ଗୋମାତା ରାସ୍ତା କଡରେ
ଗୋମାତା ରାସ୍ତା କଡରେ
ଗୋମାତା ଏବେ ରାସ୍ତା କଡରେ
ଜନତାଙ୍କ କବଳେ ତା ଚାରଣ ଭୂଇଁ
ଗୃହସ୍ବାମୀ ଭୁଲିଛି ତା ପାଇଁ ଗୁହାଳ
ତା ଉପକାର ଆଉ ଦିଶୁ ନାହିଁ।
ଗାଁର ରୂପ ଗଲାଣି ବଦଳି
ଘାରିଛି ସହରି ଭୂତ
ପତର ଗୋଟେଇ ସନିଆ ବହୁ
ଗୋବର ଦେଖି ଟେକୁଛି ନାକ ।
ନାମକୁ ସିଏ ଗୋମାତା ଏବେ
ତାର ନାହିଁ ସ୍ଥାନ ଢିପରେ
ବଡ ବିକଳେ ବାଛିଛି ସେ ରାସ୍ତା
ଜୀବନ ତାର ସଙ୍କଟରେ ।
କେବେ ତା ମରଣ ପ୍ଲାଷ୍ଟିକଜରି ଖାଇ
କେବେ ସଡକ ଦୁର୍ଘଟଣାରେ
ଏତେ ଯୋଜନା ଏତେ କାର୍ଯ୍ୟକ୍ରମ
ସବୁ ବନ୍ଧା ଫାଇଲ ଡୋରିରେ।
ସଞ୍ଜ ସକାଳ ରାସ୍ତା କଡରେ
ରାତି ବିତେ ଖୋଲା ଆକାଶ ତଳେ
ନୀରିହ ଜୀବର ଏ ବିକଳ ସ୍ଥିତି
ଦେଖି ଆଖିରୁ ଲୋତକ ଝରେ ।
ପିଲାଦିନ ଆସେ ଆଖି ଆଗରେ
ଦିଶିଯାଏ ଗୋରୁ ଗୋଠ
ଶୁଭିଯାଏ କାନେ ଅତି ନିକଟେ
ଗାଇଆଳ ପିଲାର ଗୀତ ।
ଗୋଧୂଳି ଲଗନେ ମନ ମୋହିନିଏ
ଦେଖି ଫେରୁଥିବା ଗାଇ ପଲ
ହମ୍ବାରଡି ଶବଦେ ହୁଏ ପ୍ରକମ୍ପିତ
ସାରା ଗଗନ ପବନ ।
ଖୁରା ଘାତେ ପୁଣି ସୃଷ୍ଟି ହୁଏ
ସତେକି କୃତ୍ରିମ ଝଡ
ଧୂଳି ଧୂସରିତ ଗଗନ ପବନ
ଦେଖି ମନ ହୁଏ ଉଛନ୍ନ ।
ଚାଷ ଜମି ଏବେ ଯନ୍ତ୍ର କବଳେ
ହଳ ଲଙ୍ଗଳ ହେଲା ତୁଛ
ଗୋବର ଖତ ପଡୁନି ଜମିରେ
ଅମଳ ଆଣୁଛି ରାସାୟନିକ ସାର ଓ ବିଷ ।
ଉପକାରୀ ପ୍ରଜାତିଟି ସଙ୍କଟରେ
ଅଚିରେ ହେବ ବିଲୁପ୍ତ
ଉପଯୋଜନ ନକରିପାରି ଯେମିତି
ଦିନେ ଡାଇନୋସର ହେଲା ଶେଷ ୲୲୨୲୲