ବିଷ୍ଣୁଭକ୍ତ ନାରଦ
ବିଷ୍ଣୁଭକ୍ତ ନାରଦ
ବ୍ରହ୍ମାଙ୍କର ପୁତ୍ର ବିଷ୍ଣୁ ଭକ୍ତ ସିଏ
ଦେବର୍ଷି ନାମରେ ଖ୍ୟାତ
ତିନିପୁରେ ତାଙ୍କ ନାରାୟଣ ଧ୍ବନୀ
ତାଙ୍କୁ କରାଏ ବିଦିତ ।
କନିଷ୍ଠ ସନ୍ତାନ ବୃଦ୍ଧିମତ୍ତା ପୂର୍ଣ୍ଣ
ତିନିପୁରେ ତାଙ୍କ ଗତି
ଦେବ ଓ ଦାନବ ସମସ୍ତଙ୍କ ପ୍ରିୟ
ସମ୍ବାଦେ ଭେଳାନ୍ତି ମତ୍ତି |
ପ୍ରଥମ ସମ୍ବାଦ ବାହକ ହିସାବେ
ସବୁଠି ବିଶ୍ୱାସ ଯୋଗ୍ୟ
ହାସ୍ୟ ରସେ ଅବା ଗମ୍ଭୀରତା ବଶେ
ଶୁଣାନ୍ତି ଭୂତ ଭବିଷ୍ୟ ।
କଥାକୁ ସଜାଡି କହିବାର କଳା
ତାଙ୍କ ଠୁ ବେଶୀ କେ ଜାଣେ
ସଜେଇ ମଜେଇ ପରଶନ୍ତି ପରା
ସଭିଙ୍କୁ ନିଜର ଲାଗେ |
ଜ୍ୟେଷ୍ଠ ମାସ କୃଷ୍ଣ ପ୍ରତିପଦା ତିଥି
ଦେବର୍ଷି ଙ୍କ ଜନ୍ମତିଥି
ବୈଷ୍ଣବେ ପାଳନ୍ତି ଅତି ଆନନ୍ଦରେ
ବିଷ୍ଣୁ ଭକ୍ତ ଅଷ୍ଟ ନିଧି ।
ମୁଖେ ନାରାୟଣ ଭାବ ଅନୁପମ
ଅପୂର୍ବ ଔଜଲ୍ୟ କାନ୍ତି
ବୀଣା ବାଦନରେ ଅପୂର୍ବ ଢ଼ଙ୍ଗରେ
କରିଥାନ୍ତି ସିଏ ଗତି ।
ନାରାୟଣ ପ୍ରେମ ସର୍ବସ୍ଵ ଯେ ସିଏ
ରକ୍ତେ ନାରାୟଣ ଲେଖା
ନାରଦ କହିଲେ ନାରାୟଣ ଶୁଭେ
ଭକ୍ତ ଶିରୋମଣି ସଖା ।
ତାଙ୍କ ପାଖେ ପରା ତ୍ରିପୁର ଖବର
ସେ ଯେ ଶ୍ରେଷ୍ଠ ବିଷ୍ଣୁ ଭକ୍ତ
ଜୀବନ ତାଙ୍କର ସଂସାର ବିହୀନ
ମୋହ ମାୟା ଶୂନ୍ୟ ରିକ୍ତ ।
ବ୍ରହ୍ମଚର୍ଯ୍ୟ ବ୍ରତ ଜୀବନେ ଆଚ଼ରି
ଭକ୍ତି ରସେ ସେ ଆପ୍ଳୁତ
ମନ ମସ୍ତିସ୍କରେ ହୃଦୟ ତନ୍ତ୍ରୀରେ
ଝରେ ବିଷ୍ଣୁ ନାମାମୃତ ।
ବିଷ୍ଣୁ ଭକ୍ତ ମଣି ଚିର ହର୍ଷିତ ସେ
ଭାବାବେଗେ ବିଷ୍ଣୁ ଉଭା
ଚ଼ାଲି ଯାଉଥିଲେ ନାମର ଅମୃତ
ଝରି ବଢାଏ ଯେ ଆଭା |
ହେ ଚିର ନମସ୍ୟ ବୁହ୍ମାଙ୍କ ନନ୍ଦନ
ଋଷି ଶ୍ରେଷ୍ଠ ମୁନିବର
ଭକତି ଅମୃତ ଢାଳିଦିଅ ଆସି
ଏ ଧରା ହେଉ ସୁନ୍ଦର ।।
