ଗୋଡ଼ି
ଗୋଡ଼ି
ମୁଁ ଏକ ଛୋଟ ନ୍ୟୁନ ଅବଶ୍ୟ
କିଏ ପଚାରେ ମୋତେ,
ତଥାପି ଭାଗ୍ଯ ଆଦରି ନେଇ
ବଞ୍ଚିଛି କର୍ମପଥେ।
ଗାଆଁ ଦାଣ୍ଡର ଗୋଡ଼ିଟି ହୋଇ
କେବେଠୁଁ ପଡ଼ି ଅଛି,
ହଜାରେ ପାଦ ଧୂଳି ପାଉଛି
ନିଇତି ହସିହସି।
କିଏ ପିନ୍ଧିଛି ଚପଲ କିଏ
ଖାଲି ବି ଚଢିଯାଏ,
ପ୍ରତ୍ଯହ କେତେ ଗାଡ଼ି ମଟର
ମୋପରେ ମାଡିଯାଏ।
ମୋର ଜୀବନ ହେଉଛି ଧନ୍ୟ
ପାଇ ପାଦୁକା ଛୁଆଁ,
ପାଦ ତଳର ସାମାନ୍ୟ ଚିଜ
ଗୋଡ଼ି ମୋହର ନାଆଁ।
କୋଟି ତପସ୍ୟା ଫଳରେ ମିଳେ
ଏଭଳି ସଉଭାଗ୍ଯ,
ଗାଆଁ ଦାଣ୍ଡର ଗୋଡ଼ି ରୂପରେ
ଛୁଏଁ ମଣିଷ ପାଦ।
ମୁଁ ସିନା ଭାଗ୍ୟବାନ ନିଜକୁ
ମଣୁଛି ଦାଣ୍ଡେ ପଡ଼ି,
ଲୋକେ କୁହନ୍ତି ତାଙ୍କ ପାଦରେ
ହୋଇଯାଏ ମୁଁ ଫୋଡି।
ସେ ଲାଗି ମୋତେ ଦାନ୍ତ ରଗଡ଼ି
ଦିଅନ୍ତି କେତେ ଗାଳି,
ସବୁ ଗାଳିକୁ ଚନ୍ଦନ ଭଳି
ଦିଏ ମୋ ଦେହେ ବୋଳି।
ଅନେକ ଗାଡ଼ି ଚକଗୁଡା ମୋ
ଛାତିରେ ଯାଏ ଗଡ଼ି,
ତଥାପି ହୁଁ ଚୁଁ ହେଇନି
ଛାତିରେ କଷ୍ଟ ମାରି।
ଅବଶ୍ୟ ଏଠୁ ଛିଟିକି ଯାଇ
ବଦଳେଇଛି ସ୍ଥାନ,
ପୁଣି ଆଉ କା' ପାଦ ସ୍ପର୍ଶକୁ
ଚାହିଁ ଥାଏ ମୋ ମନ।
କାହା ବିରକ୍ତି ସହେ ମୁଁ ନିତି
ନିଜ କପାଳ ନିନ୍ଦି,
କେଉଁଠୁ ଆସି ଥିଲି ଏବେ ମୁଁ
ହେଲି ମାୟାରେ ବନ୍ଦି।
ଗାଆଁ ରାସ୍ତାଟି ଢଳେଇ ଆଜି
ଲୁଚିଛି ମାଟି ମୁହଁ,
ସେ ମାଟି ମାଆ ବ୍ୟତୀତ ଆଉ
ନିଜର କିଏ କୁହ ।
ଗୋଡ଼ିଟି ହୋଇ କାହାକୁ ଆଜି
ଦେଇ ପାରୁନି ଶାନ୍ତି,
ସଭିଙ୍କ ପାଇଁ ଅଲୋଡା ମୁହିଁ
ଛୋଟ ବସ୍ତୁଟି ଅତି।
ପାଉଛି ଯାହା ଆତ୍ମ ସନ୍ତୋଷ
ମଣିଷ ପାଦ ଛୁଇଁ,
ବେଶୀ ଖୁସି ମୁଁ ପାଇଛି କିନ୍ତୁ
କା'କୋଠା ଛାତେ ରହି।
ବେଶୀ ଦୁଃଖ ମୁଁ ପାଏ ଗୋଡିଟି
ମାଙ୍କଡକୁ ଯେ ଫିଙ୍ଗେ,
ଆଖିରୁ ଲୁହ ଗଡାଏ ଯେବେ
ମୋ ଦ୍ଵାରା ଶଙ୍ଖା ଭାଙ୍ଗେ।
ଗୋଡ଼ିକି ଧରି ଯେ ବାଘ ଛେଳି
ପିଲାଏ ଖେଳୁଥିଲେ,
ମନେ ଆନନ୍ଦ ପାଇ ଥାଏ ମୁଁ
ଠିକ୍ ସେତିକି ବେଳେ।
ଗୋଡ଼ି ଡିଆଁରେ କଟ ଖେଳରେ
ମୋତେ ପିଲାଏ ଆଣି,
କୁନି ହାତର ମିଠା ଛୁଆଁରେ
କରିଦିଅନ୍ତି ଋଣି।
ଏ ସବୁ ପରେ କଳ୍ପବଟରେ
ଯଦି ମୁଁ ଝୁଲିଯାନ୍ତି,
କାଳିଆ ମୁଖ ଦର୍ଶନ କରି
ପାଇଯାଆନ୍ତି ମୁକ୍ତି ।
