ଗୋପପୁରେ ଅବତାରେ
ଗୋପପୁରେ ଅବତାରେ
ଭାଦ୍ରବ ମାସର ମୂଷଳ ବରଷା କୃଷ୍ନ ପକ୍ଷର ଅଷ୍ଟମୀ
ଧରାକୁ ଆସିଲ ଭାରା ନାଶିବାକୁ କଂସ କେଶୀ କାଳନେମୀ ।
ବସୁଦେବ ଦେବକୀଂକ ପ୍ରାଣଧନ ଜନମ ବଂଦୀଶାଳାରେ
ନିଶାର୍ଦ୍ଧରେ ଆଗମନ ପ୍ରହରୀଂକ ନିଦ୍ରା ହାରିଲ ଅଚୀରେ ।
ବେଡ଼ି ଖୋଲିଗଲା ପିତାମାତାଂକର ଦର୍ଶନ ମହାବିଷ୍ନୁଂକୁ
ନେଇଚାଲ ମତେ ଗୋପପୁର ତହୁଁ ଆଣ ବିଜୁଳି କନ୍ୟାଂକୁ ।
କ୍ଷଣକରେ ଚେତା ଫେରିଲା ଦେଖିଲେ ଅବୋଧ ବାଳକ କୋଳେ
ଅଷ୍ଟମ ଗରଭ କଂସ ନାଶିବାକୁ ଆସିଛନ୍ତି ଧରାପରେ ।
ତ୍ୱରିତେ ମଥାରେ ରଖିଲେ ବାଳକ ଚାଲିଲେ ଗୋପ ପୁରକୁ
କଟୁଆଳ ଯହିଁ ସ୍ୱୟଂ ଉଗ୍ରସେନ ସେ କି ଛାଡନ୍ତେ ଶତ୍ରୁକୁ !
ନିଜ ରୁପେ ତାଂକୁ ଦରଶନ ଦେଲେ ଶିରରେ ଶିରିପା ବାନ୍ଧି
ବାପ ଯାରେ ନମସ୍କାର କରେ ସେତ ପୁଅକୁ ଓଳଗି ଲାଗି ।
ଯମୁନା ଉଛୁଳି କୁଳ ଲଂଘୁଥାଏ ଦୁଇଭାଗ ହେଲା ନଦୀ
ବାସୁକି ଶିରରେ ଫଣା ତୋଳି ବରଷା ଧାରା ବିଭେଦି ।
ଗୋପପୁରେ ସର୍ବେ ଅଚେତନ ଯହିଁ ବିଜୁଳି କନ୍ୟା ଜନମ
ଯଶୋମତୀ କୋଳେ ଶିଶୁ ବଦଳାଇ କର୍ତ୍ତବ୍ୟ ପଥେ ଗମନ ।
ନିଶାର୍ଦ୍ଧେ ଫେରିଲେ ବନ୍ଦୀଶାଳା ଦେବକୀଂକ କୋଳେ ରଖି ଦେଲେ
ଚେତିଲେ ପ୍ରହରୀ ବାରତା କଂସକୁ ଦେଲେ କନ୍ୟା ଜାତ ହେଲେ ।
ଦେବବାଣୀ କିବା ମିଥ୍ୟା ହେଲା କନ୍ୟା ହେଲେହେଁ ଗର୍ଭ ଅଷ୍ଟମ
ଶତୃ ନାଶିବାକୁ ତରତରେ ଧାଇଁ କଂସର କ୍ରୋଧ ପଂଚମ ।
ବିଜୁଳି କନ୍ୟାକୁ କଚାଡ଼ିଲା ଶିଳେ ରହିଲେ ଶୂନ୍ୟରେ ଯାଇଁ
ତୋ ଶତୃ ବଢ଼ୁଛି ଗୋପପୁରେ ଏତେ ହରବର କାହିପାଇଁ !
ଗୋପରେ ଚାଲିଛି ନନ୍ଦୋତ୍ସବ ଏଣେ କଂସ ଦେଖୁଛି ବିନାଶ
ପୁତନା ଶକଟା ତୃଣାବର୍ତ୍ତ ରାଇ ପାଂଚେ ଗୋବିନ୍ଦଂକ ନାଶ ।
ଗୋପପୁରେ ମହା ଆନନ୍ଦରେ କାହ୍ନା ନାନା ଲୀଳାଖେଳା କରି
ଅବିନାଶୀ ଯିଏ ଅବତାରୀ ସ୍ୱୟଂ ତାଂକୁ କେ ପାରିବ ମାରି !!
ରାଧାଷ୍ଟମୀ ତିଥି ରାଧିକା ଜନମ ସର୍ବଶ୍ରେଷ୍ଠ ପୂଜାରିଣୀ
ଵୃନ୍ଦାବନ ଧାମେ ପ୍ରବାହିତ ଅଲୌକିକ ପ୍ରେମ ନିର୍ଝରିଣୀ ।
ଗୋପପୁର ସେତ ଗୋପନୀୟ ପୁର ଗୋପୀ ତହିଁ ମହା ତପେ
ମାଧୁର୍ଯ୍ୟ ଲୀଳାରେ ଶୁଦ୍ଧା ଭକତିରେ ମାତିଛନ୍ତି ପ୍ରେମାଳାପେ ।
ସୁଦାମ ସୁବଳ ଲଳିତା ବିଶାଖା ଵୃଷଧାନୁ ସୁତା ରାଧା
କଳଂକିନୀ ପଦ ଶିରରେ ଚନ୍ଦନ ନମାନେ ବନ୍ଧନ ବାଧା ।
ତ୍ରେତୟାରେ ତପୀ କପି ରୂପୀ ଭକ୍ତ ଯା' ପ୍ରେମରେ ଝୁରିଝୁରି
ଦ୍ୱାପରେ ଗୋପୀକା ଜନମ ଲଭିଲେ ସୁବର୍ଣ୍ଣ ସୁଯୋଗ ସ୍ମରି ।
ଷୋଳକଳା ଧରି ସ୍ୱୟଂ ଅବତାରୀ ଅସୁର ନାଶନ୍ତି ହେଳେ
ଗୋବର୍ଦ୍ଧନ ଗିରି ଅଂଗୁଷ୍ଠରେ ଧରି ଈନ୍ଦ୍ର ହାରି ଅବହେଳେ ।
ଗୋପଲୀଳା ସେତ ଦେବଂକୁ ଦୁର୍ଲଭ କି ବର୍ଣିବି ମୁହିଁ ଛାର
ଜୟ ନନ୍ଦବାଳ ଯଶୋଦା ଦୁଲାଳ ଅବର୍ଣ୍ଣନୀୟ ଅପାର ।