କବିଟିଏ ବୋଧେ ଜନ୍ମନେବାକୁ ଯାଉଛି
କବିଟିଏ ବୋଧେ ଜନ୍ମନେବାକୁ ଯାଉଛି
ବିନା ବର୍ଷାରେ ଆଖିରେ ଲୁହର ବନ୍ୟା
ଛାତିରେ କୋହର ଭୟଙ୍କର ଭୂମିକମ୍ପ
ଆବେଗର ଏହି କୁମ୍ଭମେଳାରେ
ଆତ୍ମା ଏକାକୀ ଗୁମୁରି କାନ୍ଦୁଛି,
ମନ ଓ ହୃଦୟ ନୀରବ ନିଶ୍ଚଳ
ବିବେକ ଗର୍ଭରେ ଅକଥ୍ୟ ଯନ୍ତ୍ରଣା ଭୋଗୁଛି
ସମୟ ବତିଶି ଦାନ୍ତ ଦେଖାଇ
ଠୋଠୋ ହୋଇ ତାତ୍ସଲ୍ୟରେ ହସୁଛି
କବିଟିଏ ବୋଧେ ଜନ୍ମନେବାକୁ ଯାଉଛି ।
ନିଦାଘର ଏ ଋତୁ ପ୍ରଚଣ୍ଡ ଜାଳୁଛି ଶରୀର
ତା ଠାରୁ ଅଧିକ ଉତ୍ତପ୍ତ ନିଆଁରେ
ଅନ୍ତର ସହରଟି ହୁତୁହୁତୁ ହୋଇ ଜଳୁଛି,
ସତମିଛର ଲୁଚକାଳିର ଏ ଦୁନିଆ
ମିଛର ରଙ୍ଗ ଦେଖି ମନ ଯାଉଛି ମରି
ସତ୍ୟ ଏ ଯୁଗରେ କାହିଁକି ଯାଉଛି ହାରି
ସତ୍ୟତାର ଶକ୍ତିଶାଳୀ ବାର୍ତ୍ତା ସବୁ ଲିଭୁଛି
କବିଟିଏ ବୋଧେ ଜନ୍ମନେବାକୁ ଯାଉଛି ।
ସବୁଠି ଛଳନାର ଗନ୍ଧ ସବୁଠି ମିଛ ହସ
ସରଳ ହୃଦୟ ମଣିଷଟେ ପାଇବା ଏଠି ଅସମ୍ଭବ
ସତ କହିଦିଏ ବୋଲି ପ୍ରତିଦିନ ଆଖିରେ ଲୁହ
ସ୍ୱାର୍ଥୀ ହୋଇପାରେନି ବୋଲି ଲୁହରେ ଭିଜୁଛି,
ଏ ମନ ଗଙ୍ଗା ପରି ପବିତ୍ର ଈଶ୍ୱର ଜାଣନ୍ତି
ଏ ହୃଦୟ ଆକାଶ ପରି ବିଶାଳ ଈଶ୍ୱର ଜାଣନ୍ତି
ତଥାପି ବୁଝନ୍ତିନି କେହି ଜଣେ ବି ଏ ମନ
ଏଥିପାଇଁ ପାଏ ଅଜସ୍ର ଯାତନା ତଥାପି ହସୁଛି
କବିଟିଏ ବୋଧେ ଜନ୍ମନେବାକୁ ଯାଉଛି।