ପ୍ରଣାମ ଉତ୍କଳ
ପ୍ରଣାମ ଉତ୍କଳ
*ସୁ -*
ସୁନୀଳ ଗଗନ ବନ ଉପବନ ନମନ୍ତି ଚରଣ ଯାର
ଦଶଦିଗପାଳ ସ୍ତୁତି ଯା କରନ୍ତି ପାଦ ଧୁଏ ରତ୍ନାକର
ମୁକ୍ତ କଳକଣ୍ଠ ପଞ୍ଚମ ରାଗରେ ଗାଏ ଯା ଗୌରବ ଗୀତି
ସେ ଉତ୍କଳ ଭୂମି ପାଦପଦ୍ମେ ମୁହିଁ ପ୍ରଣାମ କରଇ ନିତି ।
*ଚି -*
ଚିରସ୍ରୋତା ମହାନଦୀ ଝରଣାରେ ଭରିରହିଛି ପୀୟୂଷ
ପରିଚୟ ଯାର ରତ୍ନ ସିଂହାସନେ ବିଜେ ସ୍ୱୟଂ ଜଗଦୀଶ
ସବୁଜ ବନାନୀ ଦିବସ ଯାମିନୀ ଶୃଙ୍ଗାର କରନ୍ତି ଯାର
ସେ ଉତ୍କଳ ଭୂମି ଅଭୟ ଚରଣେ ଶତ ପ୍ରଣିପାତ ମୋର ।
*ସ୍ମି -*
ସ୍ମିତହାସ୍ୟ ଯାର ପୁରି ରହିଅଛି ଫଳ,ଶସ୍ୟ କୁସୁମରେ
ଓଡିଶୀ,ମାହାରୀ,ଗୋଟିପୁଅ,ଛଉ,ପାଲା,ଦାସକାଠିଆରେ
ବଖାଣନ୍ତି ଯାର ଅନିନ୍ଦ୍ୟ ସଂସ୍କୃତି ଅତି ହର୍ଷ ଉଲ୍ଲାସରେ
ଧୋୟେ ମୁଁ ପୟର ସେହି ଉତ୍କଳର ପ୍ରତି ନିତି ଜୀବନରେ ।
*ତା -*
ତାରକୋଳ ଜନ୍ମ ଦେଇଛି କେତେ ସନ୍ୟାସୀ,ସଂଗ୍ରାମୀ
ବୀରକୁ
ତାର ସୁମଧୁର ଭାଷା ଜିଣିଅଛି କେତେ ଶତ୍ରୁ ହୃଦୟକୁ
ଶାସ୍ତ୍ରୀୟ ମାନ୍ୟତା ଲଭିଅଛି ଯାହା ଆଜି ବିଶ୍ୱ ଦରବାରେ
କରପତ୍ର ଯୋଡ଼ି ପ୍ରଣାମ ମୁଁ କରେ ତାର ଦିବ୍ୟ ଚରଣରେ
*ସା -*
ସାହିତ୍ୟ, ସଂସ୍କୃତି, କଳା, ଭସ୍କର୍ଯ୍ୟରେ ଯାହାର ତୁଳନା ନାହିଁ
ଯାହାର ନିହାଣ ମୁଗୁର ପ୍ରହାରେ ପାଷାଣ ଜୀବନ୍ତ ହୋଇ
ଜାଭା, ସୁମାତ୍ରା, ଇଣ୍ଡୋନେସିଆରେ ପରିବ୍ୟାପ୍ତ ଯାର ଖ୍ୟାତି
ସେହି ଉତ୍କଳର ଚରଣେ ମୁଁ ଢାଳେ ଭକତି କୁସୁମ ନିତି।
*ହୁ -*
ହୁଙ୍କାରରେ ଯାର ହୁଏ ଥରହର ଶ୍ରତ୍ରୁର ନିଷ୍ଠୁର ଛାତି
ଗଙ୍ଗା ଠାରୁ ଗୋଦାବରୀ ପରିବ୍ୟାପ୍ତ ଯାହାର ଅକ୍ଷୟ କୀର୍ତ୍ତି
ଯେତେ ଲେଖିଲେବି ସରିବନି ଯାର ଅସୀମ ଗୌରବ ଗାଥା
ସେହି ଉତ୍କଳର ଦିବ୍ୟ ଚରଣରେ ସଶ୍ରଦ୍ଧେ ନୁଆଁଏ ମଥା ।
