ଗୁହାରି
ଗୁହାରି
ଜୀବନ ଯମୁନା ଉଜାଣି ବହୁଛି
ପାଉ ନାହିଁ ଥଳ କୂଳ
ଯେଉଁ ନାଆରେ ପାଦ ରଖିଲି
ହେଉ ଅଛି ସେ ଅସ୍ଥିର
ଉଦ୍ଧାର ହେ ରଙ୍ଗା ଅଧର
ତୁମେ ନ ରଖିଲେ ଏ ଦୁଃଖ ସାଗରୁ
ଭାସି ଯିବ ମୋ ସଂସାର ।
ଯାହା ଦେଇ ଥିଲ ସବୁ ହରି ନେଲ
ଧନ ମାନ କର୍ମ ଜ୍ଞାନ ସମ୍ମାନ
ଅଜାଡ଼ି ଦେଇଛ ଦୁଃଖର ପସରା
ସହୁଛି ନିତି ମୁଁ କଷଣ
ମରଣଠୁ ବଳି ଏ ଜୀବନ
ଆଖି ପାଉନାହିଁ ଜୀବନ ପଥକୁ
କେମିତି କାଟିବି ଦିନ ।
>କଲେ ଯେଉଁ କାର୍ଯ୍ୟ ହେଉଛି ଅନର୍ଥ
କାହାକୁ କହିବି କୁହ
ସୁନା ଥଳିଆରେ ହାତ ମାରିଦେଲେ
ପିତଳ ହେଉଛି ଯାହା
ମଧୁର ବାକ୍ୟ ମୋ କର୍କଶ ଲାଗୁଛି
ବିଦ୍ରୁପ ଲାଗଇ ହସ
ମାନବିକତାର ହାତ ବଢାଇଲେ
ହେଉଛି ମୁଁ ଅପଦସ୍ତ ।
ଆଖି ଲୁହ ଯେତେ ଆଖିରେ ମରିଲା
ସପନକୁ ରାତି କାହିଁ
ସବୁ ଦେଖୁ ଅଛ ସବୁ ଶୁଣୁ ଅଛ
ତଥାପି ନୀରବେ ବସିଛ ଯାଇ
ତୁମେ ପ୍ରଭୁ ଥାଉ ଥାଉ
କା ଆଗେ ଗୁହାରି କରିବି ଆଉ ।