ ବୈକୁଣ୍ଠ ପୁର ।