ଏତିକି ମାଗୁଣୀ କଳାସାଆନ୍ତ
ଏତିକି ମାଗୁଣୀ କଳାସାଆନ୍ତ
ଜନମ ଦେଇଛୁ କରମ ଦେଇଛୁ
ବୁଦ୍ଧି ବି ଦେଇଛୁ ମୁଣ୍ଡେ
କହ ତେବେ କିଆଁ ଶିଖାଇଲୁ ନାହିଁ
ତୋ ନାମ ନେବାକୁ ତୁଣ୍ଡେ I
ପେଟକୁ ମୋର ତୁ ଭୋକ ଦେଇଅଛୁ
ସେପାଇଁ ଖଞ୍ଜିଛୁ ଅନ୍ନ
କହ କାହିଁପାଇଁ ବାଇଶି ପାହାଚ
ଚଢିବାରେ ନାହିଁ ମନ I
ଦାନ ଧର୍ମ କିଛି ଶିଖାଇନୁ ମୋତେ
ସ୍ୱାର୍ଥରେ କରିଛୁ ଅନ୍ଧ
ଭଲକଥା କିଛି ମନେ ମୋ ଦେଇନୁ
ଦେଇଛୁ କପଟ ଛନ୍ଦ I
ପବିତ୍ର ଜୀବନ ଚାହୁଁଛିରେ ମୁହିଁ
ସେତକ ଦେଉନୁ କିଆଁ
ପୂଣ୍ୟ ବଦଳରେ ଚାରିପାଖେ ମୋର
ଜାଳୁଛୁ ପାପର ନିଆଁ I
ଯେଉଁଆଡେ ଚାହେଁ ଦେଖେନାହିଁ ଭଲ
ମାୟାରେ ହୁଏ ମୁଁ ବାୟା
କେମିତି ଦର୍ଶନ କରିବିରେ ତୋତେ
ଅପବିତ୍ର ମୋର କାୟା I
ଆସି ନଥିଲି ମୁଁ ଦୁନିଆଁକୁ ଏକା
ତୁ ଥିଲୁ ମୋ ସାଥେ ସାଥେ
ଦୁନିଆଁ ଛାଡିବା ବେଳହେଲେ ମୋର
ଧରି ନେବୁ ତୋର ହାତେ I
