STORYMIRROR

Sasmita Choudhury

Tragedy

4  

Sasmita Choudhury

Tragedy

ଗରୀବଟେ ବୋଲି ସିନା

ଗରୀବଟେ ବୋଲି ସିନା

1 min
353

ସବୁ ଇଚ୍ଛାଙ୍କର

ନାୟକଟେ ହେଲେ 

ଖୁସି ତ ମୋ ପାଇଁ 

ସୁଦୂର ଆକାଶ 

ଅମାବାସ୍ଯାର ଚନ୍ଦ୍ର, 

ଦୁନିଆ ଶୋଇଲେ

ଗହମ ନିଦରେ

ରାତ୍ରି ମୋ ପାଇଁ 

ନିରବଛିନ୍ନ କାଳିମାରେ ଭରା

ଲୁହ ଓ କୋହର ଯୁଗଳବନ୍ଦୀରେ

ଅସରନ୍ତି ଓ ଅତନ୍ଦ୍ର। 

ଗରୀବଟେ ବୋଲି ସିନା

ଦୁନିଆ ଯାକର ହସର ଆସରେ

ହସିବାକୁ ମୋତେ ମନା। 


ଯେଉଁ ଡାଳ ଧରେ

ସେ ଡାଳ ମୋ ପାଇଁ 

ଛିଣ୍ଡିବା ସତେକି ବିଶ୍ବନିୟନ୍ତାଙ୍କ

ଡାଏରୀ ରେ ସ୍ଥିରୀକୃତ, 

କର୍ମରେ ମୋର 

ବିଡମ୍ବନା କିମ୍ବା 

ନିୟତିର ଏକ କ୍ରୁର ଖେଳର

ଇଏ କିୟଦଂଶ ମାତ୍ର? 

ଗରୀବଟେ ବୋଲି ସିନା 

ସ୍ତ୍ରୀ ପିଲା ମୋର ବାବୁ ଭାୟାଙ୍କ 

 ଶଳା ଶାଳୀର ନମୁନା। 


ଅଭିଶପ୍ତ ମୋର 

ଏଇ ଜୀବନର 

ଦୁଃଖ ଜର୍ଜରିତ 

ପ୍ରତ୍ଯେକ ଅଧ୍ଯାୟ, 

ଅଙ୍କାବଙ୍କା ମୋ

ହସ୍ତ ଲିପି ଭାଗ୍ଯ ରେଖା, 

ଗଢିଛି ପ୍ରାସାଦ, 

ହରିଛି ବିଷାଦ, 

ବଡ ଲୋକିଆଙ୍କ 

ସୁଖ ନିଦ ଲାଗି - 

ମୋ ପ୍ରତି ପ୍ରୟାସ, 

ନିଜେ କିନ୍ତୁ ଅଣଦେଖା। 

ଗରୀବଟେ ବୋଲି ସିନା 

ବାସ୍ତବ ନିଆଁରେ ଜଳୁଥାଏ ମୁଁ 

ହେବା ପାଇଁ ଖାଣ୍ଟି ସୁନା। 


ରାଜ୍ୟ ମୁଖିଆ 

ଘୋଷଣା କରନ୍ତି_

"ଗରିବୀ ହଟିବ, 

ବଦଳିବ କାଳେ

ମୋ ପୃଥିବୀର 

ଭୋକ ଓ ଭେକର 

ଅକ୍ଷାଂଶ, ଦ୍ରାଘିମା - 

ହତାଶା ର ମାନଚିତ୍ର, "

ଫାଙ୍କା ଆଓ୍ବାଜ୍ ଏ

ଭାଙ୍ଗି ଚାଲୁଥାଏ 

ମୋ ଭିତରେ ଯେତେ 

ଆଶା, ଭରସାର

କ୍ଷଣଭଙ୍ଗୁର ବନ୍ଧ।

ଗରୀବଟେ ବୋଲି ସିନା 

ମିଛ ଆଶାର ଏ ସ୍ବପ୍ନ ମୁଠେଇ

 ଅନ୍ଧାରେ ଦେଖେ ଆଇନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy