ଏକାକୀ
ଏକାକୀ
କେତେକେତେ ରକ୍ତର ସମ୍ପର୍କ
କେତେକେତେ ଆପଣାର ଲୋକ।
ଚାରିଆଡ଼େ ଆଶିଷର ହାତ
ମୁଣ୍ଡପରେ ବୋଝହୀନ ସତ ।
ସ୍ନେହ ଏତେ ଖୋଜିଲେ ମିଳେନି
ସମୟର ରଙ୍ଗ ସମାନ ରହେନି ।
ଏବେ ସେ ଏମିତି ଏକାନ୍ତ
ଅବୁଝା ସେ ସଭିଁଙ୍କର ମତ ।
ନକହିଲେ କିଏ ବା ବୁଝିବ
କହିବା କି ଏତେ ସହଜ ହେବ ।
ନିଜପାଇଁ ଚିନ୍ତା ନାହିଁ ତା'ର
ଜାଣେ ସିଏ ଗତି ସମୟର ।
ଶବ୍ଦ ଯେତେ ମନରେ ଆସନ୍ତି
ଅଳ୍ପାୟୁଷ ନେଇ ସେ ମରନ୍ତି ।
ଧିରେଧିରେ ନିଜଠୁ ଦୂରାଏ
କାହିଁକି ସେ ନିଜକୁ ହରାଏ ।
ସ୍ୱାର୍ଥପର ହୋଇପାରେ ନାହିଁ
ଖୁସି ସେ ପାଗଳ ଆଖ୍ୟା ପାଇ ।
କେମିତି ନୀରବ ଏ ମଣିଷ
ଆଖି ଆଗେ ସମସ୍ୟାର ବିଷ ।
ବେଳେବେଳେ ଲାଗେ ଆଚମ୍ବିତ
ସୁନାମୀରେ ତୁମେ କେମନ୍ତ ଶାନ୍ତ..।
ଏକାନ୍ତରେ ମରୁଥାଏ ନିଶିଦିନ
କୁହନ୍ତି କି ଆରାମ୍ ତା' ଜୀବନ।
ତା' ସ୍ଥାନେ ରଖି ଥରେ ଦେଖ
ଶାନ୍ତି ତା'ର କେତେ ତ ପରଖ।
ନିଜକୁ ସେ ଯେ ଧିକ୍କାର କରେ
ଜୀବନକୁ ପ୍ରତି କ୍ଷଣେ ଡ଼ରେ ।
ବୁଝିବେନି କେହି ବୁଝିବେନି
ସେ ହାରିବନି କି ଜିତିବନି ।।
