ଗୁରୁଦେବ
ଗୁରୁଦେବ
ଗୁରୁ ହିଁ ଜୀବନ ଗୁରୁ ପ୍ରାଣଧନ
ଗୁରୁ ବିନା ନାହିଁ ମୁକ୍ତି
କୋଟିଏ ପ୍ରଣାମ ଘେନ ଗୁରୁଦେବ
ଶ୍ରୀ ଚରଣ ତଳେ ସ୍ତୁତି।
ଶିକ୍ଷାଦାନ ଯା'ର ଜୀବନ ସାଧନା
ତପସ୍ୟା ସେନେହ ଦାନ
ଗୁରୁଜନ ମାନେ ଜଗତେ ବିଖ୍ୟାତ
ସେ ଯେ ଅଟନ୍ତି ମହାନ ।
ଅହରହ ଶିଶ୍ୟେ ଢାଳିଦେଉଥାନ୍ତି
ଜ୍ଞାନର ଅମୃତଧାରା
ହୃଦୟ କନ୍ଦରୁ ଝରିପଡେ ପ୍ରେମ
ଆହା କେତେ ମନୋହରା ।
ସ୍ନେହ ସୁଦ୍ଧାବୋଳା ବାତ୍ସଲ୍ୟ ମମତା
ମଧୁଝରା ଗୁଣାବଳୀ
ନିରତେ ବାଣ୍ଟିଣ ସହସ୍ର ସନ୍ତାନେ
ପିତୃଭାବ ହୃଦେ ଭରି ।
ସାହିପଡିଶାର ହୃଦୟ ଜିଣିଛ
ସୁଖଦୁଃଖ ବାଣ୍ଟିଦେଇ
ଅଜସ୍ର ପ୍ରଶଂସା ସାଉଁଟି ଆଣିଛ
ସଂସାର ଜନଙ୍କୁ ମୋହି ।
ମଧୁମୟ ବାଣୀ ତୁମରି ମୁଖରୁ
ସଂସାର ଜନେ ଶିଖନ୍ତି
ସଂସ୍କାର ଆଚାର ବିଚାର ପ୍ରକାର
ତୁମଠାରୁ ପାଉଥାନ୍ତି ।
ରାଷ୍ଟ୍ର ନିର୍ମାଣରେ ବିନ୍ଧାଣୀ ସାଜ ହେ
ସୁସନ୍ତାନ ଗଢିଦେଇ
ଦେଶର ନାମକୁ ଉଜ୍ଜୀବିତ କର
ଜ୍ଞାନ ସଞ୍ଜିବନୀ ଦେଇ ।
ମଣିଷ ତିଆର ଛୋଟକଥା ନୁହଁ
ମାଟି ପିଣ୍ଡୁଳାର ସମ
ସୁନ୍ଦର ମୂର୍ତ୍ତିଟି ଗଢ଼ିଦେଇପାର
ସାଧିଣ ଅସାଧ୍ୟ କର୍ମ ।
ଶିକ୍ଷକ ଡାକ୍ତର ମନ୍ତ୍ରୀ ଓ ଲେଖକ
ତୁମ ହାତେ ଗଢାହୋନ୍ତି
ସମସ୍ତେ ମିଶିଣ ସୁନାର ଭାରତ
ନିରନ୍ତର ଗଢ଼ୁଥାନ୍ତି ।
ତୁମକୃପା ବଳେ ଅସାଧ୍ୟ ସାଧନ
ମାନବ ଲଭଇ ସିନା
ସଂସାର ମନ୍ଦିରେ ମୁଣ୍ଡି ମାରିଦିଅ
ଅପାର ତୁମ କରୁଣା ।
ଯୁଗେଯୁଗେ ଗୁରୁ ତୁମରି ମହିମା
ବ୍ରହ୍ମା ବିଷ୍ଣୁ ମହେଶ୍ୱର
ତୁମରି ଶରଣେ ମୁକତି ମିଳଇ
ଅଜ୍ଞାନ ହୁଅଇ ଦୂର ।