STORYMIRROR

Gobinda Chandra Sethi

Tragedy Inspirational

3  

Gobinda Chandra Sethi

Tragedy Inspirational

ଘଇତା ଖାଇ ସୁଶ୍ରୀ

ଘଇତା ଖାଇ ସୁଶ୍ରୀ

5 mins
174

ସେ କାଳର କଥା ! ସ୍ୱାମୀ ସ୍ତ୍ରୀର ସମ୍ପର୍କ କ'ଣ ଜାଣି ନ ଥିଲା “ସୁଶ୍ରୀ”। ତା ନାମ ଏବେ ପରିବର୍ତ୍ତନ ହୋଇ ଯାଇଛି । ଶାଶୁ ଘରେ ତାର ନାମ ଦିଆ ଯାଇଛି ଘଇତା ଖାଇ । ଛୋଟ ବେଳେ ଏ ନାମକୁ ଡାକିଲେ ସେ କିଛି ଭାବୁ ନ ଥିଲା। କିନ୍ତୁ ଆଜି ଏ ଡାକରେ ମ୍ରିୟମାଣ ହୋଇ ପଡିଛି। ସାଇପଡିଶା ବନ୍ଧୁବାନ୍ଧବ ସମସ୍ତେ ଡାକନ୍ତି ଏହି ନାମକୁ ଧରି ।

   ବୈଷ୍ଣବ ବାବୁଙ୍କ ଝିଅ ସୁଶ୍ରୀ ଗୋଟିଏ ଚାଉଳରେ ଗଢ଼ା। ନାମ ଯେମିତି ରୂପ ବି ସେମିତି ସତେ ସ୍ୱର୍ଗର ପରି । ସେ ପିଲାବେଳେ ହସ ଖୁସିରେ ବଢ଼ି ଆସିଥିଲା। ସଂସାରେ ଦୁଃଖ କଷ୍ଟ କଣ ଜାଣି ନ ଥିଲା । ବାଳୁତ କାଳରେ ବାଲ୍ୟ ବିବାହର ପ୍ରଥା ତାକୁ ହିଁ ଗ୍ରାସ କରି ସର୍ବ ନାଶ କରି ଦେଇଥିଲା । ସୁଶ୍ରୀ ସଂସାରେ କିଛି ଜାଣିବା ପୂର୍ବରୁ ବୈଦିକ ରୀତିରେ ଦିବାକର ଦାସଙ୍କ ପୁତ୍ର କ୍ଷିତୀଶ ସହିତ ବିବାହ କରିଥିଲା । ତାପରେ ସୁଶ୍ରୀର ରୂପ ସହିତ ନାମ ପରିବର୍ତ୍ତନ କିପରି ହେଲା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ।

   ବୟସ ୮ବର୍ଷରୁ ଟିକେ ବେଶୀ ବେଦିରେ ବସି ସୁଶ୍ରୀ ବିବାହ ହେଉଥାଏ କ୍ଷିତୀଶ ସହିତ। ଖାଲି ହସୁଥାଏ କିଛି ବୁଝିପାରୁ ନ ଥାଏ । ସେ ନିଜକୁ ନିଜେ ଭାବୁଥାଏ ବୋଧେ କଣ୍ଢେଇ ପରି ତାର ବିବାହ ହେଉଛି । ବିବାହ ପରେ ଜ୍ୱାଇଁ ଅର୍ଥାତ କ୍ଷିତୀଶ ତା ଘରକୁ ଓ ସୁଶ୍ରୀର ପିତା ମାତା ଝିଅକୁ ନିଜ ନିଜ ଘରକୁ ଫେରି ଗଲେ। ପ୍ରଥା ଅନୁଯାଇ ଝିଅ ପ୍ରାପ୍ତ ବୟସ୍କା ନ ହେଲା ପର୍ଯ୍ୟନ୍ତ ବାପ ଘରେ ରହିବ। ଅନେକ ବର୍ଷ ଏହି ପରି ଚାଲିଗଲା ବାଳିକା ବଧୂ ସୁଶ୍ରୀ ପୂର୍ଣ୍ଣିମାର ଚାନ୍ଦ ପରି ବଢିବାକୁ ଲାଗୁଥାଏ । ସବୁବେଳେ ନିଜ ମାଆ ତାକୁ ବୁଝାଉ ଥାଏ ଶାଶୁ ଘରେ କିପରି ଚଲିବ ଓ ଶାଶୁ ଶ୍ୱଶୁରଙ୍କ ସେବା କିପରି କରିବ । ଶାଶୁ ଘରକୁ ଯିବାର ଦିନ ପାଖେଇ ଆସୁଥାଏ। ଯୌବନରେ ପରିପୂର୍ଣା ସୁଶ୍ରୀ ଖାଲି ମନେ ମନେ ହସୁଥାଏ। ସବୁବେଳେ ଶାଶୁ ଶ୍ୱଶୁର ଘରକୁ ଆସୁଥାନ୍ତି ବାଳିକା ବଧୂକୁ ଦେଖିବା ପାଇଁ । ହସ ଖୁସିରେ ସମୟ ଗଡି ଯାଉଥିଲା । ଏମିତି କଣ ହେଲା ହଠାତ୍ ଶାଶୁଘର ଲୋକ ସୁଶ୍ରୀକୁ ଆସି ଦିନେ ନେଇଗଲେ । ତା ମୁଣ୍ଡରୁ ସିନ୍ଦୁର ପୋଛି ତା ହାତର ଶଙ୍ଖାକୁ ଭାଙ୍ଗିଦେଲେ। କିଛି ବୁଝି ପାରୁ ନଥାଏ ସୁଶ୍ରୀ ! ଭାବୁଥାଏ ଏ ବୋଧେ କ୍ରମଶଃ ଜୀବନର ଏକ ଧାରା। ପଛରେ ସେ ଜାଣି ପାରିଲା ତା ସ୍ୱାମୀ କ୍ଷିତୀଶ ସବୁ ଦିନ ପାଇଁ ତାକୁ ଛାଡ଼ି ପଳାଇଛନ୍ତି । ସେ ଦିନ ଝାଡା ବାନ୍ତିରେ ତାର ମୃତ୍ୟୁ ହେଲାପରେ ସଧବା ନାରୀକୁ ବିଧବା ବେଶରେ ସଜାଇବାକୁ ତାକୁ ନେଇ ଆସିଛନ୍ତି। ବର୍ଷେ ନ ପୁରିଲା ପର୍ଯ୍ୟନ୍ତ ସେ ଶାଶୁ ଘରୁ ଗୋଡ଼ କାଢି ବାହାରି ପାରିବ ନାହିଁ । ସେ ଦିନ ସେ ବିକଳ ହୋଇ କାନ୍ଦୁ ଥିବାର ଦୃଶ୍ୟରେ ତା ମା ମ୍ରିୟମାଣ ହୋଇ ପଡୁଥିଲା ସତ,କିନ୍ତୁ କଥା କହିବାର ସତ୍ ସାହସ ତାଙ୍କ ପାଖରେ ନ ଥିଲା । ସେ ଦିନ ସମାଜର ପ୍ରଥା ଆଗରେ ସେ ହାର ମାନିଥିଲେ । ଝିଅକୁ ନିରାଶ୍ରୟା ମନେ କରୁଥିଲେ ଆଖିର ଲୁହକୁ ଆଖିରେ ମାରି ନିଜ ଘରକୁ ଫେରିଲେ ।

 ତାପରେ ସୁଶ୍ରୀ ଉପରେ ଶାଶୁ କାଦମ୍ବିନୀଙ୍କ ଅତ୍ୟାଚାର କହିଲେ ନ ସରେ। ଟିକ କଥାରେ କୁହାଯାଏ ମୋ ପୁଅକୁ ତୁହି ଖାଇଲୁ । ତୁ ଅଲକ୍ଷଣି,ତୋ ସହିତ ମୋ ପୁଅ ବିବାହ

 ହୋଇ ନ ଥିଲେ ତାର କିଛି ହୋଇ ନ ଥାନ୍ତା । ତୁ ମୋ ପୁଅକୁ ଖାଇଲୁ, ଆମକୁ ଦୁଃଖ ସାଗରରେ ଭସାଇଦେଲୁ, ତୁ ଗୋଟେ ରାକ୍ଷସୀ ଘଇତା ଖାଇ ।

    ସବୁବେଳେ ମନେ ମନେ ସୁଶ୍ରୀ ଭାବେ ଘଇତା ଖାଇର ମାନେ କଣ । ସେ ନିଜକୁ ପଚାରେ ମୋତେ ସୁଶ୍ରୀ ନ ଡାକି ଘଇତା ଖାଇ କାହିଁକି ଡାକୁଛନ୍ତି । କିଛି ଦିନ ଭିତରେ ସେ ସବୁକଥା ବୁଝି ଗଲା । ସ୍ୱାମୀଙ୍କୁ ଅନ୍ୟ ନାମରେ ଘଇତା କହୁଛନ୍ତି । ସ୍ୱାମୀ ମରିଗଲା ପରେ ସେ କୁଆଡେ ତାକୁ ଖାଇଛି । ଅର୍ଥାତ ସେ ଜଣେ ଭଲ ବୋହୁ ପାଇଁ ଅଯୋଗ୍ୟା ଓ କଳୁଷିତା । ତେଣୁ ତାକୁ ଅନେକ ଅକଥନୀୟ ଅତ୍ୟାଚାର ଭିତରେ ବଞ୍ଚିବାକୁ ପଡୁଥାଏ । ଟିକେ ଟିକେ କଥାରେ ଶାଶୁ କାଦମ୍ବିନୀ ତାକୁ "ଘଇତା ଖାଇ" "ଘଇତା ଖାଇ" କହି ଡାକୁଥାଏ । କିଛି ନ କହି ନୀରବ ରହି ସେ ସବୁ ଅତ୍ୟାଚାରକୁ ସହି ନେଉଥାଏ। ଖାଲି ଦିନ ଗଣୁଥାଏ ସେ କେଉଁ ଦିନ ନିଜ ଘରକୁ ଯିବ ନିଜ ମା ସହିତ ଟିକେ ମନ ଖୋଲି କଥା ହେବ । ଦିନ ପରେ ଦିନ ଅତିବାହିତ ହୋଇଗଲା । ବର୍ଷ ସରି ଆସୁଥାଏ ଓ ଶେଷରେ ସେ ଦିନ ପୁରିଗଲା,ସୁଶ୍ରୀକୁ ନେବା ପାଇଁ ତା ବାପ ଘରୁ ଆସି ଲୋକମାନେ ପହଁଞ୍ଚି ଗଲେ । ଶାଶୂଘର ଲୋକେ ନିତି ନିୟମର ସତର୍କ କରଇ ଯିବାପାଇଁ ଅନୁମତି ଦେଲେ ସତ, କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫେରିବା ପାଇଁ ନିର୍ଦ୍ଧେଶ ଥିଲା । ସେ ଯାହା ହେଉନା କାହିଁକି ସୁଶ୍ରୀ ଆସି ନିଜ ଘରେ ପହଁଞ୍ଚି ଗଲା। ସାଇ ପଡିଶା ଲୋକେ ଗାଁ ଯାକର ରୁଣ୍ଡ ହୋଇଗଲେ, କିଏ କିଏ କହିବାକୁ ଲାଗିଲେ, ଭଗବାନ କେତେ ନିର୍ଦୟ ସ୍ୱାମୀ ସୁଖ ପାଇବା ଆଗରୁ ସ୍ୱାମୀ ଆର ପାରିକୁ ଚାଲି ଗଲା । ଯେତେ ଅଲିଅଳରେ ବଢ଼ି ଥିଲା ଏବେ ଖାଲି ଦୁଃଖ ହିଁ ଦୁଃଖ । ସୁଶ୍ରୀ କୋହ ରଖି ପାରି ନ ଥିଲା ମାକୁ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଥିଲା। ରାତ୍ରି ଘନେଇ ଆସିଲା ସାହି ପଡିଶା ଯିଏ ଥିଲେ ନିଜ ନିଜ ଘରକୁ ପଳାଇଲେ।

      ରାତ୍ରରେ ଶୋଇବା ପୂର୍ବରୁ ତା ମା'କୁ ସୁଶ୍ରୀର ପ୍ରଶ୍ନ ମା ସତରେ କ'ଣ ମୁଁ ଘଇତା ଖାଇ ! ମୁଁ କ'ଣ ମା ଅଲକ୍ଷଣି । ମୋ ଶାଶୁ କହୁଛି ମୁଁ ଡାହାଣୀ, ମୋ ମୁହଁ ସକାଳୁ ଯିଏ ଚାହିଁବ ତାର କିଛି ଶୁଭ କାର୍ଯ୍ୟ ହେବ ନାହିଁ କାରଣ ମୁଁ ଘଇତା ଖାଇ । ମୋ ସ୍ୱାମୀକୁ ହଇଜା ଖାଇଲା ମୁଁ ଘଇତା ଖାଇ ହେଲି କିପରି ମା । କି ସ୍ୱାମୀ, କିଏ କେତେବେଳେ ବିବାହ କଲା,ମୋର ତ କିଛି ମନେ ପଡ଼ୁ ନାହିଁ ମା । କେଉଁ ସ୍ୱାମୀ ଯାହା ପାଇଁ ଆଜି ମୁଁ ବିଧବା ହେଲି । କାହିଁ ଦିନେ ତ ତାଙ୍କ ମୁହଁ ମୁଁ ଦେଖି ନାହିଁ । କହ ମା କାହିଁକି ଆଜି ମୋ ନାମ ଓ ବେଶ ପରିବର୍ତ୍ତନ ! କାହିଁକି ଧବଳ ବସ୍ତ୍ରରେ ସବୁବେଳେ ରଖା ଯାଉଛି । କାହିଁକି ମୋତେ ଆମିଷ ଖାଇବାକୁ ବାରଣ । ମୁଁ କ'ଣ କିଛି ପାପ କରିଥିଲି। ସତରେ କ'ଣ ଏ ପାପର ଭାଗିଦାର ମୁଁ ଏବଂ ମୋରି ପାଇଁ ମୋ ସ୍ୱାମୀ ଚାଲିଗଲେ ।ସବୁ ଶୁଣି ସୁଶ୍ରୀର ମା ନିରୁତ୍ତର ଥିଲେ । ମନେ ମନେ ଭାବୁ ଥାନ୍ତି ଝିଅକୁ ବୁଝାଇବେ କିପରି ? ଏ ଘଇତା ଖାଇର ଅନ୍ଧ ବିଶ୍ୱାସ ଲୋକ କଥାକୁ ଝିଅକୁ ବୁଝିଇବେ କିପରି । ଅଶିକ୍ଷିତ ସମାଜକୁ ଶିକ୍ଷିତ ହେବାକୁ ପଡିବ। ମଣିଷ ଯେପର୍ଯ୍ୟନ୍ତ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ମଧ୍ୟରେ ବୁଡି ରହିଛି ଏହାର ସମାଧାନ ହୋଇ ପାରିବ ନାହିଁ । ମୋ ଅଜ୍ଞାନ ଝିଅକୁ କାହିଁକି ଏ ସମାଜ ହଇରାଣ କରୁଛି। ମୋ ଝିଅର କିଛି ଭୁଲ ନ ଥାଇ ସବୁ ଦୋଷକୁ ମୁଣ୍ଡାଇଛି କାହିଁକି । ସେ କାଳରେ ଏ ଥିଲା ସୁଶ୍ରୀ ମା'ର ଅନ୍ତର ଆତ୍ମାର କୋହ ଓ ସମାଜରୁ କୁସଂସ୍କାର ହଟାଇବା ପାଇଁ ସୁଚିନ୍ତାଧାରା ।

     ସମୟ ଥିଲା ଫୁଲଟି ଫୁଟିବା ଆଗରୁ କଢ଼ ହୋଇ ଝଡି ପଡୁଥିଲା । ସେ ନିଜ ଯୌବନର ପରସ ପାଇବା ଆଗରୁ ସେ ଝାଉଁଳି ଯାଉଥିଲା । ଭ୍ରମର ବୁଲିଛି, ତାକୁ ପସନ୍ଦ କରିଛି ସତ,କିନ୍ତୁ ତାକୁ ଛୁଇଁବାର ସତ୍ ସାହସ ତା ପାଖରେ ନ ଥିଲା । ଜୀବନ କ୍ରମଶଃ ସେହିପରି ଗତି କରି ଶେଷରେ ଲୀନ ହୋଇ ଯାଉଥିଲା । ଆଜି ସମୟ ଗତିରେ ସବୁ ବଦଳି ଯାଇଛି । ବାଲ୍ୟ ବିବାହର ପ୍ରଥା ହଜି ଯାଇଛି ସତ, କିନ୍ତୁ କାଁ ଭାଁ ସଂସାରେ କେଉଁଠି ଲୁଚିଛି ତାକୁ କ୍ରମଶଃ ଲୋକ ଲୋଚନକୁ ଆଣିବା ଅନେକ କଷ୍ଟ ଦାୟକ। ଆଜି ମାନବ ସମାଜ ଢ଼େର ଗୁଣରେ ସଭ୍ୟ ଶିକ୍ଷିତ ହୋଇଛି । ଆମ ଦେଶରେ ନାରୀ ସମାଜ ଆଜି ଅବଳା ଦୁର୍ବଳା ହୋଇ ରହି ନାହିଁ । ସବୁକିଛି କ୍ରମଶଃ ବଦଳି ଯାଇଛି। ନାରୀ ଗୃହିଣୀ ଠାରୁ ଆରମ୍ଭ କରି ସମାଜସେଵୀ ଓ ଦେଶର ନେତୃତ୍ୱ ନେଇ ସମାଜର କୁସଂସ୍କାରକୁ ଅନେକ ଗୁଣରେ ପ୍ରତିହତ କରିଛି। କ୍ରମଶଃ ସେ କେତେବେଳେ ମମତା ମୟୀ ମା ତ ଆଉ କେତବେଳେ କାଳୀରୂପ ଧାରଣ କରି ଅନ୍ୟାୟକୁ ସମ୍ମୁଖୀନ କରି ଢାଲ ଓ ବର୍ଚ୍ଛାରେ ତାକୁ ପ୍ରତିହତ କରିଛି । ସୁଶ୍ରୀ ଜୀବନରେ ଘଟି ଯାଇଥିବା ଘଟଣା ଆଜି କାହାଣୀ ହୋଇ ରହି ଯାଇଛି। କିନ୍ତୁ ଆମ ସମାଜ ନାରୀକୁ ଆଜି ଉଚ୍ଚ ସୋପାନରେ ବସାଇ ଅନେକ ସମ୍ମାନ ଦେଉଛି, ଫଳରେ ନାରୀ ନିର୍ଯ୍ୟାତନା କ୍ରମଶଃ ଅନେକ ଅଂଶରେ କମି ଯାଇଛି। ଆଜି ଏ ଜୀବନ କ୍ରମଶଃ କେବେ ଓ କିପରି ଅତିବାହିତ କରିବ କହିବା ବହୁତ କଷ୍ଟ । ପରିପକ୍ଵତା ପାଇବା ପୂର୍ବରୁ ଅବେଳରେ ଝଡି ଯାଉଥିବା ନାରୀକୁ ଘଇତା ଖାଇର ମାନ୍ୟତା ପୂର୍ବରୁ ସଧବା ବେଶରେ ସଜେଇ ହେବ। ବେଳେବେଳେ ଆମ ସମାଜରେ ଏହା ଘଟିବାର ପରିଲକ୍ଷିତ ହେଉଛି, କିନ୍ତୁ ଏହା ପାଇଁ ଏକ ସୁଚିନ୍ତାଧାରା ଓ ମହାନ ହୃଦୟ ଆବଶ୍ୟକ । ଅତଏବ ମାନବ ଜୀବନ କ୍ରମଶଃ କେବେ ଓ କିପରି ପରିବର୍ତ୍ତନ ହେବ, ତାର ଭବିଷ୍ୟ ବାଣୀ କରିବା ଅନେକ ଜଟିଳ ...।



Rate this content
Log in

Similar oriya poem from Tragedy