ଗୁରୁ
ଗୁରୁ
'ଗୁରୁ' ଦୁଇ ଅକ୍ଷରରେ 'ଉ'କାର ଯୁକ୍ତ
ଗୋଟିଏ ନିଆରା ଶବ୍ଦ,
ଯା'ର କିଞ୍ଚିତ କରୁଣାରେ ମୂକ
ପ୍ରଗଳ୍ଭ ହୋଇ ପ୍ରକାଶେ ଅସରନ୍ତି ପଦ।
ଗୁରୁ ଜ୍ଞାନ ସାଗରର ଜଣେ ସୁଦକ୍ଷ
ଅଭିଜ୍ଞ ନଉକା ଚାଳକ,
ଅଜ୍ଞାନତାର ଘନ ଅନ୍ଧାରରେ
ପଥହରାଙ୍କ ଦିଗ୍ ଦର୍ଶକ।
ଗୁରୁ ଶିଷ୍ୟର ଜୀବନ ଆକାଶରେ
ଦୀପ୍ତିମାନ ଧ୍ରୁବତାରା,
ଅଥଳ ଥଳ ସଂସାର ସମୁଦ୍ରକୁ
ପାରି ହୋଇ କୂଳରେ ପହଞ୍ଚିବାର ସାହାରା।
ଯୁଗେ ଯୁଗେ ଗୁରୁ ଚିର ପୂଜ୍ୟ ନମସ୍ୟ,
ଗୁରୁ ହିଁ ଶିଷ୍ଯଙ୍କୁ ପ୍ରାଞ୍ଜଳଭାବେ
ବ୍ୟାଖ୍ୟା କରି ବୁଝାଇଥାନ୍ତି
ଗହନ ସୃଷ୍ଟି ତତ୍ତ୍ଵର ରହସ୍ୟ।
ଜ୍ଞାନ ବିନା ଏ ମନୋମୟ ଶରୀର ଜଡ
ସ୍ଥାଣୁ ପ୍ରାୟେ ଅଚଳ ନିଶ୍ଚଳ,
ଜ୍ଞାନ ଦାନେ ସତ୍ ଗୁରୁ
p>
ସେ ଶରୀରକୁ କରନ୍ତି ସଚଳ କ୍ରିୟାଶୀଳ।
ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦିପନୀଙ୍କଠାରୁ
ବୃହସ୍ପତି ବଶିଷ୍ଠ ଦୁର୍ବାସା ଯେତେ ମୁନି ଋଷି,
ଏ ଯୁଗର ଗୁରୁ ରାମକୃଷ୍ଣ
ଶ୍ରୀମା ଅରବିନ୍ଦ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍
ସ୍ଵାମୀ ବିବେକାନନ୍ଦ ପରି ଗୁରୁଙ୍କ
ଜ୍ଞାନଦାନେ ଶିଷ୍ୟଙ୍କ ପ୍ରତିଭା ଉଠିଛି ବିକଶି।
ଗୁରୁଙ୍କ ମହନୀୟ ମହିମାର ତୁଳନା ନାହିଁ,
ଶୁଭ ଆଶୀର୍ବାଦ ଜ୍ଞାନ ପ୍ରଦାନେ
ଯାହା ଯାହା କରନ୍ତି ଶିଷ୍ୟଙ୍କ ପାଇଁ।
ସେ ପରମ ପୂଜ୍ୟ ଗୁରୁଦେବଙ୍କ ସାଥେ
ଆଦି ଗୁରୁ ପିତାମାତା ଶିକ୍ଷା ଗୁରୁ ଦୀକ୍ଷା ଗୁରୁ
ସତ୍ୟ ଗୁରୁ ସ୍ବୟଂ ମହାପ୍ରଭୁ ପରଂବ୍ରହ୍ମ,
ସଭିଁଙ୍କୁ କରେ କୋଟି କୋଟି ପ୍ରଣାମ
ଶ୍ରୀ ପଦରେ ତାଙ୍କ ଭକ୍ତିର ନୈବେଦ୍ୟ
ଢାଳୁଥିବି ହୃଦୟରୁ ଜନମ ଜନମ ।