ଜୀବନ
ଜୀବନ
କୁଆଁ କୁଆଁ ରୁ ଆରମ୍ଭ
ଜମଫାଶରେ ଶେଷ
ଇନ୍ତୁଡିଶାଳର ଉଷୁମ
ଜୁଇ ନିଆଁରେ ଭସ୍ମ
ମଝିରେ ଚାଲେ ଜୀବନ ନାଟକ
ଚଲାଇ ଅଭିନୟ କୁହୁକ
ଭାବ ଅଭାବର ଦହକ ।।
ଜୀବନ....
ତୁମେ ନଭଶ୍ଚୁମ୍ଭୀ ପର୍ବତ
ଆକାଂକ୍ଷାର ଗଣିତ
ଦୂରରୁ ସୁନ୍ଦର
ଅନେକ ରହସ୍ୟ
ତୁମ ପାଖ କଳେବର ।
ଚଢିବାରେ ନିଶ୍ଵାସ ଅଟକେ
ଚଢିବାର ନିଶାରେ ବାଧା କେ
ପ୍ରତି ମୂହୁର୍ତ୍ତରେ ଗୋଡ଼ ଖସିବାର ଭୟ
ତଥାପି ଶିଖରରେ ରହିଥାଏ ଲୟ ।।
ଜୀବନ.....
ତୁମେ ବିଶାଳ ଗଗନ
ଛତ୍ର ଛାୟା ଦେଇ ମଧ୍ୟ
ରହୁଛ ମଉନ
ସୂର୍ଯ୍ୟ ଚନ୍ଦ୍ର ତାରା
ଆଉ ଯେତେ ଗ୍ରହ
ବାନ୍ଧି ପାରିଛି ତୁମରି ମୋହ
ସ୍ଵଚ୍ଛ ନିର୍ମଳ କେବେ
ଅନ୍ଧକାର ଭୟ
ଭାଙ୍ଗି ନପାରେ ତୁମ ଲୟ ।
ତପ୍ତ କରାଅ କେବେ ଝରିଯାଅ
କେବେ ମଧୁର ରାଗିଣୀ ଗାଅ
ଅବୁଝା ଓ ରହସ୍ୟମୟ
ଖୋଲା ରଖିଛ ହୃଦୟ ।।
ଜୀବନ.....
ତୁମେ ସର୍ବଂସହା ଧରଣୀ
ଶହଶହ ସୃଷ୍ଟିର ଜନନୀ
ଆବୋରି ସକଳ କଷ୍ଟ
ସ୍ଥାନ ଦେଇଛ
ଇଷ୍ଟ ହେଉ ଅବା ଦୁଷ୍ଟ
ଭିତରେ ଅନଳର ପ୍ରବାହ
ଉପର ସୁଶୀତଳ ଦେହ ।
ସ୍ଥାନ ଦେଇଛ
ଗିରି ନଦୀ ବନ ଉପବନ
ସର୍ବଦା ଛନଛନ
ତୁମ ଯଉବନ
ତୁମେ ଶାନ୍ତ ତୁମେ ସରଳ
ରୌଦ୍ର ରୂପ ନେଇ
ଉଦଗାରି ଗରଳ
ପାଳନ ସଂହାର ତୁମରି କୋଳରେ
ବାନ୍ଧିଛ ସଭିଙ୍କୁ ଏକ ବନ୍ଧନରେ ।।
ଜୀବନ.....
ତୁମେ ଅଙ୍କାବଙ୍କା ନଦୀ
ସାଗର ବୁକୁର ଚଉପଦୀ
ସ୍ଥିର ପୁଣି କେବେ କରି ଗର୍ଜନ
ଶୀତଳତାକୁ ତପନ କରି ହରଣ
ଧୋଉଥାଅ ନିଇତି ସବୁରି ଚରଣ
ପାରାବାର ବକ୍ଷେ
ଲୋଟିବାକୁ ଧାଇଁ
ମୁହାଣରେ ହରାଇ ସତ୍ତା
ହଜିଯାଅ ହରାଇ ମାଦକତା ।
ନିମ୍ନଗାମୀ ତୁମ ଧର୍ମ
ଶୋଷ ମେଣ୍ଟାଇବା କର୍ମ
ହସାଅ ଫସଲ ସିଞ୍ଚି ହୋଇ
କନ୍ଦାଅ ପୁଣି ଉଗ୍ରରୂପ ନେଇ
ମନୋଇ ଚଞ୍ଚଳା ପବିତ୍ର ତନୁ
ଚଳି ନପାରେ ସଂସାର ତୋବିନୁ ।।
ଜୀବନ....
ଜୀଇଁ ପାରିଲେ ନନ୍ଦନବନ
ନିଇତି ଫୁଟେ ପାରିଜାତ
ବିଷ ବି ପାଲଟେ ଅମୃତ
ଝରଇ ମଧୁର ସଙ୍ଗୀତ
ହସ ଖୁସି ସହ ସଙ୍ଗାତ
ନହେଲେ ଲୁହେ ଭିଜେ ପଣତ
ହାତରେ ଧରି ସତ୍ୟର କାତ
ବାହିଚାଲ ପ୍ରେମ ବୋଇତ
ଏମିତି ବୋହି ଯାଉ ଜୀବନ ସ୍ରୋତ ।।
