ଗୁପ୍ତଧନ
ଗୁପ୍ତଧନ
ଏକଦା ରାତିରେ ଭୋଜନର ପରେ
ବିଶ୍ରାମର ଆଶାନେଇ
ଶେଯ ପରେ ଲୋଟି ଗଲି ମୁହିଁ ଧିରେ
ଝରକା ଫାଙ୍କେ ଅନାଇ |
ଚନ୍ଦ୍ରର ଚନ୍ଦ୍ରିମା ଝରି ପଡୁଅଛି
ଆକାଶର ପଥ ଧାରେ
ସେଥିରୁ କିଞ୍ଚିତ ଝରକା ଫାଙ୍କରେ
ପଡୁଥିଲା ମୋ ଉପରୋ |
ମନେ ମନେ ମୁହିଁ ଈଶ୍ବରଙ୍କୁ ସ୍ମରି
ଧନ୍ୟବାଦ ଜଣାଇଲି
କାଲିର ସକାଳ କି ବାର୍ତ୍ତା ଆଣିବ
ଭାବି ଭାବି ଶୋଇଗଲି |
ତେଲ ଲୁଣର ମୋ ସଂସାର ଜଞ୍ଜାଳ
କହିଲେ ସରିବ ନାହିଁ
ଓଳିଏ ଖାଇଲେ ଓଳିଏ ଉପାସେ
ବିତାଇ ଦିଅଇ ମୁହିଁ |
ପେଟ ଚିନ୍ତା ମୋର ଥିଲା ଚମତ୍କାର
ଭାବି ଭାବି ଗଲି ଶୋଇ
ଗଭୀର ନିଦରେ ଦେଖିଲି ସପନେ
ପରୀଟିଏ ଚାନ୍ଦମୁହିଁ |
ମୋ ହାତକୁ ଧରି ତା ଓଠେ ଚୁମିଲା
ପଚାରିଲା ଭଲମନ୍ଦ
ସବୁ ଶୁଣିସାରି କହିଲା ଏବେଠୁ
ହଟିଯିବ ନିରାନନ୍ଦ |
କହିଲା ଶୋଇବା କୋଠରୀର ମାଟି
ତଳେ ଅଛି ଗୁପ୍ତଧନ
ଖୋଳିଲେ ପାଇବ ସେହି ଗୁପ୍ତଧନ
ହଟିବ ଦୁଃଖର ଦିନ |
ପ୍ରତ୍ୟେକ କାନ୍ଥରୁ ଚାରିଫୁଟ ଛାଡି
ଚାରି ବାହୁ ଚାରିଫୁଟ
ଗାତଟେ ଖୋଳିଲେ ଚାରିଫୁଟ ତଳେ
ରହିଛି ଏକ କବାଟ |
ସେହି କବାଟର ନିକଟେ ପାଇବ
ସିନ୍ଦୁକଟିଏ କାଠର
ତାହାକୁ ଖୋଲିଣ ପିନ୍ଧିନେବ ତୁମେ
ବସନ କରି ବାହାର |
ସିନ୍ଦୁକରୁ କାଢି ମୁଣାଟିଏ ଆଉ
ନାଲି ରଙ୍ଗର ବୋତଲ
ଖୋଲି ଯାଅ ଦ୍ବାର କହି ସିଞ୍ଚିଦେବ
ସେହି ବୋତଲୁ ତରଳ |
ଏହା କହି ପରୀ ଅନ୍ତର୍ଦ୍ଧାନ ହେଲେ
ନିଦ ଭାଙ୍ଗିଗଲା ମୋର
ପରୀ କଥାସବୁ କାନେ ଗୁଞ୍ଜରିତ
ହେଲା ମୋର ବାରମ୍ବାର |
ଏହାପରେ ମୁହିଁ ପରୀ କଥା ମତେ
ସବୁ କାମ କରିଗଲି
ସତକୁ ସତ ମୁଁ ସୁନ୍ଦର ଗୋଟିଏ
କୋଠରୀରେ ପହଞ୍ଚିଲି |
ସେ ସୁନ୍ଦରୀ ପରୀ ଉଭା ହୋଇ ମୋତେ
କହିଲା ଆହେ ଯୁବକ
ଦେଖ ଚାରିଆଡେ କେତେ ରତ୍ନ ମଣି
ନେଇଯାଅ ସବୁତକ |
ଏହି ଗୁପ୍ତଧନ ତୁମର ଆଜିଠୁ
ମୋତେ ହୁଅ ତୁମେ ବାହା
ମୁଁ ହେବି ତୁମର ସୁଖର ଦୁଃଖର
ବିପଦେ ଆପଦେ ସାହା |
ପରୀର କଥାରେ ଏକମତ ହୋଇ
ଲଭି ସେହି ଗୁପ୍ତଧନ
ଅଭାବ କଷଣ ଦୂର ହେଲା ମୋର
କାଟୁଛି ସୁଖେ ଜୀବନ |
