ଗରିବ ଘରର ସାଥୀ
ଗରିବ ଘରର ସାଥୀ


ଏବେ ସିନା ତୁମେ ବିଜୁଳି ଜାଳୁଛ ମୋତେ କି ଯାଇଛ ଭୁଲି ?
ଦିନଥିଲା ମୁହିଁ ଦିକିଦିକି ଜଳି ଆଲୋକ ଦେଖାଉଥିଲି ।
ଜଡ଼ାତେଲ ପରେ ମାଟିତେଲ ପିଇ ଜଳୁଥିଲି ସଳିତାରେ,
ଅନ୍ଧକାର ଚିରି ବାଟକୁ ଦେଖାଇ ନେଉଥିଲି ଆଲୋକରେ ।
ମହମବତୀରେ ସଳିତା ଲାଗିଲା ଲୋକେ ଆଦରିଲେ ତାକୁ,
କାଚ ଲାଗିଗଲା ସୁବିଧା ହୋଇଲା ଲଣ୍ଠନ ଜାଳିବାକୁ ।
ଧୀରେ ଧୀରେ ପୁଣି ପମ୍ପଲାଇଟ ଜଳିଲା ଆଲୋକ ଦେଇ,
ଗ୍ୟାସ ଲାଇଟ ଆସିଗଲା ସିନା ମୋ ସରି କେ ହେବନାହିଁ ।
ବିଜୁଳି ଆଗରେ ହାରିଥିଲେ ସବୁ ମୁହିଁ ଝଲମଲ କରେ,
ବିଜୁଳି ହାରିଲେ ମୁହିଁ ଜଳିଉଠେ ଗରିବ ଲୋକର ଘରେ ।
ଅଳପ ଧନରେ ହାଲୁକା ପଣରେ କିଏ ସରିହେବ ମୋର ?
ଲିଭେନାହିଁ କେବେ ଝଡ଼ ବତାଶକୁ ନଥାଏ ଟିକେ ଖାତର ।
କେତେଥର ମୋର ରୂପ ବଦଳିଛି ପ୍ରଥମ ଡିବିରି ବତୀ,
ଲଣ୍ଠନ ମୁହିଁ କେତେ ଆକୃତିର ଅନ୍ଧାରକୁ ଗଲି ଜିତି ।