ଗୋଲାପ
ଗୋଲାପ
ଗୋଲାପ ଗୋ ତୁମେ ମନ ଉଦ୍ୟାନର
ସାଜିଥିଲ ଝରାଫୁଲ
ରୂପରେ ତୁମରି ବିମୋହିତ ହୋଇ
କଣ୍ଟାକୁ କରିଲି ଗେଲ ।।
କଥାରେ କଥାରେ କଥା ଦେଇଥିଲୁ
ମନ ଦେଇଗଲୁ ଅଧା
ଜାଣିଥିଲେ ମନ ଦେଇ ମୁଁ ନ ଥାନ୍ତି
ପ୍ରେମ ବାଟ ନୁହେଁ ସିଧା ।।
ମୋ ହାତୁ ସିନ୍ଦୂର ପିନ୍ଧିବୁ ବୋଲି ତୁ
କହିଥିଲୁ ଦେହ ଛୁଇଁ
ଆଉ କାହା ହାତ ଧରି ଚାଲିଗଲୁ
ନବବଧୂ ବେଶ ହୋଇ ।।
ଏଇ ଟିକି କଥା ଭୁଲିବୁନି ପ୍ରିୟା
ସବାରୀରେ ଗଲାବେଳେ
ଚାହିଁ ଦେବ ଥରେ ଓଢଣା ଆଡେଇ
ମୋ ଜୁଇ ଜଳିବା ବେଳେ ।।
ବେଶ ଦେଖି ତୁମ ଚେଇଁ ଉଠିବି ମୁଁ
ପାଉଁଶ ଭିତରେ ରହି
ଶୁଭ ମନାସିବି ଗୋଲାପ ତୁମର
ସମାଧି ଭିତରେ ରହି ।।
ମୋ କଥା ଭାବି ଜମା କାନ୍ଦିବନି
ତୁମ ନୂଆଁ ସାଥି ଘରେ
ତୁମ କଥା ଜମା ପାଶୋରି ହେବନି
ସାତଥର ମଲା ପରେ ।।
ଗୋଲାପ ଗୋଲାପ ଝୁରି ହେଉଥିବି
ସାତଜନ୍ମ ପରିଯନ୍ତେ
କଣ୍ଟାର ଆଘାତ ସହି ଚାଲୁଥିବି
ସବୁ ଜନମର ଅନ୍ତେ ।।
ବୁଝି ନ ପାରିଲୁ ପ୍ରେମକୁ ମୋହର
ତୁ ସିନା ଗୋ ଗୋଲାପ
ବୁଝିଛି ବୋଲି ତ କାନ୍ଦୁଅଛି ବେଶି
ହସୁଛି ଖାଲି ଅଳପ ।।