ଅଜାମ୍ବିଳ ମହାପାପୀ
ଅଜାମ୍ବିଳ ମହାପାପୀ
ବ୍ରାହ୍ମଣ କୂଳରେ ଜନମ ହୋଇକି
ଧରମ କାର୍ଯ୍ୟ ନ କରି
ଯେତେ ପାପ ଅଛି ଏଇ ଦୁନିଆରେ
ସବୁକୁ ଦେଇଛି ସାରି |
ଅଜାମ୍ବିଳ ବୋଲି ନାମଥିଲା ତାର
ମହାପାପୀ କରମରେ
ବିବାହ କରିଲା ଶୁଦ୍ରର ଝିଅକୁ
ଖୁସିଥିଲା ସଂସାରରେ |
ସବୁଦିନ ଭଳି ସେ ଦିନ ବି ସିଏ
ଯାଇଥିଲା ଜଙ୍ଗଲକୁ
ଯୋଗୀଟିଏ ଆସି ଭୋଜନ କରିବେ
କହିଲେ ତାଙ୍କ ପତ୍ନୀଙ୍କୁ |
ଶୁଦ୍ର ବୋଲି ନିଜ ହାତରେ ନ ରାନ୍ଧି
ସାମଗ୍ରୀ ବଢ଼ାଇଦେଲେ
ଭୋଜନ ପ୍ରସ୍ତୁତ କରି ନିଜ ହାତେ
ଯୋଗୀ କ୍ଷୁଧା ମେଣ୍ଟାଇଲେ |
ଭକ୍ତି ଆଦରରେ ସେବାକରି ନିଜେ
ଖୁସି କଲେ ଯୋଗୀ ମନ
ବିନା ଦକ୍ଷିଣାରେ କେମିତି ଯିବି ମୁଁ
କୁହନ୍ତି ତାଙ୍କୁ ବ୍ରାହ୍ମଣ |
ସ୍ୱାମୀର ବାଟକୁ ଅନାଇ ବସନ୍ତି
ଘର ପଛପଟ ଦ୍ୱାରେ
ଅଜାମ୍ବିଳ ଆସେ କାନ୍ଧରେ ମୃଗକୁ
ମଦିରା ଧରି ହାତରେ |
ଧାଇଁ ଚାଲିଗଲେ ସ୍ୱାମୀଙ୍କ ପାଖକୁ
ମୃଗ ଓ ମଦିରା ନେଇ
ସଜ କରିଦେଲେ ବ୍ରାହ୍ମଣ ବେଶରେ
ତାଙ୍କୁ ସ୍ନାନ କରିଦେଇ |
କହିଲେ ମାନିବ କହୁଛି ଯାହା ମୁଁ
ସାଧୁ ରହିଛନ୍ତି ଘରେ
ଯାହା କହିବେ ସେ ମାନିଯିବ କଥା
ଦ୍ଵନ୍ଦ ନ ରଖି ମନରେ |
ଗଲେ ଅଜାମ୍ବିଳ ବ୍ରାହ୍ମଣ ପାଖକୁ
ଦେଖି ବ୍ରାହ୍ମଣ କୁହନ୍ତି
ଭୋଜନ ସରିଲା ଦକ୍ଷିଣା ପାଇଲେ
ଅତ୍ୟନ୍ତ ଖୁସି ହୁଅନ୍ତି |
କହେ ଅଜାମ୍ବିଳ ପତ୍ନୀ କଥା ଭୂଲି
ଯାହା ଅଛି ତୁମ ପାଶେ
ଦେଲି ମୁଁ ଦକ୍ଷିଣା ଭାବିନିଅ ତାକୁ
ନିଅ ଯେ ମନ ହରଷେ |
ଅଜାମ୍ବିଳ କଥା ଶୁଣି ଜାଣିଗଲେ
ନୁହଁଇ ଇଏ ବ୍ରାହ୍ମଣ
ଛଳ ହେଉପଛେ ମୋତେ ଆନନ୍ଦିତ
କଲେ ଭୋଜନ ଦେଇଣ |
ପତ୍ନୀଙ୍କୁ ଦେଖିଲେ ଗର୍ଭସ୍ଥ ଅଛନ୍ତି
କହିଲେ ଶୁଣ ବ୍ରାହ୍ମଣ
ପୁତ୍ର ସନ୍ତାନଟି ଜନ୍ମ ହେବ ତୁମ
ନାମ ଦେବ ନାରାୟଣ |
ଏହାହିଁ ମୋହର ଦକ୍ଷିଣା ରହିବ
ଦେବ ଯଦି ମୋତେ କୁହ
ଶୁଣି ଅଜାମ୍ବିଳ ରାଜି ହୋଇଗଲା
ଏହା କିଛି ବଡ଼ ନୁଁହ |
ସାଧୁଙ୍କ କଥାଟି ସତ ହୋଇଗଲା
ପୁତ୍ରଟିଏ ଜନ୍ମ ନେଲା
ଯୋଗୀଙ୍କ କଥାକୁ ସ୍ମରଣ କରିକି
ନାରାୟଣ ନାମ ଦେଲା |
ସାନପୁଅ ବୋଲି ଗେଲ୍ହାରେ ବଢିଲା
ବାପାର ଅତି ନିଜର
ଶୋଇଲେ ବସିଲେ ସବୁ ସମୟରେ
ଧରିଲା ନାମକୁ ତାର |
ଦିନ ପରେ ଦିନ ଗଡି ଚାଲି ହେଲା
ଅଜାମ୍ବିଳ ଶଯ୍ୟାଶାୟୀ
ପୁତ୍ରକୁ ସମ୍ମୁଖେ ଦେଖି ନାମ ତାର
ନାରାୟଣ ଡାକୁଥାଇ |
ପାଖେଇ ଆସିଲା ଅନ୍ତିମ ସମୟ
ପ୍ରାଣନେଲେ ଯମଦୂତ
ନାରାୟଣ ବୋଲି ତୁଣ୍ଡେ ଧରିନେଲା
ଦେଖିଦେଲା ଯେବେ ପୁତ୍ର |
ଅଜାମ୍ବିଳ ପ୍ରାଣ ନେଇ ଯମଦୂତ
ଯାଉଥିଲେ ଯମଲୋକ
ବିଷ୍ଣୁଦୂତ ଆସି ପହଁଞ୍ଚି କୁହନ୍ତି
ଇଏ ଯିବ ବିଷ୍ଣୁଲୋକ |
ଯମଦୂତ ଦୁହେଁ ଆଶ୍ଚର୍ଯ୍ୟ ହୋଇଲେ
କେମିତିକା କଥା ଇଏ
ସାରା ଜୀବନଟା ପାପ କର୍ମ କରି
ବିଷ୍ଣୁଲୋକ ଯିବ ସିଏ |
ବିଷ୍ଣୁଦୂତ ଦୁହେଁ କୁହନ୍ତି ଶୁଣ ହେ
ଯମଦୂତ ଭାଈ ମୋର
କୁକର୍ମ ଯେତେ ବି ସିଏ କରିଥାଉ
ପୁଣ୍ୟ ବଢିଗଲା ତାର |
ପାପୀଟିଏ ଯେତେ ହେଉନା କାହିଁକି
ଯିବା ସମୟରେ ପ୍ରାଣ
କେବେ ଭୋଗିବନି ନରକ ଯନ୍ତ୍ରଣା
ନେଲେ ନାମ ନାରାୟଣ ।