ଆଲୋକର ରଙ୍ଗ
ଆଲୋକର ରଙ୍ଗ
କୁହ ବନ୍ଧୁ ବେଗେ ମନେ ଉଠିଛି ଜିଜ୍ଞାସା
ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ କି ଅଟେ ସହସା ।
କେବେ ଦିଶେ ନାଲି କେବେ କମଳା ରଙ୍ଗକୁ
କେବେ ପୁଣି ଦିଶେ ଧଳା ବେନି ନୟନକୁ ।
ବନ୍ଧୁଙ୍କ ମୁଖରୁ ଏମନ୍ତ ପ୍ରଶ୍ନକୁ ଯେ ଶୁଣି
ଉତ୍ତର ଦେଲି ମୁଁ ବନ୍ଧୁ ମନକଥା ଜାଣି ।
ସୂର୍ଯ୍ୟ ନିଜ ମଧ୍ୟେ ସବୁ ରଙ୍ଗ ଧରିଥାଇ
ସବୁରଙ୍ଗ ମିଶି ନେତ୍ରେ ଧବଳ ଦିଶଇ ।
ଯେବେ ସୂର୍ଯ୍ୟ ରଶ୍ମି ବସ୍ତୁ ଉପରେ ପଡ଼ଇ
ସେଥିରୁ ଆଂଶିକ ବସ୍ତୁ ଶୋଷଣ କରଇ ।
ବାକି ରଶ୍ମି ବାହାରକୁ ଲେଉଟି ଆସଇ
ପ୍ରତିଫଳିତ ହୋଇଣ ନେତ୍ରରେ ପଡ଼ଇ ।
ଶୋଷିତ, ପ୍ରତିଫଳିତ ଏ ଦୁଇ ନାମରେ
ଏହି ରଶ୍ମି ଜଣାଶୁଣା ବିଜ୍ଞାନ ଭାଷାରେ ।
ଯେଉଁ ରଶ୍ମି ବସ୍ତୁ ଠାରୁ ଆସେ ବାହାରକୁ
ବସ୍ତୁଟି ସେହି ରଙ୍ଗର ଦିଶେ ନୟନକୁ ।
ନ କରେ ଶୋଷଣ ସୂର୍ଯ୍ୟ କୌଣସି ରଶ୍ମିକୁ
ସବୁ ଆଲୋକକୁ ଛାଡେ ବାହ୍ୟ ଜଗତକୁ ।
ସେହି ରୂପେ ଇନ୍ଦ୍ର ଧନୁ ସୂର୍ଯ୍ୟର କିରଣ
ଯାହା ସାତ ରଙ୍ଗରେ ବିଭକ୍ତ ବୋଲି ଜାଣ ।
ଏବେ ନିଶ୍ଚେ ପ୍ରଶ୍ନ ଆସୁଥିବ ତୁମ୍ଭ ମନେ
କି ଗୁଢ଼ ତଥ୍ୟ ରହିଛି ରଙ୍ଗର କିରଣେ ?
ବନ୍ଧୁଙ୍କ ମୁଖରୁ ଏହି ଜିଜ୍ଞାସାକୁ ପାଇ
କହିଲି ମୁଁ ବନ୍ଧୁ ତୁମେ ଶୁଣ ମନଦେଇ ।
ଆଲୋକ ଯେ ପ୍ରକୃତରେ ତରଙ୍ଗ ଅଟଇ
ଯାହାର ବିବିଧ ଦୈର୍ଘ୍ୟ ପ୍ରକାରରେ ଥାଇ ।
ତରଙ୍ଗ ଦୈର୍ଘ୍ୟ ନାମରେ ତା ହା ଜଣାଶୁଣା
ଯହିଁ ରୁ ବିବିଧ ରଙ୍ଗ ସ୍ଥିର ହୁଏ ସିନା ।
ନାଲିର ତରଙ୍ଗଦୈର୍ଘ୍ୟ ଅଟେ ସର୍ବାଧିକ
ତେଣୁ ତାହା ଦିଶୁଥାଇ ଦୂରକୁ ଅଧିକ ।
ବାଇଗଣୀର ତରଙ୍ଗ ଦୈର୍ଘ୍ୟ ଅଟେ ସର୍ବନିମ୍ନ
ଆଲୋକ ର ଏହି ତଥ୍ୟ ମନଦେଇ ଶୁଣ ।
