ବିଦଗ୍ଧ ଗ୍ରୀଷମ
ବିଦଗ୍ଧ ଗ୍ରୀଷମ
ନିଦାଘ ମାସରେ ଜଳୁଥାନ୍ତି ସୂର୍ଯ୍ୟ
ତପନ ତାପକୁ ନହୁଏ ସହି,
ଉତ୍ତପ୍ତ ପବନ ଜାଳେ ସର୍ବ ସ୍ଥାନ
ବୃକ୍ଷ ଲତା ଙ୍କର ଶିରୀ ତୁଟଇ l
ଶୁଷ୍କ ଜଳଧାରା ଜଳ ଜୀବ ସାରା
ଜୀବନକୁ ପାରନ୍ତିନି ବଞ୍ଚାଇ,
ଫାଟି ମାଟି ମାଆ କରିଥାଏ ଆଁ
ଶୁଷ୍କ ଲତା ଘାସ ହଜନ୍ତି କାହିଁ l
ବାଟୋଇ ବିକଳ ବିନା ଟିକେ ଜଳ
ସ୍ବେଦ ଝରି କରେ ଦେହକୁ ସିକ୍ତ,
କେବେ କଷ୍ଟ ପୁଣି ନପାରଇ ସହି
ହୁଅଇ ତାହାକୁ ଅଂଶୁର ଘାତ l
ଯାତ୍ରା ସମୟରେ ଛତା ପାଣି ଆଦି
ସଙ୍ଗରେ ସର୍ବଦା ସାଥି ରେ ନିଅ,
ଓଦା ଗାମୁଛା କୁ ମଥା ପରେ ଦେଇ
ଅତି ଆବଶ୍ୟକେ ବାହାରେ ଯାଅ l
ନାହିଁ ବୃକ୍ଷ ଲତା କଂକ୍ରିଟ ଜଙ୍ଗଲ
ଉତ୍ତାପ କୁ ବେଶୀ ବଢାଇ ଦିଏ,
ନିଜ ଦୋଷେ ଆଜି ମାନବ ଭୋଗୁଛି
ରକ୍ଷା କରିବାକୁ ନାହିରେ କିଏ l
ମାନବ ହେଜନ୍ତୁ ବୃକ୍ଷକୁ ଲଗାନ୍ତୁ
ଯତନରେ ତାକୁ ଥିଲେ ବଢାଇ,
ଦଗ୍ଧ ଗ୍ରୀଷମ ବାଧିବନି ଆଉ
ପାଇଲେ ବୃକ୍ଷ ର ଶୀତଳ ଛାଇ l
ଗ୍ରୀଷମ ସିନା ହୁଏ କଷ୍ଟଦାୟୀ
ଆକାଶେ ସଞ୍ଚଇ ଜଳୀୟ ବାଷ୍ପ,
ବରଷା ଦିନରେ ବର୍ଷଧାରା ଦେଇ
କମାଇ ଦିଏ ସେ ଜଗତ ତାପ ll
ଗ୍ରୀଷମ ଶିଖାଏ ସହିବାର ଗୁଣ
ଜଳ ଓ ବୃକ୍ଷର ଉପାଦେୟତା,
ଶିଖିଲେ ନିଶ୍ଚୟ ଜଗତ ବଞ୍ଚିବ
ହସିବ ଆମର ପ୍ରକୃତି ମାତା ll
