ହେ ଆକାଶ
ହେ ଆକାଶ


ହେ ଆକାଶ
ପୁଙ୍ଗୁଳା ରଖ ତୁମର ଦେହକୁ
ତୁମ ସୂର୍ଯ୍ୟର ସବୁ ଆଲୋକ ଧାରା
ବିଞ୍ଚି ଦେଲା ପରେ
ନିଜେ ରହିଥାଅ ଅନ୍ଧକାରରେ,
ରାତିରେ ବି ଏତେ ତାରା
ଆଉ ରୂପେଲି ଜହ୍ନକୁ
ହସାଇ ଦିଅ ଭଲ ପାଇବାରେ
ଶୀତଳତା ଆଣଦିଅ ପୃଥିବୀରେ।
ଶୂନ୍ୟତାରେ ଭରିବାକୁ ପୁଣ୍ୟ
ସବୁରି ସେବାରେ
କର ସଂପୂର୍ଣ୍ଣ ସମର୍ପଣ,
ବିନିଯୋଗ କରି ତୁମର
ସମସ୍ତ ସମ୍ବଳକୁ
ମହନୀୟତାର ଦିଅ ପ୍ରମାଣ।
ସେବା ତ୍ଯାଗ ଆଦର୍ଶର
ଜୟଯାତ୍ରା ପଥେ ରହି
ଉର୍ଦ୍ଧରେ ଥିବାରୁ
ତୁମେ ହୋଇଛ ଆକାଶ,
ସଦା ଉଦାର ଗମ୍ଭୀର
ନାହିଁ ବଡ଼ପଣର ମାନ ଅଭିମାନ
କି ବୃଥା ଅହଙ୍କାରର ଦମ୍ଭ
ସବୁରି ମୁଣ୍ଡ ଉପରେ ରହି
ଢ଼ାଳି ଦେଉଛ ଆଶିଷ।
ହେ ଆକାଶ
ତୁମ ପୁଙ୍ଗୁଳା ଦେହଟାକୁ
ବେଳେ ବେଳେ
ମେଘ ଦିଏ ଘୋଡ଼ାଇ,
ଦେଲେ ତାକୁ ବୁଝାଇ
ବରଷି ଯାଏ ସ
ରାଗରେ
ଅମୃତ ଦିଏ ଅଜାଡି।
ସବୁଜ ସୁଷମାରେ ଭରି
ଫୁଲେ ଫଳେ ହସେ ଧରଣୀ,
ଋତୁ ବଦଳାଇ
ଆବଶ୍ୟକତା ଯାହା
ଦିଏ ସବୁ ପୁରାଇ
ସମୟର ସୁବିଧା ସୁଯୋଗ ଆଣି।
ସବୁରି ମଙ୍ଗଳ ଲାଗି
ଅବିରତେ ଦେଉଛ ଖରା ବର୍ଷା,
ମନରେ ତୁମର ନାହିଁ ତିଳେ
ଭେଦାଭେଦ କି ଘୃଣା ଦ୍ୱେଷ ଇର୍ଷା।
ଏ ଦୁନିଆଁକୁ ତୁମେ
ବୁଝାଇ ଦିଅ
କିଛି ବି ନୁହେଁ ନିଜସ୍ଵ କାହାର,
ସମସ୍ତେ ତାର ଆତ୍ମୀୟ ନିଜର
ସେ ସାରା ଜଗତର।
ଶୂନ୍ୟ ରହିବା
ସ୍ଵତନ୍ତ୍ର ନିଆରା ତୁମର ଚରିତ୍ର
ଅକୁଣ୍ଠିତ ଭାବରେ ଦିଅ
ହୃଦୟର ସହାନୁଭୂତି ଅନୁକମ୍ପା,
ତୁମ ପରି ଗୁଣ ସ୍ଵଭାବର କା' ନିଏ
ସଂସାରରେ ବାପା।
ସବୁ କିଛି ଦେଇ ବଳିଦାନ
ସିଏ ବି ସେମିତି ପୁଙ୍ଗୁଳା ରହେ
କିଛିକୁ ରଖେନା ସେ ପାଖରେ ତା'ର,
ତୁମ ପରି ଉଦାର ନମ୍ର
ରହେ ନିର୍ବିକାର
ଉତ୍ସର୍ଗ କରିଦିଏ ସବୁ
ଦରକାର ହୁଏ ଯା' ତା' ପରିବାରର
ହେ ଆକାଶ......।