ଘାସଫୁଲ ଓ ଆକାଶ
ଘାସଫୁଲ ଓ ଆକାଶ
ଅନ୍ଧକାରେ ଆଲୋକ ଟିକିଏ ପାଇଁ
କି ଦୁଃସହ ବ୍ୟାକୁଳତା
ମୁହଁ କୁ ଦିଶେ ନା ମୁହଁ
ଦୁଇପୁଡା ନିଃଶ୍ୱାସ ପ୍ରଶ୍ୱାସ ବାରି
ଜୀଇବାକୁ ପଡ଼େ,
ଘାସ ଫୁଲ କଥା ଦିଅ
ସଙ୍ଖୋଳିବା ଜୀବନକୁ ଡହଡହ
ଅଗ୍ନି ପରୀକ୍ଷାରେ ।
ବନ୍ୟା ବାତ୍ୟା ଭୂମିକମ୍ପ
ଦାରୁଣ ନିଦାଘ ତାପ,
ମୁଣ୍ଡେ ବହି ଅସରନ୍ତି ଦୁଃଖର ପାହାଡ଼,
ଶୁଖିବାକୁ ଦେବା ନାହିଁ ଚିରନ୍ତନୀ ମମତା ନିର୍ଝର
ଘାସ ଫୁଲ! କଥା ଦିଅ
ନିରେଖିବା ପ୍ରାଣମୟୀ ନିଳିମାକୁ ଆତ୍ମଦାହୀ ଅଶ୍ରୁପାତ
ଦହଗଞ୍ଜ ହତାଶି ଆଁରେ ।
ପ୍ରେମର ନାହିଁ ବିନାଶ ଜରା ବ୍ୟାଧି ମୃତ୍ୟୁ ,
ଅନନ୍ତ ପ୍ରେମରେ ଜନ୍ମ ହୁଏ ବାର ବାର ,
ଜୀବନ କଅଁଳି ଉଠେ ଧରାବୁକେ
ଗଗନେ ପବନେ,
ଘାସ ଫୁଲ! କଥା ଦିଅ
ଶ୍ୟାମ ତୁମ ଆଗମନୀ ସୁରେ
ମେଘାଇ ଉଠୁ ଜୀବନ ଅବିକଳ
ତୁମ ରୂପ ତୁମ ରସ ଗୁଣେ ।
ଯଦି ତୁମେ ଭାଙ୍ଗି ପଡ କ୍ଷଣିକ ଦୁଃଖରେ,
ଆନମନା ଗୁମାନୀ କପୋତୀ ପରି
ବସି ତରୁ ଡାଳେ,
ବିରାଗେ ବାହୁନି କୁହ- ଆଗୋ ପ୍ରିୟତମ
ଅନିତ୍ୟ ଏଇ ସଂସାର, ଦୂରୁହ ସବୁଜ ସ୍ୱପ୍ନ,
ଜୀବନରେ ମୁକ୍ତି କାହିଁ କୁହ ?
ଏ ଆକାଶ ଉବାଚିବ ପକ୍ଷବାନ କପୋତଟି ହୋଇ
ପ୍ରାଣ ସଖୀ ଘାସ ଫୁଲ
ମୋ କପୋତୀ ରାଣୀ
ପ୍ରେମ ଅଟେ ଚିରନ୍ତନ ,ବତୁରେ ସବୁଜ ସ୍ୱପ୍ନ ମୁକ୍ତିର ମୂଳମନ୍ତ୍ର ଲିପିବଦ୍ଧ ତୁମ ମୋ
ପ୍ରତି ବକ୍ଷ ନୀଳ ଅକ୍ଷରରେ ।