ହୃଦୟ ବୀଣାର ସ୍ଵର ଝଙ୍କାର
ହୃଦୟ ବୀଣାର ସ୍ଵର ଝଙ୍କାର
ହେ ଆତ୍ମନ୍ ! ଶୁଣିଛ କି କେବେ ଏକାକୀ
ହୃଦୟ ବୀଣାର ଦିବ୍ୟ ସ୍ବର ଝଙ୍କାର
ସାତ ସୁରେ ବାଜେ ତୋଳି ରାଗ ରାଗିଣୀ
ତା'ଠାରୁ ନାହିଁ କିଛି ବି ମଧୁର ସଙ୍ଗୀତ
ସୃଷ୍ଟିର ଅନୁପମ ରଚନା ସେ ଆଦି ଝଙ୍କାର
ଝଙ୍କୃତ ହୁଏ ଅନ୍ତରରେ ନିରନ୍ତର
ନ ଶୁଣିଛ ଯଦି ଶୁଣ ଥରେ ନିସ୍ତବ୍ଧରେ
ସେ ବ୍ରହ୍ମନାଦ କରୁଛନ୍ତି ଶିବ ଶମ୍ଭୁ ସେ ଶଙ୍କର
ହୃଦୟ ବୀଣାର ଦିବ୍ୟ ସ୍ଵର ଝଙ୍କାର
ସ୍ତମ୍ଭିଭୂତ ହୁଏ ହୃଦ୍ ସ୍ପନ୍ଦନେ ପ୍ରାଣର ପ୍ରଶ୍ଵାସ
ସ୍ଥିତ ପ୍ରଜ୍ଞ ହୋଇଯାଏ ଚଳ ଚଞ୍ଚଳ ମନ
ଏକାଗ୍ରତାରେ ନିମଗ୍ନ ରହେ ସେ ନିର୍ବିକାର
ଅପୂର୍ବ ଅନୁଭବ ହୁଏ ସୂକ୍ଷ୍ମ ଚେତନାରେ
ନିଜ ଭିତରର ଏ ଯେ ଆତ୍ମସାକ୍ଷାତକାର
ହୃଦୟ ବୀଣାର ଦିବ୍ୟ ସ୍ଵର ଝଙ୍କାର
ମଧୁମୟ ଲାଗେ ସେ ଅଖଣ୍ଡ ସୂକ୍ଷ୍ମ ସଂସାର
ଜୀବ ପରମଙ୍କ ନିତ୍ୟରାସର ବୃନ୍ଦାବନେ
ସଜଫୁଟା ରହେ ଜୀବନ ଫୁଲ
ହେ ଆତ୍ମନ୍ ! କରି ଦେଖ ଧ୍
ୟାନ ଧାରଣା
ନାହିଁ ଏଠି ପାର୍ଥିବ ଜଗତର ବ୍ୟଥା ବେଦନା
ନାହିଁ ପାତ୍ର ଅନ୍ତରର ଭେଦାଭେଦ ଅସ୍ମିତା
ବିବେକ କରୁଥାଏ ସ୍ଵତନ୍ତ୍ର ବିଚାର
ଏ ବହିର୍ମୁଖୀ ଜଗତରୁ ହୁଅ ଅନ୍ତର୍ମୁଖୀ
ନିଜ ଅନ୍ତରରେ ଦର୍ଶନ ଦିଅନ୍ତି ଅନ୍ତର୍ଯ୍ୟାମୀ
ଶୁଭେ ହୃଦୟ ବୀଣାର ଦିବ୍ୟ ସ୍ଵର ଝଙ୍କାର
ଚିର ଜାଜ୍ଜ୍ୱଲ୍ୟମାନ ସେ ତୁରୀୟ ଜ୍ଞାନ
ନାହିଁ ସେଠି ରୋଗ ଶୋକ ଜରା ଭୟ କିଛି
ଅଜ୍ଞାନ ଅନ୍ଧାର ଦୂରାଏ ପ୍ରଜ୍ଜଳିତେ ଅଖଣ୍ଡ ଦୀପ
ସତ୍ୟ ଶାନ୍ତି ଦୟା କ୍ଷମା'ର ସେ ଶ୍ରୀକ୍ଷେତ୍ର
ଜୀବନ ଯଜ୍ଞ ଚାଲିଛି ସେଠି ଅହରହ
ଏ ଯେ ହୃଦୟ ବୀଣାର ଦିବ୍ୟ ସ୍ଵର ଝଙ୍କାର
ଅନାହତ ପ୍ରଣବ ଧ୍ଵନି ଓଁକାର ବୀଜମନ୍ତ୍ର
ଜନ୍ମ ମୃତ୍ୟୁର ଚକ୍ରରୁ କରିଥାଏ ବନ୍ଧନ ମୁକ୍ତ
ମିଳେ ଚରମ ପରମ ତୃପ୍ତି ସନ୍ତୋଷ
ଆସକ୍ତି ଯେତେ ହୁଅଇ ଏଠାରେ ନିର୍ପିପ୍ତ
ଶକ୍ତି ଭରିଦିଏ ହୃଦୟ ବୀଣାର ଦିବ୍ୟ ଝଙ୍କାର।